Unknown

 

 

 

 

 

 

 

 

 

ଭାବେ-ଭୋଳା

(ପ୍ରଥମ ଖଣ୍ଡ)

ଶ୍ରୀ ବାସୁଦେବ ମହାପାତ୍ର

 

ଆତ୍ମ-ବିବୃତି

 

ପ୍ରିୟ ପାଠକବୃନ୍ଦ,

 

ଚାଳିଶ ବର୍ଷର ଦୀର୍ଘ ଶିକ୍ଷକତା ପରେ ବୃଦ୍ଧତ୍ୱର ନିରାଟ ଅନୁଭୂତି ନେଇ ‘ଭାବେଭୋଳା’ ଲେଖିବାକୁ ଯାଇଅଛି । ଏଥିରେ ‘ବୀର-ଭାରତ’ର ଉଦ୍ଦାମ ବୀରତ୍ୱ କି ‘ଶାନ୍ତିଧାରା’ର ଦାର୍ଶନିକ ଜଟିଳ ଯୁକ୍ତିକାଳ ପାଇବେ ନାହିଁ । ପଥହରାର ବ୍ୟାକୁଳକ୍ରନ୍ଦନ, ଭକ୍ତିବିଶ୍ୱାସର ଉନ୍ମାଦନାମୟ ବିଭୁନିର୍ଭରତା, ସନ୍ନ୍ୟାସର ଅମୃତମୟ ନୈଶ୍ଚିନ୍ତ୍ୟ, ତନ୍ମୟତାର ପବିତ୍ର ଶାନ୍ତିସୁଧା ଫୁଟାଇବା ପାଇଁ ଏଥିରେ ସିଦ୍ଧସାଧକ ଭକ୍ତମାନଙ୍କର ବୈଚିତ୍ର୍ୟମୟ ଜୀବନର ଆଶ୍ରୟ ନିଆଯାଇଛି । ଏ ପିପାସା ଭଗବତ୍‍ ପ୍ରାଣ ଉତ୍କଳମଣି ଗୋପବନ୍ଧୁଙ୍କ ସାଧୁସଙ୍ଗ ପ୍ରଭାବରେ ସତ୍ୟବାଦୀର ବକୁଳ-ବନରେ ହିଁ ପ୍ରାଣରେ ପ୍ରଥମେ ଦେଖାଦେଇ ଥିଲା । ମଧ୍ୟରେ ସ୍ୱରାଜ୍ୟ ଲାଭପାଇଁ ଦେଶବ୍ୟାପୀ ଘୋର ସଂଗ୍ରାମ, ଉଦାର ଆତ୍ମବିସ୍ମୃତିର ପାବନ-ପ୍ରଭାବରେ ଗୁପ୍ତ ହେଲେ ମଧ୍ୟ, ଏହା କ୍ରମବର୍ଦ୍ଧିତ ହେଉଥିଲା । ଆଜି ଦେଶପ୍ରାଣରୁ ସେ ଶ୍ରେଷ୍ଠ ପ୍ରବଳ ନିଶା ତୁଟିଯାଇଅଛି, ଦେଶର ଚତୁର୍ଦ୍ଦିଗରେ କି ବ୍ୟକ୍ତି, କି ସମଷ୍ଟି ସକଳ ଜୀବନରେ ସହସ୍ର ତ୍ରୁଟି, ନାନା ଅକ୍ଷମଣୀୟ ପ୍ରମାଦ ଦେଖାଦେଉଅଛି । ତ୍ୟାଗ, ପ୍ରୀତି, ପରପ୍ରବଣତା, ସ୍ନେହ, ସେବାଭାବ, ସର୍ବୋପରି ବଳିଷ୍ଟ କମନୀୟ ଆଧ୍ୟାତ୍ମିକ ବଳ ଭଗବତ୍‍ ନିର୍ଭରତା ଦେଶରୁ କ୍ରମେ ଅନ୍ତର୍ହିତ ହୋଇ ଭବିଷ୍ୟତ ସର୍ବଧ୍ୱଂସର ସୂଚନା ସ୍ପଷ୍ଟ ହେଲାଣି । ଏ ଆଉ ସ୍ଥିର ହୋଇ ବସି ରହିବାର ସମୟ ନୁହେ । ବିଭୀଷିକାମୟ ଏ ଘୋର ବିପତ୍ତି ବେଳେ, ସନାତନ ସଂସ୍କୃତିର ଆଶଙ୍କାମୟ ସନ୍ଧିସ୍ଥଳରେ ଭଗବାନ ହିଁ ଭରସା । ‘‘ସର୍ବେ ହୋଇବା ଏକ ମୁଖ, ଡାକିବା ନାରାୟଣ ରଖ । ଉକ୍ତି ଅଛି, ‘ବିପତ୍ତୌ ମଧୁସୂଦନ’ । ଏ ଦିଗରେ ବ୍ୟକ୍ତିଗତ, ଦଳଗତ ସକଳ ପ୍ରକାର ଉଦ୍ୟମ ଶୀଘ୍ର ଆରମ୍ଭ ହେବା ଆବଶ୍ୟକ । ଗୋପବନ୍ଧୁ ବିଭୁପ୍ରେମର ପରମ ଲୋତକ ଗଡ଼ାଇ, ଶୁଦ୍ଧ ସରଳ ଆସ୍ତିକ ପ୍ରାଣରେ ଗାଇ ପକାଉଥିଲେ–

 

ଯେତେବେଳେ ଯାହା ମାଗିଛି ହେ ବିଭୋ !

ତେତେବେଳେ ତାହା ଦେଇଛ,

କେତେ ଅପରାଧ, କେତେ ଅନାଚାର,

କ୍ଷମାନିଧି ସବୁ ସହିଛ !

 

ସକଳ ଅପରାଧ, ଅନାଚାର ଘୁଞ୍ଚାଇ, ମହା ମହା ଅଭାବ ଅନ୍ତରାୟ ଅପସାରିତ କରି ଦେଶକୁ ଚରମ ଆକାଙ୍‍କ୍ଷାର ପରମ ପରିତୃପ୍ତି ପଥରେ ସୁଦୃଢ଼ ଅଗ୍ରଗତି ଦେବା ପାଇଁ ଜନପ୍ରାଣରେ ପ୍ରବଳ ଭଗବଦ୍‍ ଭକ୍ତି, ଅତୁଟ ଧର୍ମବିଶ୍ୱାସ ଫୁଟାଇବା ଯେ ଏକମାତ୍ର ଉପାୟ, ଏହା କେହି ଅସ୍ୱୀକାର କରି ନ ପାରେ । ଭାଗବତ କହେ, ‘‘ମଣିମା ଆଦି ସିଦ୍ଧି ଯେତେ, ମୋଭକ୍ତ ଲିଭନ୍ତି କିଞ୍ଚିତେ ।’’ ପ୍ରାଣରେ ଏ ମହାପ୍ରେରଣା, ବିଦୁପ୍ରାଣତା ଉଦ୍‍ବୋଧନ ପାଇଁ ଜନସାହିତ୍ୟ ଲେଖିବାର ସମୟ ଉପସ୍ଥିତ ଏ ଦିଗରେ ଏ ଦୁଇ ଚାରି ଖଣ୍ଡି କ୍ଷୁଦ୍ର ପୁସ୍ତିକା କିଛି ନୁହେ । କବି ଓ ଲେଖକମାନେ ଏ ଦିଗରେ ନିଜ ନିଜର ସବଳ ଲେଖନୀ ଚାଳନା କରନ୍ତୁ, ଏହାହିଁ ପ୍ରାଣର ବ୍ୟାକୁଳ ଆକାଙ୍‍କ୍ଷା ।

 

ସତ୍ୟବାଦୀର କର୍ମସଙ୍ଗୀ, ଉତ୍କଳମଣିଙ୍କର ଶ୍ରେଷ୍ଠ ଶିଷ୍ୟ ଶିକ୍ଷାମନ୍ତ୍ରୀ ଶ୍ରୀମାନ୍‍ ରାଧାନାଥ ନିଜର ଗୁଣଗ୍ରାହିତାରେ ଏ ପୁସ୍ତିକା କେତେ ଖଣ୍ଡି ଛପାଇବାକୁ ଯାଇ ମୋତେ ବଡ଼ ଉତ୍ସାହିତ କରିଅଛନ୍ତି । ସେଥିପାଇଁ ଶେଷରେ ଆଶୀର୍ବାଦ କରୁଅଛି–ବିଭୁ ତାଙ୍କୁ ବର୍ତ୍ତମାନର ଜଟିଳ କର୍ମକ୍ଷେତ୍ରରେ ଯଶସ୍ୱୀ କରିବା ସଙ୍ଗେ ସଙ୍ଗେ ଦୀର୍ଘଜୀବନ ଦେଇ ତାଙ୍କ ଅନ୍ତରର ସ୍ୱାଭାବିକ ଭଗବତ୍‍ପ୍ରାଣତା ଓ ପରମ ପ୍ରୀତିକୁ ବଳବତ୍ତର କରନ୍ତୁ ।

 

ଶ୍ରୀ ବାସୁଦେବ ମହାପାତ୍ର

Image

 

ସୂଚିପତ୍ର

 

୧.

ବିଚିତ୍ର ବଟକରା

୨.

ଭିକାରୁଣୀ ପୁଅ

୩.

ମାରଣାର ସାଯୁଜ୍ୟ ମୁକ୍ତି

୪.

କାୟା ବିନିମୟ

୫.

ସିଂହ-ପୂଜା

୬.

ଭୁଗର୍ଭରେ ସଂକୀର୍ତ୍ତନ

୭.

ପ୍ରୟାଗ ମାମୁ

୮.

ଇଚ୍ଛା-ଗମନ

୯.

ବନପଥେ

୧୦.

ନଈ ବାଟ ଦେଲା

୧୧.

ଲଳିତା ଚରଣ

୧୨.

ମାଛ ପାଟିରୁ ଭଗବାନ

୧୩.

ଭଉଣୀ ସରସ୍ୱତୀ

Image

 

ବିଚିତ୍ର ବଟକରା

 

ଜୟ ସାକ୍ଷୀ-ଗୋପୀନାଥା

ଭକ୍ତ ଦୁଃଖ ହରା,

ଜୟ ଦ୍ୱିଜକନ୍ୟା ଲକ୍ଷ୍ମୀ-

ପ୍ରଣୟ-ପସରା ।

ଜୟ ଦୀନବନ୍ଧୁ ନଟ-

ବର ବେଶଧାରୀ,

ଜୟ ଭକ୍ତଭାବେ ଭୋଳା,

ବୈକୁଣ୍ଠବିହାରୀ ।

ଜୟ ହେ ତ୍ରିତାପହାରୀ

କଇବଲ୍ୟଦାତା,

ଜୟ ଜୟ ଚକାଡ଼ୋଳା

ଜଗତକରତା ।

ଜୟ ଜୟ ଜଗନ୍ନାଥ

ନୀଳାଦ୍ରି-ବିହାରୀ,

ଭକତ-ପରାଣସଖା

ଜୟ ବଂଶୀଧାରୀ ।

ବଂଶୀନାଦ ବାଜୁ ପ୍ରାଣେ

ଗାଏ ଭକ୍ତ-ଯଶ,

ଭକ୍ତ-ଯଶ ଗାଉ ଗାଉ

ହେଉ ଦିନ ଶେଷ ।

ଭକତ-ପରାଣ-ଟାଣ,

ଭକତି-ଦୃଢ଼ତା,

ଚିତ୍ରିବାକୁ ଦିନ ଭାଷା

ବିଚିତ୍ର-ବିଧାତା ।

ଗଙ୍ଗାନଦୀ ପୂତ ତୀରେ

ଅଛି ଦିବ୍ୟ ଗ୍ରାମ

କୃଷ୍ଣନଗର ନିକଟେ

ଅତି ହିଁ ସୁଷମ ।

ବହୁଦିନ ତଳ କଥା

ଥିଲାକ ବ୍ରାହ୍ମଣ,

କଟିଯାଏ କାଳ କରି

ପୁରୋହିତ କାମ ।

ଭାଗ୍ୟକୁ ତା ପ୍ରିୟା ଥିଲା

ପରାଣ-ଦୋସର,

ଦେବତାଠୁଁ ବଳି ପତି

କରଇ ଆଦର ।

ଘରକୁ ନନ୍ଦନ ଏକ

ସୁଢ଼ଳ ସୁନ୍ଦର,

ଅତିହିଁ ଗୁଣର, ବାଣୀ

ଅମୃତୁଁ ମଧୁର ।

ସୁଷମା କୋଳର ଝିଅ,

ନାହିଁ ତା ଉପମା,

ସରି ସମ ହେଲେ ହେବେ

ତାର ଉମା-ରମା ।

ଦରିଦ୍ର ବ୍ରାହ୍ମଣ ନାହିଁ

ସମ୍ପଦ ବିଶେଷ,

ନିତି ଯାହା ଅରଜନ୍ତି

ନିତି ହୁଏ ଶେଷ ।

କାଲିକୁ ସଞ୍ଚି ରଖିବା

ନାହିଁ ତାଙ୍କୁ ଜଣା,

ସାରନ୍ତି ସମସ୍ତ କରି

ଅତିଥି ଅର୍ଚ୍ଚନା ।

ଦିନେ ଯଜମାନ ଘରୁ

ଫେରେ ବିପ୍ରବର,

ବାଟରେ ଦେଖଇ ଘୋର

ଗୁଣ୍ଡିଚା ଗହଳ ।

ଝିଅଟିଏ ବିକେ ଶାଗ

ଗଛମୂଳେ ବସି,

ହସି ହସି ତୁଳିଦିଏ

ନବୀନ ବୟସୀ ।

ଅଦ୍ଭୁତ ତୁଳନା ତାର

ଏକ ବଟକରା

ଭିନ୍ନ ଭିନ୍ନ ପରିମାଣ

ତୁଳିଦିଏ ଖାରା ।

ଦେଖିବାକୁ ଆସି ଲୋକେ

କିଣୁଛନ୍ତି ରସି;

ବେତାକ ସରିଲା ଶାଗ

ଚାହୁଁ ଚାହୁଁ ଆସି ।

ପଣ୍ଡିତ ବ୍ରାହ୍ମଣ ତାର

ବୁଦ୍ଧି ହେଲା ବଣା,

ଭାବି ନ ପାରିଲା କି ସେ

ବିଚିତ୍ର ଘଟଣା !

ବଣିଜ ସରିଲା, ବାଳୀ

ଏକାନ୍ତରେ ଡାକି

ପଚାରେ ଗୁପତେ, ‘‘ଝିଅ,

ଗୁଣି ଜାଣୁନି କି ?

ସଂସାରେ ନ ଥିବା କଥା

ଆଜି ମୁଁ ଦେଖିଲି,

ଏକ ବଟକରା, ଦେଉ

ସରବେ ତଉଲି !

କାହୁଁ ତୁ ପାଇଲୁ ଦିବ୍ୟ

ଏହି ବଟକରା ?

ଏ ଯେ ଶାଳଗ୍ରାମ ଶିଳା,

ଆଖି ନ ଦେଖିଲା !

ଦିଅନ୍ତୁ କି ଝିଅ ମୋତେ,

ପୂଜନ୍ତି ଯତନେ

ଅରପନ୍ତି ନଇବେଦ୍ୟ

ଭକ୍ତିପୂତ ମନେ ।’’

‘ନାହିଁ, ନା ସାଆନ୍ତ ମୁଁ ତ

ନ ପାରିବି ଦେଇ,

କେତେ କାନ୍ଦି, କଷ୍ଟ ପାଇ

ଦେଇଛନ୍ତି ବିହି ।

ବାଳୁତ ସ୍ୱଭାବ ହଜା-

ଇଲି ବଟକରା,

ଗଞ୍ଜଣା ସହିଲି ବହୁ

ସେଥିପାଇ ପରା ।

ଭାଇ ଭାଉଜଙ୍କ ଦଣ୍ଡ

କି କହିବି ନନା ।

ବଟକରା ଲାଗି ଘର

କରିଦେଲେ ମନା ।

ଗଙ୍ଗାପାଣି ପିଇ ଦୁଃଖେ

ଭୋକଶୋଷ ଭୁଲି

ବିକଳେ ବିଭୁଙ୍କୁ ଡାକି

କେତେ ଯେ କାନ୍ଦିଲି ।

ଗଙ୍ଗାଜଳେ ପାଦତଳେ

ବାଜେ ଶିଳା ଆସି,

ଗୋଟାଏ ଏ ବଟକରା,

ଦେଖି ହେଲି ଖୁସି ।

ଶୂନ୍ୟରୁ ଶବଦ ହେଲା

ଶିଳା ନିଅ ନାଳି,

ଯେତେ ଯେ ମାଗିବ ଦିଅ

ଏଥିରେ ତଉଲି ।

ଏହି ବଟକରା ଦେଖି

ଘରେ ହେଲେ ଖୁସି,

ଏହା ଯୋଗୁଁ ବିକେ ସିନା

ଶାଗ ହସି ହସି ।’’

‘‘ଶିଳା ତୋର ଗଣ୍ଠିଧନ,

ବିକା ତୋର ଖେଳ,

ଜାଣୁଛି ମୁଁ, ଦେବି ଧନ

ଯେତେ କରୁ ମୂଲ ।

ଧନ ଦେଇ ଦ୍ରବ୍ୟ ନେବି;

ପୁଣି ମୁଁ ବ୍ରାହ୍ମଣ,

ପୂଜି ଶାଳଗ୍ରାମ ତୋରେ

କରିବି କଲ୍ୟାଣ ।’’

‘‘ତୁମ କଥା ଶୁଣି ନନା

ଭାବେ ମନେମନ,

ତିନି କୋଡ଼ି ଖଣ୍ଡେ ଟଙ୍କା,

ସତେ ଏତେ ଧନ

ଦେଇ କି ପାରିବ ? ତେବେ

ବିକି ବଟକରା,

ବୃନ୍ଦାବନଧାମ ଆଶ୍ରା

କରନ୍ତି ମୁଁ ପରା ।

ନଟବର ବେଶ ଠାଣି,

ନିତି ନିତି ଦେଖି

ସଫଳ ହୁଅନ୍ତା ଜନ୍ମ,

ସାର୍ଥକ ଏ ଆଖି ।’’

ଏକାନ୍ତ ବିଷଣ୍ଣ ମନେ

ଫେରେ ଦ୍ୱିଜ ଘର;

ତିନି କୋଡ଼ି କାହୁଁ ହେବ,

କରଇ ବିଚାର ।

ଭୋକଶୋଷ ଗଲା ଭୁଲି

ନ ରୁଚିଲା ଅନ୍ନ;

ବ୍ରାହ୍ମଣୀ କହଇ ‘‘ଅଙ୍ଗୁ

ଅଳଙ୍କାର ଘେନ ।

ବିକି ଧନ ତିନି କୋଡ଼ି

ମିଳିବ ନିଶ୍ଚୟ;

ଏଥିକି ଭାବନା କିଆଁ

ମନ କର ଥୟ ।

ହାତରେ ତ ହେଲେ ଧନ

ହେବ ଅଳଙ୍କାର,

ମାଟିରୁ ତ ରୂପା, ସୁନା

ମାଟିର ବିକାର ।

କି ହେବ ସେ ଅଳଙ୍କାର

କିବା ସେହି ଧନ,

ପରାଣ-ପିପାସା ଯଦି

ନ କରେ ପୂରଣ ?’’

କଣ୍ଠୁ ହାର କାଢ଼ି ବାଳା

ଦେଲା ହସି ହସି,

ବ୍ରାହ୍ମଣ କହିଲା, ‘‘ଧନ୍ୟ

ଧନ୍ୟ ତୁ ପ୍ରେୟସୀ ।’’

ତିନି କୋଡ଼ି ଦଶ କରି

ବିକିଦେଲା ହାର,

ଶାଗ ବିକାଳୁଣୀ ପାଖେ

ହୋଇଲା ହାଜର ।

ଶାଳଗ୍ରାମ ପାଇଁ ଦିଏ

ତିନି କୋଡ଼ି ଗଣି,

ଦଶ ଟଙ୍କା ବେଶି ଦେଲା

ଉପକାର ମାନି ।

ଭକ୍ତିରେ ଶିରରେ ଧରି

ଶାଳଗ୍ରାମ ଶିଳା

ନାଚି ନାଚି ଦ୍ୱିଜ ଫେରେ

ହୋଇ ଭାବେ-ଭୋଳା ।

ଦେଖାଇଲା ଗୃହିଣୀକୁ

କହଇ ପ୍ରଶଂସି,

‘‘ଭାଗ୍ୟେ କଇବଲ୍ୟଦାତା

ମିଳିଗଲେ ଆସି !

କି ଦେଇ ପୂଜିବା ପ୍ରିୟେ !

ଗରିବର ଘର,

ଭକ୍ତିଭରେ ଅରପିବା

ଯା ଅଛି ସମ୍ଭାର ।’’

ଶିରେ ଶିଳା ବହି ଦ୍ୱିଜ

ଗଙ୍ଗାକୂଳେ ଗଲା,

ବିଷ୍ଣୁମନ୍ତ୍ର ବୋଲି ଶତ

ସ୍ନାନ କରାଇଲା ।

ଶିଳା କହେ, ‘‘ବ୍ରାହ୍ମଣରେ

ଭାଗ୍ୟ ତୋର ମନ୍ଦ,

ଭକତ ପାଖୁ ଆଣିଲୁ

କରି କେତେ ଛନ୍ଦ;

ମହା ଅମଙ୍ଗଳ ହେବ

ସରିଯିବୁ ଜାଣ;

ଶାଗ ବିକାଳୁଣୀ ପାଖେ

ଦିଅ ଫେରାଇଣ ।’’

‘‘କି କଥା ଡରାଇ କହ,

ଆହେ ଦୀନବନ୍ଧୁ !

ମରଣ ଅମୃତୁଁ ବଳେ,

ତୁ ତ କୃପାସିନ୍ଧୁ !

ଭାଗ୍ୟବଳେ ହାତେ ମୋର

ଦେଇଅଛୁ ଧରା,

ନ ଛାଡ଼ିବି, କରିବି ମୋ

ପରାଣ-ପସରା ।’’

ବ୍ରାହ୍ମଣୀ ସ୍ନାନ କରୁଛି

ଜାହ୍ନବୀର ଜଳେ

ନୀରଦ-ସୁନ୍ଦର ବାଳ

ଡାକି କହେ କୂଳେ,

‘‘ଘର ଲିପି ପୋଛି ବେଗେ

କର ଆଈ ତୋରା;

ବଇକୁଣ୍ଠନାଥ ଘରେ

ଆସୁଛନ୍ତି ପରା !’’

ଏକ ଲୟେ ଚାହେଁ ବାଳା,

ଭାବେ ଆଚମ୍ବିତ,

ଲିପିପୋଛି ରଖେ ଘର

ପ୍ରଭୁ ଆସିବେ ତ ?

ସିଂହାସନେ ସ୍ଥାପି ଶିଳା,

ଷୋଡ଼ଶୋପଚାରେ

ଭକ୍ତି ଢାଳି ପୂଜେ ଦ୍ୱିଜ,

ଦରିଦ୍ର-ବେଭାରେ ।

ସ୍ୱପ୍ନେ କହେ ଶିଳା, ‘‘ବେଗେ

ଫିଙ୍ଗିଦିଅ ମୋତେ

ନୋହିଲେ ନନ୍ଦନ ତୋର

ନାଶିବି ନିୟତେ ।’’

‘‘ନ ଫିଙ୍ଗିବି’’, କହେ ଦ୍ୱିଜ

‘‘ଦଣ୍ଡ ଇଚ୍ଛା ଯେତେ;

କେ କାହା ନନ୍ଦନ, ନିଅ

ଯେବେ ଲୋଡ଼ା ତୋତେ ।’’

ମାସ ନ ପୂରୁଣୁ ମଲା

ପରାଣ-ନନ୍ଦନ,

ପିତା ମାତା ମନେ, ପ୍ରଭୁ

କାଟିଲେ ବନ୍ଧନ ।

ପୁଣି ସ୍ୱପ୍ନବାଣୀ ଶୁଭେ,

‘‘ନାଶିବି ତନୟା ।’’

ପିତାମାତା ଭାବୁଛନ୍ତି,

‘‘ତୁଟିଯାଉ ମାୟା ।’’

ତନୟା ମରିଲା, ପୁଣି

ଶୁଭେ ସ୍ୱପ୍ନବାଣୀ

‘‘ନ ମାନିଲୁ କଥା ମୋର

ନାଶିବି ବ୍ରାହ୍ମଣୀ ।’’

ବ୍ରାହ୍ମଣୀ ଭାବଇ, ‘‘ସତେ

ଏଡ଼େ ଭାଗ୍ୟ ହେବ,

ପତିମୁଖ ଦେଖୁଥିବି

ପ୍ରାଣ ଉଡ଼ିଯିବ ।’’

ଗୋଟି ଗୋଟି ହୋଇ ଗଲେ

ସୁତ, ସୁତା, ଜାୟା;

ବ୍ରାହ୍ମଣ ଭାବଇ, ‘‘ଏବେ

ତୁଟିଗଲା ମାୟା,

କିପାଇଁ ଭାବନା, ଆଉ

କାହା ପାଇଁ ଡର ?

ବହିବି ମସ୍ତକେ ସଦା,

ନ ହେବେ ଅନ୍ତର ।’’

ଶିରେ ଶିଳା ବହେ ପ୍ରେମେ,

ସଜାଡ଼େ ପଗଡ଼ି,

କେବେ ହସେ, କେବେ କାନ୍ଦେ,

ନାଚେ ଘଡ଼ି ଘଡ଼ି ।

ପୁଣି ଶୂନ୍ୟବାଣୀ ଶୁଭେ,

‘‘ପାଗଲ ପଣ୍ଡିତ ।

ନ ମାନିଲୁ କଥା, ଶିରେ

ହେବ ବ୍ରଜପାତ ।’’

ବିପ୍ର କହେ, ‘‘ପଡ଼ୁ ବଜ୍ର

ଶିର ପଡ଼ୁଛିଡ଼ି,

ନ ଭୋଗିବୁ ଆଉ ଶାଗ

ଟୋକେଇରେ ସଢ଼ି ।

ଗଙ୍ଗାକୂଳେ ପୂଜେ ବିପ୍ର

ଶିଳା ଥାପି ଶିରେ

ସୁଢ଼ଳ ସୁନ୍ଦର ଦୁଇ

ବାଳକ ମିଳିଲେ ।

କଳା ଧଳା ଦୁଇ ତନୁ,

ଓଷ୍ଠ ବିମ୍ବ ଜିଣି,

କାମ-ପଞ୍ଚଶର ସେ କି

ବଙ୍କିମ ଚାହାଣି ।

ପାଣି ଘାଣ୍ଟି ଦୁଇ ସଖା

ଲଗାଇଲେ ନାଟ;

ଛିଟିକା ପଡ଼ିଲା ଅଙ୍ଗେ

ବ୍ରାହ୍ମଣ ଉଚ୍ଚାଟ ।

ବ୍ରାହ୍ମଣ-ଭଲା ଟୋକେ ! ପୂଜାକରେ

ଦିଶୁନାହିଁ କିରେ ?

ମୋ ଅଙ୍ଗେ ଛିଟିକା ପଡ଼େ,

ଭଗବାନ ଶିରେ ।

ବାଳକେ-ଭଗବାନ ଶିରେ ଛିଟା

ସତେ ଗଲା ପଡ଼ି !

ଜାଣିନାହୁଁ ବାବା ! ରାଗେ

ଦିଅ ନାହିଁ ରଡ଼ି ।

ବ୍ରାହ୍ମଣ-କାହିଁ ତୁମ ଘର ବାବୁ,

କି ମଧୁରବାଣୀ ।

ଆଖି ଦେଖିବ କି ଆଉ

ଏ ସୁନ୍ଦରଠାଣି ?

ରାଗିବି ଛି ଧନ ! ଦୁହେଁ

ଖେଳୁଥାନ୍ତ ଜଳେ,

ପୂଜା ଛାଡ଼ି ଚାହିଁଥାନ୍ତା

ବୁଢ଼ା କାଳେ କାଳେ ।

ବାଳକେ-କାହିଁକି ବିକଳ ବାବା !

ନିକଟରେ ଥାଉଁ;

ଡାକିଲେ ପରାଣ ଖୋଲି,

ଆସି ମିଳିଯାଉଁ ।

ବ୍ରାହ୍ମଣ-କି ନାମେ ଡାକିବି ଧନ !

କେଡ଼େ ଦୟା ସତେ !

ବାରେ ଦେଖି ତୃପ୍ତ ହେବ

କେବା ଏ ମରତେ ?

ବାଳକେ-ନୁହେ ଏକ ନାମ, ଯିଏ

ଯେଉଁ ନାମେ ଡାକୁ

ଭାବି ଭରି ଡାକଦେଲେ,

ଆସି ମିଳୁ ତାକୁ ।

ଶ୍ୟାମ ବାଳକ-ଆଚ୍ଛା ଏ ମୁରଲୀ ନିଅ,

ଦେବତ ବଜାଇ,

ବଜାଇଲେ ସେହିକ୍ଷଣି,

ଆସିବି ମୁଁ ଧାଇଁ ।

ଗୌର ବାଳକ-ନିଅ ବାବା !

ଏଇ ଫୁଲ, ଦେଖାଅ ତ ହାତ;

ରଖିଥିବ ପାଖେ ସର୍ବ

ଶୁଭ ହେବ ଜାତ ।

ଚାଲିଯାନ୍ତି ଦୁଇ ସଖା,

ଭାବେ ଦ୍ୱିଜ ଚାହିଁ,

ଏ ଅପୂର୍ବ ରୂପରାଶି

ମିଳିବ କି କାହିଁ ?

ବ୍ରାହ୍ମଣ ଦେଖଇ ପୁଷ୍ପ

ଅଛି ହସ୍ତେ ତାର,

କି ସୁନ୍ଦର ଗଠନ ତା,

ବାସ ମନୋହର ।

କି ହେବ କୁସୁମ, ବାସ

ରସିକ ଲୋଡ଼ଇ;

ରାଜ୍ୟ ନୃପେ ଦେଲା ବିପ୍ର

ସେହି ପୁଷ୍ପ ନେଇ ।

ରାଜା ହସ୍ତୁ ପାଟରାଣୀ

ନେଲେ ସେହି ଫୁଲ,

ଅଭିମାନେ ସାନରାଣୀ

କଲେ ଗଣ୍ଡଗୋଳ ।

‘ଦୋସର କୁସୁମ ଆଣ’

ରାଜା ଦ୍ୱିଜେ କହି;

ବାଳକଙ୍କୁ ଡାକେ ବିପ୍ର

ମୁରଲୀ ବଜାଇ ।

କଳା ଧଳା ଦୁଇ ତନୁ

ନାଚିଲେ ଆଗରେ

ଭାବେଭୋଳ ବିପ୍ର-ନେତ୍ରୁ

ପ୍ରେମ-ଅଶ୍ରୁ ଝରେ ।

ଦ୍ୱିଜ କହେ, ‘‘ଧନ୍ୟ ହେଲା

ମୋର ଚର୍ମଆଖି,

ଭାବୁଥିଲି, ସତେ ଆଉ

ପାରିବି କି ଦେଖି !

ପାଟରାଣୀ ତୁମ ଫୁଲ

ନେଲେ ଗୁଣ ଜାଣି,

ସାନ ରାଣୀ ବାଈ ଏବେ

ଦିଅ ଫୁଲ ଆଣି ।’’

ବାଳକେ ଭାଷିଲେ, ଫୁଲ

ନାହିଁ ଆଉ ସଙ୍ଗେ;

ମୁଦ ଆଖି ବଗିଚାକୁ

ନେଇଯିବୁ ରଙ୍ଗେ ।

ଗୋଟିଏ କାହିଁକି ତୋଳ

ଯେତେ ଇଚ୍ଛା ଫୁଲ;

ଦେଖାଇବୁ ଦିବ୍ୟ ସ୍ଥାନ

ଆମ ସଙ୍ଗେ ଚାଲ ।

ବ୍ରାହ୍ମଣ ମୁଦିଲା ଆଖି

ଫିଟାଇଲା ପୁଣି,

କ୍ଷଣକେ କେ ଦିବ୍ୟସ୍ଥାନେ

ଥୋଇଦେଲା ଆଣି !

ଚତୁର୍ଦ୍ଦିଗେ ବୃକ୍ଷଲତା

ପୁଷ୍ପ ମନୋହର

ବାସେ ଭରି ବହେ ମନ୍ଦେ

ମଳୟ ମଧୁର ।

ମଧ୍ୟେ ଫୁଟି ଦିଶେ ସେ କି

ବଇକୁଣ୍ଠପୁରି ।

କଳା ଧଳା ଦୁଇ ବାଳ

ଅଛନ୍ତି ଦୁଆରୀ ।

ସାହସ ବାନ୍ଧିଣ ଦ୍ୱିଜ

ପୁରମଧ୍ୟେ ଗଲା,

ଶୂନ୍ୟ ରତ୍ନ-ସିଂହାସନ

ଭିତରେ ଦେଖିଲା ।

ମୂରତି ଭାବିଣ ତଳେ

କଲାକ ପ୍ରଣତି,

ଶିରୁ ଶିଳା ଖସି ଲୋଟେ

ବିକଳ ତା ମତି ।

ଗୋଟାଇ ବସିଲା ଶିଳା,

ଯାଏ ନାଦେ ଫାଟି,

ଲକ୍ଷ୍ମୀନାରାୟଣ ତନୁ

ଉଠନ୍ତି ଚହଟି ।

ପୂର୍ଣ୍ଣକଲେ ସିଂହାସନ

ମୁଖେ ମଧୁହାସ,

ଭାଷିଲେ, ‘‘ଧନ୍ୟ ତୁ ଦ୍ୱିଜ !

ଧନ୍ୟ ତୋ ବିଶ୍ୱାସ !

କେତେ ଦୁଃଖ ଦେଲି,

ତୁହି ରହିଲୁ ଅଟଳ;

ମେରୁଠାରୁ ଦୃଢ଼ ତୁହି,

ହୃଦ କି ବିଶାଳ ।

ସୁତ-ସୁତା-ଦାରା ଗଲେ,

ନ ହେଲୁ ତୁ ଭାଳି;

ମୋଠାରେ ଅଚଳା ଭକ୍ତି

ରଖିଲୁ ସମ୍ଭାଳି ।

ସେହି ଭକତିର ବଳେ

ବଇକୁଣ୍ଠେ ବସ,

ଏ ସରଗ ବଇଭବ

କର ତୁ ସରସ ।

ସୁତ ସୁତା ଦାସ ଗୁରୁ

ଗୃହ ପ୍ରାଣଧନ,

ଇହଲୋକ ପରଲୋକ

କରି ବିସର୍ଜନ,

ଯେ ଭକତି ସବୁ ଛାଡ଼ି

ଆଶ୍ରା କରେ ମୋରେ,

ପରାଣୁ ଅଧିକ ମୁଁ କି

ଛାଡ଼ିପାରେ ତାରେ ?

ପରାଣୁ ବଳେ ଭକତ

ତାର ପାଦଧୂଳି,

ପ୍ରେମେ ଧରି ଶିରେ ନାଚେ

ଦେଇ କରତାଳି ।

ତୋ ଧରମେ ମର୍ତ୍ତ୍ୟଦେହେ

ଭକତି ନିର୍ମାୟା ।

ଆସିଲୁ ସରଗେ; ତୋର

ସୁତ-ସୂତା-ଜାୟା ।

କରନ୍ତି ପ୍ରଣାମ ଚାହିଁ

ନିଅ ତାଙ୍କୁ କୋଳେ;

ଚାହିଁଥିଲେ ପଥ ତୋର

ପରାଣ ଆକୁଳେ ।’’

‘‘ଜୟ ହେ ଯୁଗଳସଖା

ଶ୍ୟାମ ଗୌରତନୁ ।

ସମ୍ମୁଖରେ ନାଚୁଥାଅ

ନ ଯାଅ ନୟନୁ ।

ଜୟ ଲକ୍ଷ୍ମୀନାରାୟଣ

ବୈକୁଣ୍ଠ ସୁନ୍ଦର

ଜୟ କଇବଲ୍ୟଦାତା

ଭକତବତ୍ସଳ ।

ଭକତି-ବିଶ୍ୱାସ ଯାହା

ବଡ଼ ବୋଲି ଘେନ,

ସେସବୁ ତ ତୋର କୃପା

ତୋର ପ୍ରେମଦାନ ।

ବିଶ୍ୱାସ- ଭକତି ଦିଅ,

ନାଚୁ ପ୍ରାଣ ପୂରି,

ଯାଉ ପ୍ରାଣ, ତୁଣ୍ଡ କହୁ-

ଥାଉ ହରି ହରି ।

Image

 

ଭିକାରୁଣୀ ପୁଅ

 

ଛୋଟ ଗ୍ରାମଟିରେ ରହେ

ବିଧବା ବ୍ରାହ୍ମଣୀ,

ବଞ୍ଚେ ଭିକ୍ଷା କରି, ପ୍ରେମେ

ବିଷ୍ଣୁନାମ ଗୁଣି ।

ଛଅ ବରଷର ଶିଶୁ

ନାମ ତା ମୋହନ;

ଦୁଃଖିନୀର ଗଣ୍ଠିଧନ

ବିଧବା-ଜୀବନ ।

ଭିକ ଆଣି ରାନ୍ଧି ଦିଏ

ପୁଏ ପୂରା ଗ୍ରାସ,

ନ ବଳିଲେ, ନାମ ନିଏ,

ରହେ ଉପବାସ ।

ଗ୍ରାମେ ରହିଛନ୍ତି ବହୁ

ଧନୀ, ଅର୍ଥପତି;

ବିଧବାର ଦୁଃଖେ କାର

ନ ବଳଇ ମତି ।

ଅନ୍ତରର ଦୁଃଖ ରଖି

ଅନ୍ତରେ ସାଇତି,

ଉଦାସେ ଜପଇ ନାମ,

ଯାଏ ଦିନ ବିତି ।

ବିଧବା ମନରେ ଭାବେ,

ବ୍ରାହ୍ମଣ-କୁମର,

ଦି ଅକ୍ଷର ନ ପଢ଼ିବା

ନୁହେ ତ ସୁନ୍ଦର୍ ।

ଦୁଇ କୋଶେ ଦୂର ଅଛି

ପାଠଶାଳା ଜାଣି,

ପୁଅକୁ ସଙ୍ଗରେ ଘେନି

ଚଳିଲା ବ୍ରାହ୍ମଣୀ ।

ହାତଗୋଡ଼ ଧରି ଗୁରୁ

ରାଜି କରାଇଲା;

ଅବୋଧ ଶିଶୁକୁ ପଦେ

ସମରପି ଦେଲା ।

‘‘କି ଦେଇ ତୋଷିବି ଗୁରୁ

ଦୀନା ଭିକାରୁଣୀ,

ଜ୍ଞାନଦାନ କର’’ କହେ,

‘‘ଥିବି ଚିରୠଣୀ ।’’

ଚାରି କୋଶ ଯାଇ ଆସି

ପଢ଼େ ଶିଶୁ ନିତି,

ବାଟରେ ଜଙ୍ଗଲ ପଡ଼େ

ଲାଗେ ବଡ଼ ଭୀତି ।

କେବେ ବେଳ ବୁଡ଼େ ମାଡ଼ି

ଆସଇ ଅନ୍ଧାର,

ସାଥୀ ନାହିଁ, ଶିଶୁପ୍ରାଣ

ହୁଅଇ କାତର ।

ସବୁରି ତ ଆସିଥାନ୍ତି

ଘରଠୁଁ ଚାକର,

ମୋହନର କିଆଁ ନାହିଁ,

ଭାଳେଣି ତାହାର ।

ଅନ୍ତର ଫିଟାଇ ଦୁଃଖ

କହିଲା ମାଆକୁ,

‘‘ଆମର କି କେହି ନାହିଁ

ବାଟେ ଜଗିବାକୁ ?

ମାଆ ଲୋ ! ବାଟରେ ବଣ,

ମାଡ଼େ ବଡ଼ ଡର,

ଅନ୍ଧାର ହୋଇଲେ ଦେହ

କମ୍ପେ ଥରଥର ।’’

ବିଧବା କୁମର ଦୁଃଖ

ନ ପାରିଲା ସହି;

ଚକ୍ଷୁ ଫାଟି ଝର ଝର

ଅଶ୍ରୁ ପଡ଼େ ବହି ।

କୁମରକୁ କୋଳେ ଧରି

ଦିଅଇ ଚୁମ୍ବନ,

‘ଅଛନ୍ତି, ଅଛନ୍ତି’ ଭାଷେ

ମଧୁର ବଚନ ।

‘‘ଅଛନ୍ତି ଗୋପାଳ ସେ ତ

ଦେଖୁଛନ୍ତି ସବୁ;

ରହିଛନ୍ତି ସବୁ ସ୍ଥାନେ

କିଆଁ ଭୟ ବାବୁ ?’’

‘‘ସତେ, ସତେ, ମାଆ ! ତେବେ

ଅଛନ୍ତି ତ ଜଣେ ।

‘‘କି ବୋଲି ଡାକିବି ତାଙ୍କୁ

ଭୟ ହେଲେ ମନେ ?’’

‘‘କି ବୋଲି ଡାକିବୁ ? କିଆଁ ?

‘ହେ ଗୋପାଳ ଭାଇ’

ଡାକ ଦୃଢ଼େ ସେ ତ ନିଶ୍ଚେ

ଆସିବଇଁ ଧାଇଁ ।’’

ଅନ୍ତର-ଉଲ୍ଲାସେ ଶିଶୁ

ନାଚେ ମାତୃକୋଳେ,

ମାତାର ଲୋତକଧାର

ପୋଛଇ ଅଞ୍ଚଳେ ।

‘‘କିଆଁ କାନ୍ଦୁ ମାଆ ?’’ କହେ,

‘‘ଦୁଃଖ କର ଦୂର;

ଗୋପାଳ ଭାଇଙ୍କୁ ସବୁ

କହିବି ଏଥର ।’’

ମାଆ-ବୁଝନ୍ତୁ ଗୋପାଳ ଭାଇ

ତୋର ସବୁ କଥା

ମୁଁ ତ ଭିଖାରୁଣୀ ଆଶ୍ରା

କରିଛି ସର୍ବଥା ।

ମହାଭାବେ ବୁଡ଼େ ମାଆ,

ରାତି ଗଲା ପାହି;

ହରଷେ ମୋହନ ପଥେ

ଚାଲେ ଗୀତ ଗାଇ ।

ଯୋଗକୁ ବୁଡ଼ିଲା ଦିନ

ଫେରଇ ମୋହନ,

‘‘ହେ ଗୋପାଳ ଭାଇ ବୋଲି

ଡାକେ ଦେଖି ବନ ।

ଘନ ଘନ ଡାକ ଛାଡ଼େ

ହେ ଗୋପାଳ ଭାଇ !

ଅନ୍ଧାରେ ମାଡ଼ୁଛି ଡର

ଲୁଚ ନା ତ ତୁହି ।’’

ବାଳୁତ ବିମଳ ପ୍ରାଣ,

ଶୁଦ୍ଧ ସେ ବିଶ୍ୱାସ,

ଭକତର ଆର୍ତ୍ତ ଡାକ,

ପରାଣର ପ୍ରାସ,

ତରଳାଇ ଦେଲା ପ୍ରାଣ

ଆସିଲେ ତ ଧାଇଁ,

ଭକତବତ୍ସଳ ପ୍ରଭୁ

ସେ ତ ଭାବଗ୍ରାହୀ ।

ବାଳକ ଦେଖଇ ଦିବ୍ୟ

ଜ୍ୟୋତି-ପରିସରେ

ତା ଗୋପାଳ ଭାଇ ହସି

ହସି ନୃତ୍ୟକରେ ।

ନୀଳ-ନବଘନ-ଶ୍ୟାମ,

ସୁରଙ୍ଗ ଅଧର,

ମୁଖେ ସୁମଧୁର ହାସ

ଶିରେ ଶିଖିଚୂଳ,

କୁଞ୍ଚି କୁଞ୍ଚି କେଶ ଦାମ,

ମୁଖ ଦିଶେ ତୋରା,

କଣ୍ଠରେ ରତନମାଳା

ହାତେ ବଂଶୀ ପରା ।

ବାହୁରେ ବଳୟ ଯୋଡ଼ି

ଦିଶେ କି ସୁନ୍ଦର ।

ପିନ୍ଧିଛି ଯତନେ ଭିଡ଼ି

କାଛା ପୀତାମ୍ବର ।

ନାଚି ନାଚି ଆସେ ଭାଇ,

କେବେ ଠିଆହୁଏ;

ବଙ୍କିମଠାଣିରେ ରହି

ମୁରଲୀ ବଜାଏ ।

‘‘ଆରେ ବାଃ ! ଆରେ ବାଃ !

ଆସ ମୋ ଗୋପାଳ ଭାଇ,

କୁଣ୍ଢାଇ ଧରିବି ଆଉ

ଛାଡ଼ିଦେବି ନାହିଁ ।’’

ଦୁଇ ଭାଇ କୋଳାକୋଳି,

କେତେ ନାଚ ରଙ୍ଗ,

ନାଚିଲେ ପାଦପଲତା,

ନାଚିଲେ କୁରଙ୍ଗ ।

ଭାଇର ମୋହନ ବେଶ

ଦେଖଇ ମୋହନ,

ଯେତେ ଦେଖିଲେହେଁ ସେ ଯେ

ଦିଶଇ ନୂତନ ।

କି ବିଚିତ୍ର ଭାଇ ତୁ ରେ

ପାଇଲୁ ମୋହନ ।

ଗଲା ତୋ ସଂସାର-ଭୟ,

ଧନ୍ୟ ତୋ ଜୀବନ ।

ହାତ ଧରି ଭାଇ ଚାଲେ

କଢ଼ାଇଣ ବାଟ,

ଗ୍ରାମ ପାଶେ ଛାଡ଼ି କହେ,

‘କାଲି ହେବ ଭେଟ ।’’

ମୋହନର କି ଆନନ୍ଦ,

କେ ପାରିବ କହି ?

ମାଏ କହେ, ‘‘କି ସୁନ୍ଦର

ମୋ ଗୋପାଳ ଭାଇ ।

କି ଯୋଗର ମାଆ ଆଜି

ପାଇଥିଲା ରାତି,

ଦେଖିଲି ଗୋପାଳ ଭାଇ,

ତା ଦିବ୍ୟ ମୂରତି ।

କାହା ଘରେ ଅଛି ମାଆ

ଏ ସୁନ୍ଦର ପଲା ?

ତା ପାଦଧୂଳିକି କିଏ

ସରିହେବ ପରା ।

ନାହିଁ, ନ ଥିବ ତ ପୁଅ

ତା ଭଳି ଜଗତେ,

ହରଷେ ନାଚିଲି ମୁହିଁ,

ଖେଳିଲୁ ତ କେତେ !

ଗ୍ରାମ ପାଖେ ଛାଡ଼ି ଭାଇ

ହୋଇଲା ଅନ୍ତର,

କହେ, ପରେ ଦେଖାହେବ’

ବଚନ ମଧୁର ।’’

କୋଳେ ଧରି ମାଆ ପୁଏ

ପାଇଲେ ପରଶ

ଗୋପାଳର, ଦ୍ରବେ ପ୍ରାଣ,

ମହାଭାବାବେଶ ।

ମୋହନ ମୋହନ ନୁହେ;

କେତେ ବଡ଼ ଦିଶେ ।

ପରାଣେ ବିଜୁଳି ଖେଳେ

ପରଶେ ପରଶେ ।

ବୁଝିଲା କାଙ୍ଗାଳ-ଧନ

କୃପାମୟ ହରି

ଶୁଣିଲେ କରୁଣ ଡାକ

ଦୀନେ କୃପା କରି ।

ଦ୍ରୌପଦୀ ଆରତ-ଡାକ,

ଗଜେନ୍ଦ୍ର-କାକୁତି,

ବଜ୍ରନାଦେ ଶୁଭିଥିଲା

ମୃଗୁଣୀର ସ୍ତୁତି ।

ନିରାଶ୍ରୟ ବାଳକର

ଶୁଦ୍ଧ ପ୍ରେମଡାକ

ନ ଶୁଣିଲେ ରହନ୍ତା କି

କେଭେଁ ପ୍ରଭୁ ଟେକ ?

ମାଆ ପୁଅ ଭାବେ ଭୋଳ

ରାତି ଗଲା ପାହି

ହସି ପୁଅ ଚାଲେ ପଢ଼ି,

ଭୟ ଲେଶ ନାହିଁ ।

କେବେ ହେଲେ ଭୟ, ଡାକେ,

‘‘ହେ ଗୋପାଳ ଭାଇ !

ବଡ଼ ଡରମାଡ଼ୁଛି ମ !

ଆମ ବେଗେ ଧାଇଁ ।’’

ଗୋପାଳ ଆସନ୍ତି ଧାଇଁ

ଭାଇ ହାତ ଧରି

କଢ଼ାନ୍ତି ବାଟ, ଲୁଚନ୍ତି

ବନ କରି ପାରି ।

ପାଠଶାଳାରେ ଦିନେକ

ପଡ଼ିଲା ବିଚାର,

ଗୁରୁ ପିତୃଶ୍ରାଦ୍ଧ, ଦେବ

କିଏ କି ବେଭାର ।

ଘିଅ, ଦୁଧ, ଆଳୁ, ମାଛ,

ସାରୁ, ବାଇଗଣ,

ଶକ୍ତି ଦେଖି ବାଣ୍ଟିନେଲେ

ଛାତ୍ର ଜଣ ଜଣ ।

ମୋହନ ଭିକାରୀ ପିଲା

ତାହା ଆଡ଼େ କେହି

କି ଦେବ ସେ ? ଅନାଦରେ

ଚାହିଁଲେ ତ ନାହିଁ ।

ବାଧିଲା ବାତୁଳ ପ୍ରାଣେ,

ନେତ୍ରୁ ଝରେ ନୀର;

‘‘କି ଦେବି ମୁଁ ଗୁରୁଦେବ ।’’

କହେ ‘‘ଆଜ୍ଞାକର ।’’

‘‘ହଉ, ହଉ, କି ଦେବୁ ତୁ !

ଆଣ ଢାଳେ କ୍ଷୀର;

ସେତିକି ଯଥେଷ୍ଟ ତୋର

ଗରିବର ଘର ।’’

ମାତା ପାଶେ ପୁଅ କହେ,

ଶ୍ରାଦ୍ଧ ଗୁରୁଘରେ

କାଲି ଢାଳେ ଦୁଧ ନେବି

ଚାନ୍ଦା ଅଛି ମୋରେ ।’’

ଭିକାରୁଣୀ ମାଆ କାହୁଁ

ଯୋଗାଡ଼ନ୍ତା କ୍ଷୀର,

କହିଲା ଗୋପାଳ ଦେବ

ନ ହୁଅ ଅଧୀର ।

ଜଗତର ଭାର ଯେହୁ

ଅଛି ଶିରେ ବହି,

ତୋରେ କ୍ଷୀର ଯୋଗାଇବ

ନିଅ ବାଟେ କହି ।’’

ହରଷେ ମୋହନ ଚାଲେ,

ହେଲା ବନ ପାଶ;

ଡାକଇ ‘‘ଗୋପାଳ ଭାଇ !

ଆସ, ବେଗେ ଆସ ।’’

ଆସିଲେ ଗୋପାଳ ଭାଇ,

ହାତେ କ୍ଷୀର ଢାଳ

ଭାଇ ହାତେ କ୍ଷୀର ଦେଇ,

ଲୁଚନ୍ତି ଚଞ୍ଚଳ ।

ହାତେ କ୍ଷୀରଢ଼ାଳ ଚାଲେ

ଫୁଲାଇଣ ଛାତି,

ମିଳିଲା ପାଠଶାଳାରେ

ମୋହନ ଝଟତି ।

ଶ୍ରାଦ୍ଧଦ୍ରବ୍ୟ ଯୋଗଡ଼ରେ

ଲାଗିଛନ୍ତି ଗୁରୁ,

ଜିନିଷ ରଖନ୍ତି ପୁଚ୍ଛି

ପ୍ରତି ଛାତ୍ରଠାରୁ ।

ମୋହନ ଦେଖାଇ କହେ,

‘‘ନିଅ କ୍ଷୀରଢାଳ ।’’

ସାମାନ୍ୟ କ୍ଷୀରରେ କାର

ନ ହେଲା ଆଦର ।

କହି କହି ଶେଷେ ଉଚ୍ଚେ

କାନ୍ଦଇ ମୋହନ,

‘‘ବକଟେ ଆଣିଛି କ୍ଷୀର,

ଦେଖ ତା ଗୁମାନ !’’

କହନ୍ତି ଶିକ୍ଷକ, ‘‘ନିଅ,

ରଖିଦିଅ ଆଗ,

ଛାର ଭିକାରୁଣୀ ପୁଅ,

କାଢ଼ୁଛି ସୁଆଗ ।’’

କାନ୍ଦିଲା ମୋହନ ଅପମାନେ

ଲୁହ ଝରେ,

ଢାଳରୁ ଢାଳନ୍ତି ତେଣେ

କ୍ଷୀର ନାହିଁ ସରେ ।

ପୂରିଲା ବାଲଟି ଗରା

ହଣ୍ଡା ହାଣ୍ଡି ଯେତେ,

କ୍ଷୀର ତ ନ ସରେ ତିଳେ,

ଅଛି ଯେତେ ସେତେ !

ଗାଆଁ ଗଣ୍ଡା ଚାରିଆଡ଼ୁ

ଆସି ରୁଣ୍ଡ ଲୋକେ;

ଅଦ୍ଭୁତ ସେ କ୍ଷୀର ଦେଖି

ପରଖନ୍ତି ଥୋକେ ।

ପ୍ରଭୁଙ୍କ ହାତରେ କ୍ଷୀର

ଅକ୍ଷୟ ହୋଇଲା,

କହନ୍ତି, ‘ଅଦ୍ଭୁତ ଏ ଯେ

ଆଖି ନ ଦେଖିଲା ।’

କ୍ଷୀରେ ଖିରିପିଠା ହେଲା,

ସର ରସାବଳି,

ରାବେଡ଼ି, ଖିରିମୋହନ,

ଲଡ଼ୁ, ସରପୁଳି ।

ଖିରିପିଠା ଥୁଆ ହେଲା,

ଘର ଘର ପୂରି;

ମହକ ତା ଚହଟିଲା

ମୁଗ୍‌ଧ ନରନାରୀ ।

ଶ୍ରାଦ୍ଧପତ୍ରେ ବଢ଼ାହେଲା

ଯେତେ ପିଠାଖିରୀ,

ତା ଦିବ୍ୟ ସୁବାସେ ଶ୍ରାଦ୍ଧ -

ଘର ଗଲା ପୂରି ।

ପିଣ୍ଡ ଧରି ପିତୃଲୋକେ

ଡାକନ୍ତି ଶିକ୍ଷକ,

ସଦେହେ ଘେନନ୍ତି ପିଣ୍ଡ,

ଦେଖୁଛନ୍ତି ଲୋକ ।

‘ତୃପ୍ତ’, ‘ତୃପ୍ତ’ କହି ପିତୃ-

ଗଣ ଗଲେ ଫେରି,

ବ୍ରାହ୍ମଣ ପଙ୍ଗତ ବସେ

ଲାଗେ ଦିବ୍ୟ କ୍ଷୀରି

କ୍ଷୀରି ନୁହେ ସରଗର

ଅମୃତ ସେ ଅବା ।

ସହସ୍ର ସହସ୍ର ତୁଣ୍ଡେ

‘ବାହାବା ! ବାହାବା !’

ଶେଷରେ ବସନ୍ତି ଗୁରୁ

ଛାତ୍ର ଧାଡ଼ି ଧରି,

ପଡ଼ଇ ସକଳ ପ୍ରାଣ

ଆନନ୍ଦେ ଉଛୁଳି ।

ଖିରିପିଠା ଖାଇ ଲୋକେ

ଗଲେ ଯେଝା ଘରେ;

ମୋହନକୁ ଡାକି ଗୁରୁ

ପୁଚ୍ଛନ୍ତି ଆଦରେ ।

ଗୁରୁ-କାହୁଁ ପାଇଲୁ ଏ କ୍ଷୀର

କହ ତ ମୋହନ ।

ତୋ କ୍ଷୀର ଘେନି ଆଜି

ଶ୍ରାଦ୍ଧ ମୋର ଧନ୍ୟ ।

ମୋହନ-ଡାକିଲି, ଗୋପାଳ ଭାଇ

ଆଣିଦେଲେ କ୍ଷୀର;

ସେ ତ ମୋର ବଡ଼ଭାଇ,

ବାଟେ ସାଥୀ ମୋର ।

ବାଣବାଟେ ଅନ୍ଧକାରେ

ଭୟ ହେଲେ ମୋରେ;

ହାତ ଧରି ଚଳାନ୍ତି ସେ,

ଡାକିଦେଲେ ଥରେ ।

ଗୁରୁ-ରହ ତେବେ ବାବୁ ! ତୋର

ସଙ୍ଗେ ଯିବି ମୁହିଁ,

ଦେଖାଇଦେବୁ କି ବାରେ

ତୋ ଗୋପାଳ ଭାଇ ?

ମୋହନ-ଆସନ୍ତୁ ନା ଗୁରୁଦେବ !

ଦେଖିବେ ତ ଯାଇ,

ଡାକିବି ‘ଗୋପାଳ ଭାଇ’,

ଆସିବେ ସେ ଧାଇ

ବଣର ନିକଟେ ହେଲେ,

ଡାକିଲା ମୋହନ;

ଉଚ୍ଛସ୍ୱରେ ତାନ ତୋଳି

ଡାକେ ଘନ ଘନ ।

ଆଜି କି ବିଚିତ୍ର କଥା,

ତା ଗୋପାଳ ଭାଇଁ,

ଯେତେ ଡାକିଲେ ହେଁ

କିଆଁ ପାଖେ ପଶୁନାହିଁ ।

‘‘କିଆଁ ଡାକୁଅଛୁ ?’’ ଶୁଭେ,

‘‘ଆଜି ନାହୁଁ ଏକା,

ଗୁରୁ ଯାଉଛନ୍ତି ସଙ୍ଗେ,

ନାହିଁ ଭୟ, ଦକା ।’’

ମୋହନ ଆତୁରେ କହେ,

‘‘ଗୁରୁଜି ତୁମକୁ

ଦେଖିବେ କହନ୍ତି ବେଗେ

ଦେଖାଦିଅ ତାଙ୍କୁ ।’’

ବନସାରା ଖେଳେ ଜ୍ୟୋତି

ଶ୍ୟାମଳବରଣ,

ଆସିଲେ ଗୋପାଳ ଭାଇ

ଦେଖିଲା ମୋହନ ।

ମୋହନ-ଦେଖନ୍ତୁ ହେ ଗୁରୁଦେବ !

ଭାଇ କି ସୁନ୍ଦର ।

ଶିରରେ ମୟୁରଚୂଳ,

ଗଳେ ରତ୍ନମାଳା,

ବାହୁରେ ବଳୟ ବେନି,

ପାଦରେ ନୂପୁର,

ହସ୍ତେ ଶୋହେ ବଂଶୀ,

କଟିତଟେ ପୀତାମ୍ବର !

ଗୁରୁ-ଦିଶୁନାହିଁ ମୋତେ କିଛି,

ଖାଲି ଶ୍ୟାମଜ୍ୟୋତି ।

ମୋହନ-ମୋ ରାଣ ! ଗୁରୁଙ୍କୁ ଭାଇ !

ଦେଖାଅ ମୂରତି ।

ଗୋପାଳ-ତୋ କଥା ସ୍ୱତନ୍ତ୍ର ବାବୁ !

ବିଶ୍ୱାସ ସରଳ,

ଅନ୍ତର ତ ଶୁଦ୍ଧଭାବେ,

ପ୍ରେମେ ଢଳଢଳ;

ତୁ ଦେଖିଲୁ ବୋଲି ଗୁରୁ

ଦେଖନ୍ତେ କି ସତେ ।

ତୋ ଯୋଗୁଁ ଦେଖିଲେ ଜ୍ୟୋତି,

ଗଲା ପାପ ଯେତେ ।

ପ୍ରେମେ ବିସ୍ଫାରିତ ଗୁରୁ

ଦେଖି ଦିବ୍ୟ-ଜ୍ୟୋତି;

ମଧୁ ଦିବ୍ୟବାଣୀ ଶୁଣି

ଧନ୍ୟ କଲେ ଶ୍ରୁତି ।

ମୋହନ ପରାଣ କିନ୍ତୁ

ଅତି ହିଁ ଆତୁର,

ଦେଖି ନ ପାରିଲେ ଗୁରୁ

ଭାଇଙ୍କୁ ତାହାର ।

ଶିଷ୍ୟ ହସ୍ତ ଧରି ଗୁରୁ

ମିଳିଲେ ମନ୍ଦିରେ

ଶିଷ୍ୟହସ୍ତୁ କି ବିଦ୍ୟୁତ

ଅଙ୍ଗେ ଅଙ୍ଗେ ଖେଳେ ।

ମନ୍ଦିରେ, ବାହାରେ ଏବେ

ଘନଶ୍ୟାମ-ଜ୍ୟୋତି ।

ଆତ୍ମହରା ହୋଇ ଗୁରୁ

ଭିତରେ ଦେଖନ୍ତି;

ଦେଖିଲେ ଜ୍ୟୋତିମଣ୍ଡଳେ

ବିଧବାର କୋଳେ

ଗୋପାଳ ପୋଛନ୍ତି, ମାଆ-

ଲୁହ କୁତୂହଳେ ।

ଦେଖ ଗୁରୁ ଚକ୍ଷୁ ଫେଡ଼ି

ଅପରୂପ ଛବି;

ଗୁରୁ ଶିଷ୍ୟେ ବଡ଼ କିଏ

କହିବ କି ଭାବି ?

ଭିକାରୁଣୀ ଗଣ୍ଠିଧନ

ଦେଖିଲ ତୁ ଗୁରୁ ।

‘‘ସ୍ୱର ଭିକାରୁଣୀ ପୁଅ !’’

ମୁଖୁଁ ନ ବାହାରୁ ।

ଜୟ ଜୟ ଗୋପୀନାଥ,

ଜୟ ନନ୍ଦବାଳ !

ଆଖିକି ନ ଦିଶେ ପଥ,

ହୁଏ ମୁଁ ବାଚାଳ ।

ଅନ୍ତରେ ଘୋର ଅନ୍ଧାର,

ଦିବ୍ୟ-ଜ୍ୟୋତି ଜାଳି

ଦେଖାଅ ସୁଗମ ପଥ

ଚାଳ ବନମାଳୀ ।

ସୁତସୁତା ଦେଲୁ କାହିଁ

ନ ଦେଖଇ ସୁଖ ।

କୋଳେ ଆସ ନନ୍ଦସୁନୁ

ଦେଖେ ଚନ୍ଦ୍ରମୁଖ !

Image

 

ମାରଣାର ସାଯୁଜ୍ୟ ମୁକ୍ତି

 

ଶୁଦ୍ଧ ବଇଶାଖ ମାସ

ଶୁକ୍ଲପକ୍ଷ ରାତି

ସେ ତ ଧନିକର ଘର

ବିପୁଳ ସମ୍ପତ୍ତି ।

ଦାଣ୍ଡେ ସୁପ୍ରଶସ୍ତ ବେଦୀ

ପୁରାଣ ମଣ୍ଡପ,

ହୁଏ ଭାଗବତ ପାଠ,

ଜଳେ ସ୍ୱର୍ଣ୍ଣଦୀପ ।

ଗାଆନ୍ତି ମଧୁର କଣ୍ଠେ

ପଣ୍ଡିତ ଉତ୍ତମ,

ଶୁଭୁଛି ସରସେ ଫୁଟି

ରାମକୃଷ୍ଣ ନାମ ।

ପିଣ୍ଡା ଘର ପୂରି

ଚତୁର୍ଦ୍ଦିଗେ ଜମା ଲୋକେ,

ମଣ୍ଡପରେ ବସିଛନ୍ତି

ବଡ଼ ବଡ଼ ଥୋକେ ।

ହେଉଅଛି ପାଠ କୃଷ୍ଣ

ଦିବ୍ୟ ବାଳଲୀଳା,

ଭାବର ଲହରୀ ପ୍ରାଣୁଁ

ପ୍ରାଣେ କରେ ଖେଳା ।

ମାରଣା ପଶିଛି ଘରେ

ଖୋଜେ ଅନ୍ଦି କନ୍ଦି,

ସାର ସାର ଧନ ଦ୍ରବ୍ୟ

ଥୋଉଅଛି ବାନ୍ଧି ।

ସୁମଧୁର କୃଷ୍ଣନାମ

ବାଜେ କର୍ଣ୍ଣେ ତାର,

ଶୁଣିଲା ସେ ସ୍ଥିର ହୋଇ

କିବା ସମାଚାର ।

ପଡ଼ିଅଛି ବାଳଲୀଳା,

ପାହୁଅଛି ରାତି,

କୋଳରେ କହ୍ନାଇ ନନ୍ଦ

ଗୋଧନ ଦୁହନ୍ତି ।

କଣ୍ଟକିତ ତନୁ, ନେତ୍ରୁଁ

ବହେ ପ୍ରେମଧାର,

କୋଳେ କଇବଲ୍ୟଦାତା

ପ୍ରାଣର ଦୁଲାଳ ।

ବାର ବାର ନିରେଖନ୍ତି

ତନୟ ଶ୍ରୀମୁଖ

ବାର ବାର ଚୁମ୍ବ ଦ୍ୟନ୍ତି

ତାଙ୍କ ଭାଗ୍ୟ ଦେଖ ।

ସରିଲା ଗୋଧନ ଦୁହାଁ;

ଦୁଗ୍‌ଧ ଘଟ ଧରି

ପୁତ୍ରତୁଣ୍ଡେ ସଦ୍ୟ ଦୁଗ୍‌ଧ

ନନ୍ଦ ଦେଲେ ଢାଳି ।

ଶୁଭିଲା ନୂପୁର ଧ୍ୱନି

ଆସିଗଲେ ରାମ,

ପିଇଲେ ତାଙ୍କର ଭାଗ,

ନନ୍ଦ ପୂର୍ଣ୍ଣକାମ ।

ଭାଇ ଦୁଇ ଚଳିଯାନ୍ତି

ଯଶୋଦା-ମନ୍ଦିରେ

ନୀଳପୀତ କାଛା ଧରି

ମାତା ଉଭା ଦ୍ୱାରେ ।

ପିନ୍ଧାଇଲେ ଭିଡ଼ି କାଛା,

ସଜାଡ଼ିଲେ ବେଶ,

ଖଞ୍ଜିଦେଲେ ଶିଖିପୁଚ୍ଛ

ବିନ୍ୟାସିଣ କେଶ ।

ଶ୍ରେଷ୍ଠ ଦୁଇ ମଣି ଦୁଇ

ଚୂଳେ ଖଞ୍ଜି ଦେଲେ;

ସଂସାର-ସମ୍ପଦ ସରି

ହେବ ନି ତା ତୁଲେ ।

ବକ୍ଷେ କଉସ୍ତଭମଣି,

ଗଳେ ରତ୍ନହାର,

ବାହୁରେ ବଳୟ ଦେଲେ,

ଚରଣେ ନୂପୁର ।

କେତେ କେତେ ଅଳଙ୍କାର

ନାହିଁ ତାର ମୂଲ

ଧରଣୀର ଧନ ଅଳ୍ପ,

ସରଗେ ଅତୁଳ ।

ବେଶ ବାନ୍ଧି ପ୍ରେମେ ମାତା

ଚୁମ୍ବନ୍ତି ବଦନ;

ସେ ଚୁମ୍ବନେ ସ୍ୱର୍ଗସୁଖ

ଦିଶିଲା ମଳିନ ।

ଛନ୍ଦଣି ବନ୍ଧଁଣି ବଂଶୀ

ହାତେ ଦୁଇ ଭାଇ,

ଚାଲିଲେ ଯମୁନାକୂଳେ

ଗୋଧନ ଚରାଇ ।

ତୋଳି ଫୁଲ ବନମାଳେ

ଶ୍ରୀଅଙ୍ଗ ଭରିବେ

କଦମ୍ବମୂଳରେ ରଙ୍ଗେ

ବଂଶୀ ବଜାଇବେ ।

ଶୁଣିଲା ମାରଣା, କିବା

ଭାବିହୁଏ ଠିଆ,

ଭାବିଲା, ‘‘ଏ ଛୋଟ ଚୋରି

କରିବି ମୁଁ କିଆଁ ?

ଦୁଇ ବାଳକଙ୍କ ପିଛା-

ଧରି ଯିବି ବନେ,

ହରିବି ଭୂଷଣ, ହେବି

ଆଚ୍ଛା ଧନୀ ଜଣେ ।’’

ଚୋରି ମାଲ ଛାଡ଼ି ଦାଣ୍ଡେ

ଆସିଲା ମାରଣା

ପଣ୍ଡିତେ ପଚାରି ଭଲେ

ବୁଝିବ ଘଟଣା ।

ପଣ୍ଡିତେ ଫେରନ୍ତି ଘରେ

ହେବ ଅଧରାତି,

ଦୁଆରେ ଦେଖନ୍ତି ଭୀମ

ମାରଣା ମୂରତି ।

‘‘ଗୋସାଇଁ ! କହିଲୁ ତୁ ତ’’

ପୁଚ୍ଛଇ ମାରଣା,

‘‘ନନ୍ଦପିଲା ରାମ କୃଷ୍ଣ

ଅଳଙ୍କାର ନାନା,

କୋଟି କୋଟି ଟଙ୍କା ହେବ

ଆଚ୍ଛା ଆଚ୍ଛା ମାଲ,

ସଂସାରରେ ନାହିଁ ସରି

ସରଗେ ଅତୁଳ ।

ଚୋର କରୁଥିଲି ଘରେ

ବାଜିଲା ମୋ କାନେ,

ଥରକରେ କେତେ ଧନ !

ଭାବେ ମନେ ମନେ,

ମୁଁ କିଆଁ କରିବି ଚୋରି

ପଶି ଘରେ ଘରେ,

ଜୀବନକୁ ସୁଖୀ ହେବି

ଚୋରି କରି ଥରେ ।

ମାରଣା ମୁଁ, ଡର ନାହିଁ

ପଡ଼ିଗଲେ ବାଗ

ଲୁଟିବି ସେ ଅଳଙ୍କାର,

ବତାଅ ତ ଆଗ ।

ଠିକ୍ କଥା କହୁଛ ତ,

ଦେଖ ମୁଁ ମାରଣା,

ଦେଖ ମୋର ଠେଙ୍ଗା

ମୁଣ୍ଡ କରିଦେବି ଚୂନା ।

ଥରକରେ ଯେବେ ଏତେ

ବିଭବ ମିଳିବ,

ଅଧେ ଅଧେ ନେବା, ମୋର

ବହୁତେ କି ହେବ ?

ନାହିଁ ବାଳବଚା, ନାରୀ

ନାହିଁ ଧନେ ସଧ,

ପୋଡ଼ା ପେଟ ପାଇଁ ସବୁ

ଲାଗିଅଛି ଯୁଦ୍ଧ ।

ସତ ସତ କହ ତେବେ,

ମୁହିଁ ତ ମାରଣା,

କେତେ ଦୂରେ, କେଉଁ ଦିଗେ,

କହ ତ ଠିକଣା ।

‘‘କଳା ଧଳା ଦୁଇ ଭାଇ

ଶିରେ ଶିଖିଚୂଳ,

ଗୋଗୋଷ୍ଠ ଫେରାନ୍ତି ଘରେ

ବୁଡ଼ିଗଲେ ବେଳ ।

ବନମାଳେ ମଣ୍ଡିଥାନ୍ତି

ସମସ୍ତ ଶରୀର,

ବୁଦ୍ଧିଆସେ, ନୋହିଲେ ତ

ଲୁଟି ନେବେ ଚୋର !

ମୂରଲୀ ବଜାନ୍ତି ନିତି

ନାଚି ନୀପମୂଳେ,

ମାରଣା ଧରିବେ ପିଛା

ନ ଭାବନ୍ତି ତିଳେ ?’’

‘‘ଥାଅ, ଥାଅ ପଣ୍ଡିତ ହୋ !

ମୋ ମନ ଉଚ୍ଛନ୍ନ;

ମାରଣା ତ ପିଛା ଧରି

ଲୁଟି ବେଣି ଧନ ।

ଗୋଟି ଗୋଟି କରି ଆଚ୍ଛା,

କହ ଆଉ ଥରେ,

କିଏ କେଉଁ ଅଳଙ୍କାର

କେଉଁ ଅଙ୍ଗେ ଭରେ ।’’

ମାରଣାର ମୂର୍ଖପଣ

ଦେଖି ଦ୍ୱିଜ ହସେ,

ଘରୁ ପୋଥି ଆଣି

ହସି ହସି ପଢ଼ି ବସେ ।

କହେ ‘‘ପୋଥି କଥା ମିଛ

ହେବ କି ମାରଣା !

ତପନ ପଡ଼ିବେ ଖସି,

ଧରା ହେବ ଚୂନା ।

ରାମ କୃଷ୍ଣ ବେନିଙ୍କର

ଚରଣ କମଳେ

ସୁନାର ନୁପୂର ରୁଣୁ

ଝୁଣୁ ଧ୍ୱନି କରେ ।

କଟିରେ ସୁବର୍ଣ୍ଣ ସୂତା

ମାଣିକ୍ୟଜଡ଼ିତ

ବିଚିତ୍ର କୌସ୍ତୁଭମଣି

ବକ୍ଷେବିମଣ୍ଡିତ ।

ବାହୁରେ ରତ୍ନକଙ୍କଣ,

କର୍ଣ୍ଣରେ କୁଣ୍ଡଳ,

ଜ୍ୟୋତିରେ ମାନସ ହରେ,

ଗଳେ ରତ୍ନମାଳ ।

ସାର ସାର ମଣିଖଞ୍ଜା

ଚୂଡ଼ା ଶୋଭା କିବା ?

ନୀଳ ଘନେ ତାରାପନ୍ତି

ମନେ ହୁଏ ଅବା !

କୁଞ୍ଚିତ ଅଳକପନ୍ତି

କସ୍ତୂରୀ ତିଳକ,

ମୁଖେ ମନ୍ଦହାସ, ମୋହେ

ଚାହାଣି ଛଟକ ।

କୃଷ୍ଣର ହାତର ସେ ଯେ

ସୁବର୍ଣ୍ଣ ବାଂଶରୀ

ମୂଲ୍ୟ ତାର କେ କହିବ,

ନାଦେ ସୁଧା ଝରି ।

ମାରଣା–ହଉ ହଉ, ଥାଉ କଥା;

ପୁଚ୍ଛେ ପଦ ଦୁଇ,

କେତେ ଦୂରେ, କେଉଁ

ଥାନେ ଭେଟିବି ମୁଁ ଯାଇଁ ?

ପଣ୍ଡିତ-‘‘ଉତ୍ତର ଦିଗକୁ ଯାଅ,

ଦେଖିବ ତ ସ୍ଥାନ,

ବହଇ ଯମୁନା ନଈ,

ଗିରି ଗୋବର୍ଦ୍ଧନ ।

ନଦୀକୂଳେ ନୀପମୂଳେ

ମିଳି ଦୁଇ ଭାଇ,

ସରସେ ନାଚନ୍ତି ରଙ୍ଗେ

ମୂରଲୀ ବଜାଇ ।

କୂଳୁ ଗିରି ପାଦ ଯାଏ

ଶୋଭଇ ପ୍ରାନ୍ତର,

ଚରିଣ ଶୁଣନ୍ତି ଗାଈ

ମୁରଲୀ ମଧୁର ।’’

ଥାଉ ଥାଉ ଯାଏ ମୁହିଁ

କହିଣ ମାରଣା,

ଅନ୍ଧାରେ ଉତ୍ତରେ ଧାଏଁ,

ନାହିଁ ପଥ ଜଣା ।

ଭୋକଶୋଷ ନାହିଁ, ଆଗେ

ଆଗେ ଯାଏ ଚଳି,

ପାଦରେ କଣ୍ଟକ ଫୁଟେ,

ବହେ ଶ୍ରମବାରି ।

ଅନ୍ତରେ ନାଚନ୍ତି ଦୁଇ

ସୁନ୍ଦର ବାଳକ,

ଏକ ଘନଶ୍ୟାମ ତନୁ,

ଗଉର ଆରେକ ।

କେତେ ଗାଆଁ ଗଣ୍ଡା ଗଲା,

ପାହାଡ଼ ପଡ଼ିଲା,

ପାହାଡ଼ ପାଖରେ ସେ ତ

ନଦୀ ନ ଦେଖିଲା ।

ଚାଲେ ଅପନ୍ତରା ବାଟ,

ଉଡ଼େ ବାଆ ଭଳି,

କେତେ ଯେ ଚାଲିଲା

କିଏ ପାରିବ ତା କଳି ?

ଡାକିଲେ ନିଶି ଡଗରା,

କୁଆ କଲେ କାଆ,

ଜାଣିଲା ମାରଣା ଆସି

ହେଲା ପାହାନ୍ତିଆ ।

ପରାଚୀ ଗଗନ ଦିଶେ

ଆରକ୍ତ ସୁନ୍ଦର,

ସମ୍ମୁଖେ ଦେଖଇ ଦସ୍ୟୁ

ଗିରି ମନୋହର ।

ନିକଟେ ଦିଶିଲା ନଈ

ଯାଉଅଛି ବହି,

ଖୋଜିଲା କେଳିକଦମ୍ବ

ରହିଅଛି କାହିଁ ?

ଦି ଚାରି କଦମ୍ବଗଛ

ଯୋଗକୁ ଦେଖିଲା ।

‘ଏଇ ହେବ’ ‘ଏଇ ହେବ’

ମନେ ଠିକ୍ କଲା ।

ନଦୀକୂଳୁଁ ଗିରିତଳ

ଯାଏ ପ୍ରସାରିତ

ରହିଛି ପ୍ରାନ୍ତର ଶ୍ୟାମ

ଦୁର୍ବାଦଳଯୁତ ।

ଦେଖିଲା ଗୋଚରଭୂମି

ତୃପ୍ତି ହେଲା ମନେ,

ଗଛଚୂଳେ ଚଢ଼ି ଦୂରେ

ଚାହିଁଲା ଯତନେ ।

କାହାନ୍ତି ଶ୍ରୀକୃଷ୍ଣ, କାହି

ଶ୍ୟାମଘନ ଦ୍ୟୁତି,

ଆସନ୍ତି କି ବଳରାମ

ଗଉର ମୂରତି ?

ରାତି ହେଲା ସାତ ରାତି

ସରୁ ନାହିଁ କାଳ !

ପୀକ କାକ ରାବ ଦେଲେ,

ନୁହଇ ସକାଳ ।

କଦମ୍ବଚୂଳରେ ଚଢ଼ି

ଚାହେଁ ଚଉଦିଗ,

ମନ ତ ଘୂରଇ, ପ୍ରାଣେ

ଅପାର ଆବେଗ ।

ବାରେ ସେହୁ କାନପାତି,

ବାଜେ କି ମୂରଲୀ,

କଳା ଧଳା ଦୁଇ ଭାଇ

ଆସନ୍ତି କି ଚାଲି ?

ଅଦ୍ଭୁତ ସାଧନା ଚାଲି

ରାତି ହେଲା ଶେଷ,

କି ଭାବେ ନାଚଇ ପ୍ରାଣେ

ସରଳ ବିଶ୍ୱାସ ।

ଫସର ଫାଟିଲା ଏବେ,

ରାତି ଗଲା ପାହି,

ମାରଣା ବ୍ୟାକୁଳ ପ୍ରାଣେ

ତିଳେ ଶାନ୍ତି ନାହିଁ ।

ବୃକ୍ଷଚୂଳୁଁ ଆସେ ତଳେ,

ପୁଣି ଚଢ଼େ ଚୂଳେ

ବାରେ ଦୂରେ ବଂଶୀ ସ୍ୱନ

ଜୀବନ ବିକଳେ ।

ଶୁଭିଲା କି ଦୂରେ, ବହୁ

ଦୂରେ ବଂଶୀସ୍ୱନ ।

ଚୂଳରୁ ଡ଼େଇଁଲା ତଳେ,

ଭୁଲିଲା ମରଣ ।

ପଡ଼ିଣ ମୂର୍ଚ୍ଛିତ ହେଲା,

ହୋସଗଲା ଉଡ଼ି,

ନିକଟେ ଶୁଣିଲା ସ୍ୱନ,

ଉଠେ ଛାଡ଼ି ରଡ଼ି ।

ଦିଶିଲା ଶୀତଳ ଜ୍ୟୋତି

ଶ୍ୟାମଳ ପ୍ରକାଶ,

ଜଗତମୋହନ ଦୁଇ

ଭାଇ ହେଲେ ପାଶ ।

ଗୋରୁପଲ ଯାଉଛନ୍ତି

ଦୂରୁଁ ଦୂରେ ଚରି;

ମଧୁର ମୁରଲୀ ଶୁଣୁ-

ଛନ୍ତି କର୍ଣ୍ଣ ଡେରି ।

ମାରଣା-ଆହା କି ଅପୂର୍ବ ରୂପ,

ଚାରୁ ବିମ୍ବାଧର,

ଚକ୍ଷୁଜ୍ୟୋତିରୁ ସ୍ରବୁଛି

ଅମୃତ-ନିର୍ଝର ।

ଚତୁର୍ଦ୍ଦିଗେ ଯାଏ ଖେଳି

ଅଙ୍ଗର ଝଟକ,

ବହୁ ମୂଲ୍ୟ ବିଭୂଷଣ

ଶୋହେ ଅଙ୍ଗଯାକ ।

ଏଡ଼େ ସୁକୁମାର ଶିଶୁ

ଛନ୍ତି କି ଜଗତେ ।

ଗାଈ ଜଗି ବାପ ମାଏ

ଛାଡ଼ିଲେ କେମନ୍ତେ ?

ଦ୍ରବେ ମୋ ମାରଣା–ତନୁ,

ପ୍ରେମେ କଣ୍ଟକିତ,

ଯେତେ ଦେଖିଲେ ହେଁ

ଚକ୍ଷୁ ନୁହନ୍ତି ତୃପତ ।

ଲୁଟିବି ଗହଣା, ଧିକ୍‍

ନଗଲି ମୁଁ ମରି,

ହାତ କହେ ନୂଆ ସଜ

ଦିଅନ୍ତି ମୁଁ ଭରି ।

ନ ଲୁଟିବି ଗହଣା ତ

ଆସିଲି କିପାଇଁ ?

ଅଧେ ଦେବି ପଣ୍ଡିତଙ୍କୁ

କହିଛି ତ ମୁହିଁ ।

ମାରଣା ମୁଁ ଶୋଭଇ କି

ଦୟାମାୟା ପ୍ରାଣେ ?

ଲୁଟିବାକୁ ଆସିଅଛି,

ଲୁଟିବି ଏ କ୍ଷଣେ ।

ଦୃଢ଼ମନେ ମାରଣା ଯେ

ହୁଏ ଆଗୁସାର,

ପ୍ରେମ, ସ୍ୱେଦ, କମ୍ପ,ହେଲା

ସାତ୍ତ୍ୱିକ ବିକାର ।

ଗୌରଶ୍ୟାମ ଦୁଇ ତନୁ

ଦେଖେ ପ୍ରାଣଭରି,

ଦେଖୁ ଦେଖୁ ବୁଡ଼େ ଚେତା

ତଳେ ଯାଏ ପଡ଼ି ।

ପୁଣି ଉଠେ, ପ୍ରେମେ ନାଚେ,

ଛାଡ଼େ ଘୋର ରଡ଼ି,

କହେ ଦୃଢ଼େ, ଦିଅ ସବୁ

ଅଳଙ୍କାର କାଢ଼ି ।

ଶ୍ରୀକୃଷ୍ଣ କହନ୍ତି, ‘ଆମ

ଦ୍ରବ୍ୟ ଦେବୁ କିଆଁ ?’

ମାରଣା ଦେଖାଏ ଲାଠି

କହେ ‘ଚାହାଁ, ଚାହାଁ’ ।

ଶ୍ରୀକୃଷ୍ଣ-ଧରିଛୁ ତ ଲାଠି ଖଣ୍ଡେ

ଆଉ କି ଦେଖିବି ?

ମାରଣା-ନ ଦେଲେ ଏଥିରେ

ମୁଣ୍ଡ ଗୁଣ୍ଡାକରି ଦେବି ।

ଶ୍ରୀକୃଷ୍ଣ-ନାହିଁ, ନାହିଁ କେବେ

ଅଳଙ୍କାର ନାହିଁ ଦେବୁ,

ଆମେ ଦୁଇ ଜଣ ଅଛୁ,

ଜଣେ କି କରିବୁ ?

ମାରଣା-ମାଡ଼ିବସି ନିଜ ହାତେ

ସବୁ ନେବି କାଢ଼ି,

ଦୁଇ ଭାଇ ଦେବି ମୁହିଁ,

ନଈରେ ଫୋପାଡ଼ି ।

ଦୁଇ ଭାଇ-ବାପରେ ! ବାପରେ !

କିଏ ଅଛ ଆସ ଧାଇଁ ।

ମୁଖ ବନ୍ଦ କରେ ଦସ୍ୟୁ

ପ୍ରଭୁ ମୁଖ ଛୁଇଁ ।

ସେ ସ୍ପର୍ଶେ ମାରଣା ଦେହେ

ଖେଳିଲା ବିଜୁଳି,

ଚେତା ବୁଡ଼ିଗଲା, ଭୂମି

ତଳେ ପଡ଼ି ଢଳି ।

ଚେତା ପାଇ କହେ,

‘‘ତୁମେ କିଏ ଦୁଇ ଭାଇ ?

ଅଧିକ ସୁନ୍ଦର ଦିଶ,

ଯେତେ ଦେଖେ ମୁହିଁ ।

ଦେଖୁଁ ଦେଖୁଁ ଚକ୍ଷୁରେ ତ

ନ ପଡ଼େ ପଲକ,

ଅଙ୍ଗେ ଅଙ୍ଗେ ଖେଳିଯାଏ

ମୋହନ ପୁଲକ ।

କାନ୍ଦିବି କି, ଲୁହ ବହେ,

କି ବିଚିତ୍ର କଥା ।

ତୁମେ ତ ମନୁଷ୍ୟ ନୁହ,

ନିଶ୍ଚୟ ଦେବତା ।’’

ଦୁଇ ଭାଇ-ନାହିଁ ତ ! ଦେବତା ନୋହୁ

ଆମେ ଦୁଇ ଭାଇ,

ନନ୍ଦଙ୍କ କୁମର, ଜଗୁ

ବୁଲି ବନେ ଗାଈ ।

ମାରଣା-ଆହା କି ମଧୁର ହସ !

କି ବାଙ୍କ ଚାହାଣି ।

ଲୁଟି କେ ପାରିବ ଅଙ୍ଗୁ

ଅଳଙ୍କାର ପୁଣି ।

ଯାଅ, ଯାଅ, ଦୁଇ ଭାଇ

ଗୋଧନ ଚରାଅ,

ଦେଖୁଥିବି ନେତ୍ରଭରି,

ନିତି ଆସୁଥାଅ ।

ଆଣ ତୁମ କୁନି ହାତ

କରେ ମୁଁ ଚୁମ୍ବନ,

ଶିରେ ପଦ୍ମପାଦ ଥୁଅ,

କର ବାବୁ ଧନ୍ୟ !

ଏଇ ଯେ କଦମ୍ବମୂଳେ

ବିରଚି କୁଟୀର,

ରହି ଦେଖୁଥିବି ନିତି

ବଦନ କମଳ ।

ନିତି ଦେଖା ଦେବ ଆସି

ପରାଣ-ସଙ୍ଖାଳି ।

ନ ହେଲେ ଏ ପିଣ୍ଡ ଛାଡ଼ି

ଯିବ ଜୀବ ଚାଲି ।

କୃଷ୍ଣ-କର ତ ପ୍ରତିଜ୍ଞା, ଆଉ

ନ ମାରିବ ଲାଠି,

ଅଙ୍ଗର ଗହଣା ଆଉ

ନେବ ନାହିଁ ଲୁଟି ।

ବାଳୁତ ପରାଣ ଆଉ

ନାହିଁ ଡରାଇବ;

ତେବେ ତ ଆସିବୁ ବନେ

ନିତି ଦେଖାହେବ ।

ମାରଣା-ଥରେ ନୁହେ, ଶତ ଥର

ପ୍ରତିଜ୍ଞା ମୋହର,

ତୁମକୁ କେ ମାରିବ ରେ

ଲୋକ ଦୁନିଆର ?

ତୁମକୁ ମାରିବ କା’ର

ଅଛିରେ ଶକତି ?

ରୂପ ଦେଖି ତରଳିବେ,

ବାଇ ହେବ ମତି ।

ଶ୍ରୀକୃଷ୍ଣ-ଏବେ ଯାଚି କରି ଦେଉ,

ନିଅ ତ ଗହଣା,

ଲୁଟିନେବା ବ୍ୟବସାୟ,

ଜାତିରେ ମାରଣା ।

ଆମର ତ ଅଛି ବହୁ,

ପୂରିଛି ଭଣ୍ଡାର;

ଗରିବ ତୁ ନିଅ, ନିଅ,

ଦୁଃଖ କର ଦୂର ।

ମାରଣା-ଗହଣା କି ହେବ ବାବୁ !

ପୂରିଛି କାମନା,

ଶ୍ରୀଅଙ୍ଗ ମୁକୂଳା ହେବ,

ବଳାଇ କହ ନା ।

ଦୁଇ ଭାଇ-ବନମାଳେ ଭରିଅଛୁ,

ଦୁଇ ଭାଇ ଦେହ,

ମୁକୁଳା ଦିଶିବୁ ନାହିଁ,

ମିଛ କିଆଁ କହ ?

ଘରେ ନୂଆ ଅଳଙ୍କାର

ମାଆ ଦେବେ ଭରି,

ଇଚ୍ଛା ଯେବେ ଆସ କାଲି

ନେବ ଆଜି ପରି ।

ମାରଣା-ନିଶ୍ଚୟ ଆସିବି କାଲି,

ଦେଖିବି ଶ୍ରୀମୁଖ,

ନିତି ନିତି ମୁଖ ଦେଖି

ଭୁଲୁଥିବି ଦୁଃଖ ।

ବଳାଇ କହିଲେ କୃଷ୍ଣ

ଭାଙ୍ଗି ନ ପାରିଲା,

ଅଞ୍ଚଳପାତି ଶ୍ରୀଅଙ୍ଗ

ଭୂଷଣ ଘେନିଲା ।

ଶ୍ରୀଅଙ୍ଗ ପାଲଟା

ଅଳଙ୍କାର ଶିରେ ଧରି,

କେତେ ଭାବେ ପ୍ରାଣ ଥରେ,

ଦସ୍ୟୁ ଯାଏ ଫେରି ।

ପଣ୍ଡିତ ଦୁଆରେ ସବୁ

ଅଳଙ୍କାର ଥୋଇ,

କହେ, ‘‘ସବୁ ନିଅ ତୁମେ,

ମୋର ଲୋଡ଼ା ନାହିଁ ।

କଉସ୍ତୂଭମଣି ଆଉ

ଆଉ ଅଳଙ୍କାର

ଜ୍ୟୋତିରେ ଝଟକେ ଘର

ନ ରହେ ଅନ୍ଧାର ।

ପଣ୍ଡିତେ ବୁଝିଲେ ସବୁ

ଘଟଣା ତ ସତ,

ଧନ୍ୟ ମାରଣା ଜୀବନ,

ଧିକ ମୁଁ ପଣ୍ଡିତ ।

ବୁଝନ୍ତି ବିଭୁଙ୍କ ଲୀଳା

ପଚାରି ପଚାରି;

ଲୋମକଣ୍ଟକିତ, ଗଣ୍ଡେ

ଝରେ ଅଶ୍ରୁବାରି ।

ଚରଣ ଧରି କହନ୍ତି,

କି ହେବ ଗହଣା ?

କଳା ଧଳା ନନ୍ଦଚାଟ

ତୁ ଦେଖାଉ କିନା ?

ଦସ୍ୟୁ କହେ,‘‘ପଣ୍ଡିତ ହୋ !

କି ତୋର ବିଚାର,

ଶ୍ରେଷ୍ଠ ଜାତି ବ୍ରାହ୍ମଣ ତୁ

ଧରୁ ମୋ ପୟର !

ସଙ୍ଗେ ଚାଲ, ନିଶ୍ଚେ

ଦେଖାଇବି ଦୁଇ ଭାଇ ।

ଫେରାଇ ପିନ୍ଧାଇ ଦେବା

ଗହଣା ଗୋସାଇଁ !

ଗହଣା ଆଣିଲି, ଅଙ୍ଗ

ଥିବ ତ ମୁକୁଳା;

ଯାଚି ଦେଲେ ସତେ, ଧନ

ଦେଖି ହେଲି ଭୋଳା ।

ଧନଲୋଭୀ ମାରଣା ମୁଁ,

ଧିକ ମୋ ଜୀବନ,

କଇବଲ୍ୟଦାତାଠାରୁ

ଲୁଟେ ତା ଭୂଷଣ !

ଦସ୍ୟୁ ବିପ୍ର କୋଳାକୋଳି

ଧାଆନ୍ତି ଝଟତି,

କଦମ୍ବମୂଳରେ ହେଲେ,

ନ ପାହୁଣୁ ରାତି ।

ପଣ୍ଡିତେ ଦେଖିଲେ, ଆଗେ

ରମ୍ୟ ଏକ ବନ,

ନାହିଁତ ଯମୁନା, ପାଖେ

ଗିରି ଗୋବର୍ଦ୍ଧନ !

ପୁଣ୍ୟ ବ୍ରଜଭୂମି ନୁହେ,

ନ ହେବ ତା ଛାୟା;

କାଙ୍ଗାଳେ କରନ୍ତି ପ୍ରଭୁ

ଆହା କେଡ଼େ ଦୟା !

ସତେ ମୁଁ ଦେଖିବି ନେତ୍ରେ

ନନ୍ଦଚାଟ ଦୁଇ,

ସଫଳ ହେବ ଜୀବନ,

ଏଡ଼େ ଭାଗ୍ୟ କାହିଁ ।

ସକାଳ ହେଲା, ମାରଣା

ଗଛଚୂଳେ ଚଢ଼ି,

ଶୁଣେ ବଂଶୀସ୍ୱନ ଦୂରେ

ଛାଡ଼େ ପ୍ରେମେ ରଡ଼ି ।

ଲୁଚିଯାଅ ପଣ୍ଡିତ ହୋ ।

ବୃକ୍ଷ ପଛେ ଏବେ;

ଅଜଣା ତୁମକୁ ଦେଖି,

କାଳେ ନ ଆସିବେ ।

ଦୂରୁଁ ପାଖେ ଆସି କ୍ରମେ

ଜ୍ୟୋତି ଗଲା ଖେଳି,

ଜ୍ୟୋତି ପରିସରେ ଦୁଇ

ମୂର୍ତ୍ତି ଶୋହେ ଢଳି ।

ବିମ୍ବାଧରେ ଫୁଟେ ହସ,

ବଙ୍କିମ ଚାହାଣୀ,

ବଂଶୀନାଦ ମୋହେ ପ୍ରାଣ,

କି ବିଚିତ୍ର ଠାଣି !

ଶ୍ରୀକୃଷ୍ଣ କହନ୍ତି, ‘‘ଦସ୍ୟୁ,

ନୂଆ ଅଳଙ୍କାର

ପିନ୍ଧିଛୁ, ଆଣିଛୁ ନିଅ

ଯେତେ ଇଚ୍ଛା ତୋର ।’’

ଲାଜରେ ମାରଣା ପ୍ରଭୁ

ପାଦତଳେ ପଡ଼ି

ହସ୍ତରେ ଚରଣ ଧରେ,

ଦେଲା ନାହିଁ ଛାଡ଼ି ।

ମାରଣା-ଛାର ମାରଣାର ବୁଦ୍ଧି

ସମ୍ପଦେ ଭୁଲିଲା,

ଶ୍ରୀଅଙ୍ଗ ମୁକୁଳା କରି

ଗହଣା ଘେନିଲା ।

ଲାଜେ ଯାଏ ସଢ଼ି, ତୁ ତ

କଇବଲ୍ୟ-ଦାତା ।

ଆଉ ଦଣ୍ଡ ଦିଅନାହିଁ,

ରଖ ମୋର କଥା ।

ଦୁହିଙ୍କଗହଣା ଅଙ୍ଗେ

ଦିଏ ମୁଁ ପିନ୍ଧାଇ,

ପୂର୍ଣ୍ଣ ଅଙ୍ଗ ପ୍ରେମେ ଦେଖେ,

ନାହିଁ କର ନାହିଁ ।

କାନିରୁ ଫିଟାଇ ଦସ୍ୟୁ

ଚୁମ୍ବେ ଅଳଙ୍କାର,

ଗୋଟି ଗୋଟି ଖଞ୍ଜେ ଅଙ୍ଗେ,

ମନେ ପଡ଼େ ତାର,

‘ଆସ ହେ ପଣ୍ଡିତ’ ! କହେ,

ଖଞ୍ଜ ଅଳଂକାର,

ଜଣକରେ ସରୁନାହିଁ,

ହେଉଛି ଉଛୁର ।’

ଶ୍ରୀକୃଷ୍ଣ କହନ୍ତି, ‘‘ଦସ୍ୟୁ

କପଟ ତୁ କଲୁ ।

ତୋ ସଙ୍ଗେ ଅପର ଅଛି

ଆମେ ନ ଜାଣିଲୁ ।

ତୁ ସିନା ପୁରୁଣା, ତୋର

ଠାରେ ଆମ ଭାବ;

ନୂଆ ସେ ପଣ୍ଡିତଠାରେ

ପୂରିଛି ଗରବ ।

ଦେଖି କି ପାରିବ ମୋରେ,

ପିନ୍ଧାଇବ ଭୂଷା,

ତାଠାରେ ଅଛି କି ଦସ୍ୟୁ

ତୋହର ତପସ୍ୟା ?

ତୋର ହାତ ଧରି ଦେଖୁ,

ପାରିବ ସେ ଦେଖି,

ଶ୍ରୀଅଙ୍ଗ ଛୁଇଁବ ଧାତା

ଭାଲେ ନାହିଁ ଲେଖି ।’’

ଦସ୍ୟୁ ହାତ ଧରି ଦ୍ୱିଜ

କାଟେ ଭବ ଡୋର

ଦେଖେ, ନଟବର ଦିବ୍ୟ

ବେଶ ମନୋହର ।

ଦେଖଇ ନୟନେ ପୁଣି

ଦସ୍ୟୁଭାଗ୍ୟ ଟେକ,

ପ୍ରଭୁଙ୍କୁ ମଣ୍ଡଇ ନିଜେ

ଅଳଙ୍କାର ଯାକ ।

ଦ୍ୱିଜ-ଦସ୍ୟୁ ଆତ୍ମହରା,

ନାଚୁ ଢଳିଢ଼ଳି

ପ୍ରେମୋନ୍ମାଦେ ପଡ଼ିଯାନ୍ତି

ଧରଣୀରେ ଟଳି ।

ବ୍ରହ୍ମରନ୍ଧ୍ର ଫୁଟି ଦୁଇ

ପ୍ରାଣ ଗଲା ଉଡ଼ି,

ଦୁଇ ଆତ୍ମା ଦୁଇ ଅଙ୍ଗେ

ଶେଷେ ଗଲେ ଜଡ଼ି ।

ଜୟ କଇବଲ୍ୟଦାତା

ପତିତପାବନ ।

ପତ୍ନୀ-ପୁତ୍ର ହତ୍ୟା କଥା

ତୁମେ କି ନ ଜାଣ ?

ମାରଣାଠୁଁ ବଳି ମୋର

ପାତକ ବହୁତ,

ଧୋଇ କି ପାରିବୁ କୃପା

କରି ନନ୍ଦସୁତ !

ପାପିର ଗରିଷ୍ଠ ପାପ

ନ କଲେ ଖଣ୍ଡନ,

ପତିତପାବନ-ବାନା

ହେବ ଅକାରଣ ।

Image

 

କାୟା ବିନିମୟ

 

ଜୟ ଭକତବତ୍ସଳ,

ଜୟ ଚକାଡ଼ୋଳା !

ଜୟ ପ୍ରେମମୟ ହରି,

ଭକ୍ତ ଭାବେ ଭୋଳା ।

ଭାବ ପାଇ ମହାଭାବେ

ବୁଡ଼ାଉ ଜଗତ,

ଭକ୍ତ ସଙ୍ଗେ ରଚୁଖେଳା,

କି ଯେ ଅଦଭୁତ ।

ଭକତର ପ୍ରେମମୟ

ବିଚିତ୍ର ଚରିତ,

ବର୍ଣ୍ଣିବାକୁ ଶକ୍ତି କାହିଁ

ବାଣୀ ପରାହତ ।

ଶୁଣ ହେ ଭକତଜନ

ଭାବେ ଭାବଖେଳା,

ପ୍ରେମେ ମହା ପ୍ରତିଦାନ

ମହିମାର ଲୀଳା ।

ମହାରାଷ୍ଟ୍ର ଦେଶେ ପୂତ

କୃଷ୍ଣାନଦୀ ତୀରେ,

କହାଡ଼ ନାମକ ଗ୍ରାମ

ରାଜଇ ରୁଚିରେ ।

ଗ୍ରାମରେ ବ୍ରାହ୍ମଣ ରହେ

ରଚି ଘରଦ୍ୱାର,

ପୁଅ ବୋହୁ ପତ୍ନୀ ଘେନି

ତାର ପରିବାର ।

ବୋହୁଟିର ନାମ ସଖୁ

ଭକତ ସୁଶୀଳା,

ନମ୍ର, ସେବାପରାୟଣା,

ବିନୟୀ, ସରଳା ।

ଶାଶୁ ଶଶୁର ଦୁହିଙ୍କ

କଦର୍ଯ୍ୟ ପ୍ରକୃତି,

କର୍କଶ, କୁଟିଳ, ଦୁଷ୍ଟ,

ତହୁଁ ବଳି ପତି ।

ରାତି ପହରରୁ ଉଠି

ରାତି ଅଧଯାଏଁ,

ସଖୁ କର୍ମରତା, ସର୍ବେ

ଶୋଇଲେ ସେ ଶୁଏ ।

ଖଟିବାରେ ତାର ସୁଖ,

ସେବାର ମୂରତି,

ଯେତେ କଲେ, କଲା ବୋଲି

କେହି ନ କହନ୍ତି ।

ଶାଶୁଙ୍କ ଗଞ୍ଜଣା, ଗାଳି

ବଚନ ନିଷ୍ଠୁର,

ସହି ସହି ସଖୁ କଲା

ଶରୀର ପଥର ।

ବିଧା ଗୋଇଠା ପ୍ରହାର

ଶାଶୁଙ୍କର ଦାନ,

ବଧୂଙ୍କ ସପ୍ତ ପୁରୁଷ

କରିବା ତର୍ପଣ ।

ନୀରବେ ସହଇ, ସବୁ

ଆଶୀର୍ବାଦ ମଣେ,

ଦୁଃଖ ମଣେ ସୁଖ ସଖୁ

କ୍ଷମା ପ୍ରୀତି ଗୁଣେ ।

ବିଭୁପଦେ ରତ ସଦା

ଶାନ୍ତା, ପ୍ରେମଶୀଳା,

ଦୁଃଖ କଷ୍ଟେ ଦେଖେ ପ୍ରଭୁ

କୃପା, ପ୍ରେମଲୀଳା ।

ଶାଶୁ ଶଶୁରଙ୍କ ସେବା,

ପତିରେ ଭକତି,

ଧର୍ମ ତାର, ଦୁଃଖ ତାର,

ନାହିଁ ତ ତୃପତି ।

ଶାଶୁ ଶଶୁର-ଦେବତା,

ପତି ତାଠୁଁ ବଳି,

ରଖନ୍ତୁ ସଦା ତୃପତ,

ବିଭୁପାଦେ ଅଳି ।

କର୍ମତା ହାତରେ, ଫଳ

ବିଭୁଙ୍କର ଦାନ,

କର୍ମକରି ତୃପ୍ତ ରହେ,

ନିଏ ବିଭୁ ନାମ ।

ପବିତ୍ର ପଣ୍ଡରପୁର

ବିଷ୍ଣୁତୀର୍ଥ ସ୍ଥାନ,

ରଥ ବଡ଼ ଏକାଦଶୀ

ବଡ଼ ପର୍ବ ଦିନ ।

ଦୂର ଦୂରାନ୍ତରୁ ଆସି

ଲକ୍ଷ ନରନାରୀ,

ପୂଜନ୍ତି ବିଟଲ ଦେବେ

ପ୍ରେମ- ଅଶ୍ରୁ ଢାଳି ।

ଦିନେ ସଖୁ ଯାଇ କୃଷ୍ଣା-

ନଦୀ ଆଣି ବାରି,

ଦେଖିଲା ଦିଶନ୍ତି ଯାତ୍ରୀ

ଜନ୍ଦାଧାଡ଼ି ସରି ।

ଗାଆନ୍ତି ବିଭୁସଙ୍ଗୀତ

ପ୍ରେମେ ଅଶ୍ରୁଝରେ,

ଉଠେ ଚାରୁ ପ୍ରତିଧ୍ୱନି

ରଙ୍ଗେ ନଦୀନୀରେ ।

ଭାବମୟ ପ୍ରାଣ ତାର

ନ ପାରେ ସମ୍ଭାଳି,

ସ୍ଥିର କଲା, ‘‘ଯିବ ନିଶ୍ଚେ

ଯାତ୍ରୀ ଦଳେ ମିଳି,

କହିଲେ କେବେ କି

ଶାଶୁ ଶଶୁର ଛାଡ଼ିବେ ?

କହନ୍ତି ପତିଙ୍କୁ ସେ ତ

ତାଙ୍କ ପଟ ନେବେ ।’’

ଏତେ ଭାବି ସଖୁ ମିଳେ

ସୁଖେ ଯାତ୍ରୀଦଳେ,

ବିଟ୍‌ଠଲେ ଜଣାଏ ବାଳା,

ପରାଣ ବିକଳେ ।

ପ୍ରତିବେଶୀ ନାରୀ ଆସି-

ଥିଲେ ନୀର ନେଇ,

ଫେରି କହନ୍ତି ଶାଶୁଙ୍କୁ

ଘଟଣା ବୁଝାଇ ।

ଶାଶୁ ତ ନାଗୁଣୀ ଶୁଣି

ଗରଜେ ରାଗରେ,

‘ମାରି ପିଟି ଆଣ ବେଗେ’

କୁମରେ ତିଆରେ ।

ମାରି ପିଟି ଆଣେ ପତି,

ତରୁଣୀ ବିକଳ,

ବିଟ୍‌ଠଲ ବିଟ୍‌ଠଲ ଜପେ,

ନେତ୍ରୁ ବହେ ନୀର ।

ତିନି ଜଣେ ମିଳିମିଶି

କଥା କଲେ ସ୍ଥିର,

ସଖୁଙ୍କୁ ବାନ୍ଧି ରଖିବେ

ଦିବସ ପନ୍ଦର ।

ପଣ୍ଡରପୁରରେ ମେଳା

ଚାଲେ ଯେତେ ଦିନ,

ଶୁଖି ଶୁଖି ମରୁ ସଖୁ

ନ କରୁ ଭୋଜନ ।

ସୁକୁମାର ବାଳାତନୁ

ବନ୍ଧନର ଭିଡ଼େ,

ଧାର ଧାର ହସ୍ତପଦୁଁ

ରକତ ନିଗିଡ଼େ ।

ବନ୍ଧନରେ ପଡ଼ି ବାଳା

କହଇ ବିଭୁରେ,

‘‘ଏତିକି ମାଗୁଣି ନାଥ !

ଚରଣ-କମଳେ,

କମଳଚରଣ ବାରେ

କରିଣ ଦର୍ଶନ,

ଯାଆନ୍ତା ଏ ଜ୍ୱାଳାମୟ

ଅସାର ଜୀବନ ।

ଏତିକି ମାତର ଇଚ୍ଛା

ତୁ ଯେ ଦୟାମୟ,

ପୂର୍ଣ୍ଣକର, ଶୁଣ ଡାକ,

ପରାଣ ଅଥୟ ।

ଏ ଶରୀର ଏ ସମ୍ପଦ

ସବୁ ନାଥ ତୋର,

ଯାହା ଅଛି, ଯାହା ନାହିଁ

କିଛି ନୁହେ ମୋର ।

ମାରୁଛୁ, ତାରୁଛୁ ନାଥ !

ସବୁ ତୋର ଖେଳା,

ତରିବାକୁ ତୋ ଚରଣ

କରିଅଛି ଭେଳା ।

ଅଭୟ ଚରଣ ଧରି

ନୁହେ ଯେବେ ପାରି,

ତୋ ନାମେ କଳଙ୍କ ହେବ,

ସହିବି କିପରି ?’’

ଏ ଯେ ବିକଳ ପ୍ରାର୍ଥନା,

ଭକ୍ତ ଆର୍ତ୍ତ ଡାକ

କମ୍ପାଇଲା ବଇକୁଣ୍ଠ,

କମ୍ପଇ ତ୍ରିଲୋକ ।

ଉଠିଲେ ଆସନ ତେଜି

ବଇକୁଣ୍ଠସାଇଁ,

ସୁନ୍ଦର ଅବଳା ବେଶେ

ଆସିଲେ ସେ ଧାଇଁ ।

କହନ୍ତି, ‘‘ପଣ୍ଡରପୁର

ଯାଉଛି ଭଉଣୀ,

ଆସିବୁ କି, ଇଚ୍ଛା ବଡ଼

ଯିବି ସଙ୍ଗେ ଘେନି ?’’

ସଖୁ- ଅଭାଗିନୀ ଭଗିନୀ ମୁଁ,

ନାହିଁ ଭାଗ୍ୟେ ଲେଖା,

ବୈକୁଣ୍ଠନାଥ ବିଟ୍‌ଠଲ

କାହୁଁ ଦେବେ ଦେଖା ?

ବଡ଼ ଇଚ୍ଛା ଥିଲା, ତେଣୁ

ହେଲା ଏ ବନ୍ଧନ,

ଏ ମହା ସଙ୍କଟୁ ନାନୀ,

ନାହିଁ ପରିତ୍ରାଣ ।

ନବାଗତା-ଉଦାସ, ନିଶ୍ଚେଷ୍ଟ ହେଲେ

ହେବ କି ଭଗିନୀ ?

‘ରହେ ମୁଁ ବନ୍ଧନେ ତୋର’

ଘେନ ହିତ ବାଣୀ ।

କହିଣ ଏସନ ବିଭୁ

ଖୋଲିଲେ ବନ୍ଧନ,

ସଖୁକୁ କହିଲେ ‘‘ବାନ୍ଧ

କରିଣ ଯତନ;

ଏଥି ରହେ ବନ୍ଦୀ ହୋଇ

ମୁହିଁ ତୋ ବଦଳେ,

ଫିଟି ମୁଁ ପାରିବି ଯାଇ

ମୋର ବୁଦ୍ଧି ବଳେ ।’’

ଶ୍ରୀହସ୍ତ ପରଶେ ସଖୁ

ମହା ପ୍ରେମେ ଭୋଳା,

ବିଦ୍ୟୁତ ଖେଳିଲା ପ୍ରାଣେ

ସେ ତ ଆତ୍ମହରା ।

ବାନ୍ଧିବାକୁ କାହିଁ ଶକ୍ତି

ବାନ୍ଧିବ କି ଆନେ,

ଖୋଲିଲା ଯେହୁ ବନ୍ଧନ

ଶାନ୍ତି ଦେଲା ପ୍ରାଣେ ।

ସଖୁକୁ ଘେନିଣ ପ୍ରଭୁ

ହୋଇଲେ ଅନ୍ତର,

କ୍ଷଣକେ ଥୋଇ ଆସିଲେ

ବିଟ୍‌ଠଲ ମନ୍ଦିର

ପ୍ରଭୁ ଆସି ସଖୁ ସ୍ଥାନେ

ପଡ଼ିଲେ ବନ୍ଧନେ,

ଲାଗିଗଲେ ପ୍ରେମମୟ

ଲୀଳା ବିରଚନେ ।

ନାଗୁଣୀ ଶାଶୁ ଗରଜେ

ଦିଏ ଗାଳି ନିତି,

ସୁଶୀଳା ବୋହୁଟି ପରି

ଶୁଣନ୍ତି ଶ୍ରୀପତି ।

ପତି ଆସିଲେ ଆଖିରୁ

ପଡ଼େ ଅଶ୍ରୁ ଝରି,

କେ ବୁଝିବ ବିଭୁଲୀଳା

ଅଦ୍ଭୁତ ଚାତୁରୀ ?

ଦେଖୁ ଦେଖୁ ଚତୁର୍ଦ୍ଦଶ

ଦିନ ହେଲା ପାର,

ପଞ୍ଚଦଶ ଦିନ ପତି

କରଇ ବିଚାର,

‘‘ନ ଖାଇ ମରିଲେ

ପାପୁ ହେବି କି ମୁକତ ?

ମୁହିଁ ପୁଣି ଧର୍ମପତି

ଧରିଛି ତା ହାତ ।’’

ଅନ୍ତର ଧିକ୍କାରେ ଆସେ

ଘୋର ପଶ୍ଚାତ୍ତାପ,

କ୍ଷମା ଭିକ୍ଷାକରେ ଯାଇଁ

ପତ୍ନୀର ସମୀପ ।

ବନ୍ଧନମୋଚନ କରି

କହେ ଚାଟୁବାଣୀ,

ସ୍ନାନ ପାନ କରାଇଲା

ତୋଷିଣ ରମଣୀ ।

ସୁଚତୁରୀ ପତ୍ନୀ ପରି

ପ୍ରଭୁ ନାରାୟଣ,

ରାନ୍ଧିବାରେ ଲାଗିଗଲେ

ବିବିଧ ବ୍ୟଞ୍ଜନ ।

ରାନ୍ଧି ବାଢ଼ି ଡାକି ଖୁଆ-

ଇଲେ ତିନି ଜଣ,

ସ୍ୱାଦ ଚାଖି ପ୍ରଶଂସନ୍ତି,

ସରବେ ପ୍ରସନ୍ନ ।

ପ୍ରଭୁହସ୍ତ ରନ୍ଧା ଖାଇ

ନାଚଇ ଅନ୍ତର,

ବୋହୂର ଦିଶଇ ସବୁ

ଅତୁଲ୍ୟ, ସୁନ୍ଦର ।

ଅଙ୍ଗସ୍ପର୍ଶ ବେଳୁଁ ପତି

ଅତି ହିଁ ଅଧୀର,

‘‘କେଉଁ ପତ୍ନୀ ସଙ୍ଗେ କଲି

କିବା ବ୍ୟବହାର ।’’

ଦିନ ଯାଇ ରାତି ଆସେ

ପ୍ରଭୁ କରେ ସ୍ଥିର,

‘‘ସଖୁ ନ ଆସି ଗମିଲେ

ଶୁଭ ନାହିଁ ତାର ।

ଆଉ ଏଇ ରାତି ଗଲେ,

ଭକତର ଘର,

ଭକତର ହାତେ ଦେଇ

ହୋଇବି ଅନ୍ତର ।’’

ରାତି ରନ୍ଧାରେ ତ ଶାଶୁ

ଯୋଗଦେଲେ ଆସି,

‘ଅନ୍ନପୂର୍ଣ୍ଣା’ ବୋଲି ବଧୂ

ସମ୍ବୋଧିଲେ ହସି ।

ଶଶୁରଙ୍କର ତ ଏବେ

ସୁପ୍ରସନ୍ନ ମୁଖ,

କି ପ୍ରୀତି ଖେଳଇ ପୁରେ

ଗଲା ଚିର ଦୁଃଖ ।

ଖାଇପିଇ ସାରି ଶାଶୁ

ଶଶୁର ଶୋଇଲେ,

ଶଯ୍ୟା ସଜାଡ଼ିଲେ ପତି

ଶୋଇବାକୁ ଗଲେ ।

ଶାସ୍ତ୍ର ପୁରାଣରେ କାହିଁ

କେବେ ନାହିଁ ଶୁଣା,

ଭକ୍ତ ପାଇଁ ପ୍ରଭୁ କରେ

ଶୟନ-ରଚନା ।

ଶୟନସଙ୍ଗୀନୀ ହେବେ

କେଶ ବିରଚିଲେ

ନଖୁଁ ଶିଖଯାଏ ବିଭୁ-

ଷଣ ମଣ୍ଡି ହେଲେ ।

ଚାରୁକେଶ ପ୍ରସାଧନେ

ଅଙ୍ଗରାଗ ବାସେ

ମହକିଲା ଶଯ୍ୟାଗୃହ,

ରୂପେ ପୁର ହସେ ।

ପ୍ରଭୁ ଏ ମୋହିନୀ ବେଶ

ଶିବ-ଧୃତିହରା,

ଥରେ ଦେଖି ତ୍ରିଭୁବନ

ତରଳିଲା ପରା ।

ଭକ୍ତର ତରଳ ପ୍ରାଣେ

ନାହିଁ ପ୍ରୟୋଜନ,

ଚାରୁ ନଟବର ବେଶ

ଦେଖୁ ଏ ନୟନ ।

ତ୍ରିଭଙ୍ଗ ଠାଣିରେ ଯୋଖ

ବଙ୍କିମ ଚାହାଣୀ,

ପ୍ରେମର ତରଙ୍ଗେ ଭରି

ବାଜୁ ବଂଶୀବାଣୀ ।

ପତ୍ନୀ ଛୁଇଁଲେ ପଲଙ୍କ

ଘଟେ ବିପର୍ଯ୍ୟୟ,

ପତି ପତ୍ନୀ ହେଲା, ପତ୍ନୀ

ଧରେ ପୁଂସକାୟ ।

ପତି ପତ୍ନୀ ପ୍ରେମେ ଭୋଳା

ରାତି ଗଲା ପାହି,

କି ପ୍ରେମ-ପୀୟୁଷରସ

ରଚ ବିଶ୍ୱସାଇଁ ।

ରଜନୀ ପ୍ରଭାତେ ପ୍ରଭୁ

ସଖୁ ବେଶ ଧରି,

ଲାଗିଗଲେ ଗୃହକର୍ମେ

ପୁଣି ମାୟା ଭରି ।

ଖେଳିଲା ପୀରତି ହସି

ଉଠିଲା ମନ୍ଦିର,

ଚାରି ପ୍ରାଣ ଏକ କଲା

ପୀରତି ମଧୁର ।

ତେଣେ ସୁଖେ କରେ

ସଖୁ ପ୍ରଭୁଙ୍କ ଦର୍ଶନ,

ଲକ୍ଷ ଯାତ୍ରୀମେଳେ ମହା

ପ୍ରେମେ ନିମଗନ ।

ଅଙ୍ଗରେ ପୁଲକ ଖେଳେ,

ପ୍ରେମେ ଅଶ୍ରୁଝରେ,

‘‘ଏ ଦେହେ ନ ଯିବି ଘରେ’’

ପ୍ରତିଜ୍ଞା ସେ କରେ ।

‘‘ଦିଅ ପ୍ରଭୁ ପାଦେ ସ୍ଥାନ

ନିଅ ଏ ପରାଣେ’’,

କହି କହି ପଡ଼େ ସଖୁ

ବିଟ୍‌ଠଲ ଚରଣେ ।

ମହା ସମାଧିରେ ଲଗ୍ନ

ନ ଉଠଇ ବାଳା,

‘ଗଲା ଗଲା, ଯାଇ ପ୍ରାଣ

ଶ୍ରୀଅଙ୍ଗେ ମିଶିଲା ।’

ଉଠିଲା ଗହଳ, ଲୋକେ

ଦେଖନ୍ତି ପରଖି,

କହନ୍ତି, ‘ପିଣ୍ଡରେ ଆଉ

ନାହିଁ ପ୍ରାଣପକ୍ଷୀ ।’

ଯୋଗକୁ କହାଡ଼ ପାଖ

ମିଳିଲେ ବ୍ରାହ୍ମଣ,

ମହା ସମାରୋହେ ପିଣ୍ଡ

କଲେକ ଦହନ ।

ରୁକ୍ମିଣୀ ଭାବନ୍ତି ମନେ

‘‘ଆଚ୍ଛା କୃତ୍ୟ ହେଲା ।

ସଖୁ ସେ ତ ଭାବମୟୀ

ଭାବ-ମୃତ୍ୟୁ ନେଲା ।

ସଖୁ ବେଶେ ବୋହୂ ସାଜି,

ଗଢ଼େ ପ୍ରଭୁ ଘର,

ପ୍ରଭୁଙ୍କ ଫେରିବା ପାଇଁ

କରେ ମୁଁ ବିଚାର ।’’

ଏତେ ଭାବି ମହାମାୟା

ଶ୍ମଶାନକୁ ଗଲେ,

ସଖୁ ଭସ୍ମ ଧରି ହସ୍ତେ

ନବ ଜନ୍ମ ଦେଲେ ।

କହନ୍ତି ‘‘ବାୟାଣୀ, ଉଠ

ଫେରିଯାଅ ଘର

‘ଏ ଅଙ୍ଗରେ ନ ଫେରିବି’

ସତ୍ୟ ଥିଲା ତୋର ।

ସେ ଅଙ୍ଗ ଯାଇଛି ପୋଡ଼ି,

ଯାଅ ବେଗେ ଆଜି,

କେତେ କାଳ ପ୍ରଭୁ ଥିବେ

ବୋହୂ ବେଶ ସାଜି ?’’

ସଖୁର ପଡ଼ିଲା ମନେ,

‘‘ନାରୀଏ ବନ୍ଧନ

କାହୁଁ ଆସି ଫିଟାଇଲେ,

ସେ ତ ଆର୍ତ୍ତତ୍ରାଣ !’’

ପ୍ରେମେ ନାଚେ ପ୍ରାଣ ତାର

ବେଗେ ଆସେ ଧାଇଁ,

ଷୋଡ଼ଶ ଦିନରେ ମିଳେ

କୃଷ୍ଣାତଟେ ଯାଇଁ ।

ନୀର ନେବେ ଅନ୍ତର୍ଯ୍ୟାମୀ,

ଆସି ନଦୀକୂଳେ

ଥିଲେ, ଦେଖାହେଲା

ସଖୁ ଜଳପାତ୍ର ନେଲେ ।

ଭକ୍ତକୁ କୁଣ୍ଢାଇ ପ୍ରଭୁ

ହୁଅନ୍ତି ଅନ୍ତର,

ବେନି ତନୁ କଣ୍ଟକିତ,

ନେତ୍ରେ ଅଶ୍ରୁ-ନୀର ।

ସଖୁ ଆସି ଘରେ ହେଲା

ଗୃହ କର୍ମେ ରତ,

ଦେଖିଲା ଶ୍ମଶାନ-ପୁରୀ

ସ୍ୱର୍ଗେ ପରିଣତ !

ଆସିଣ ମିଳିଲେ ଗ୍ରାମ

ପାଖ ଦ୍ୱିଜଗଣ,

ସଖୁକୁ ଶ୍ମଶାନେ ଯେହୁ

ଥିଲେକ ଦହିଣ ।

ବିସ୍ମୟେ କହିଲେ, ‘‘କାହୁଁ

ଭୂତ ଏକ ଆସି,

ଅବିକଳ ସଖୁ ବେଶେ

ଘରେ ଅଛି ପଶି ।’’

ପାଞ୍ଚଲୋକେ ଏକ କଥା,

ଶୁଣି ଦ୍ୱିଜ ହସେ,

‘‘ଭୂତ ନୁହେ ଅନ୍ନପୂର୍ଣ୍ଣା,

ଥାଉ ସଖୁ ବେଶେ ।’’

ସଖୁ ନିଜେ କହେ ମୁଖେ

ନିଜ ସମାଚାର,

ଧନ୍ୟ ଧନ୍ୟ କହି ଲୋକେ

ହୋଇଲେ ଅନ୍ତର ।

ଧନ୍ୟ ପୁଅ ବୋହୂ, ଧନ୍ୟ

ତୁମର ଜୀବନ,

ମରଦେହେ ଅଙ୍ଗେ ମିଶା-

ଇଲ ନାରାୟଣ !

ଧନ୍ୟ ହେଲେ ପିତା ମାତା

ପୁଅବୋହୂ ଘେନି

ମିଳିଲେ ବୈକୁଣ୍ଠ ଧାମେ,

ତେଜିଣ ଅବନୀ ।

ଜୟ ଜୟ ଲୀଳାମୟ

ବିଚିତ୍ର ବିଧାତା ।

ଜୟ ଜୟ ଭକ୍ତସଖା

କଇବଲ୍ୟଦାତା ।

ତୋ ଭକ୍ତଚରଣ ରେଣୁ

ଧରୁ ଏ ମଉଳି,

ଭକ୍ତ ଯଶ ଗାଉଁ ଗାଉଁ

ପଡ଼େ ଶେଷେ ଟଳି ।

Image

 

ସିଂହ-ପୂଜା

 

ସୁପ୍ରସିଦ୍ଧ ମାନସିଂହ

ଅମ୍ବର ନୃପତି,

ଭାଇ ରାଜା ମାଧୋସିଂହ

ପତ୍ନୀ ରତ୍ନାବତୀ ।

ରତି ଜିଣି ରୂପ ତାର,

ରୂପୁଁ ବଳି ଗୁଣ,

ପବିତ୍ର ପ୍ରେମରେ ପୂଜେ

ପତିଙ୍କ ଚରଣ ।

ଶ୍ରଦ୍ଧା ପ୍ରୀତି ବଳେ ବଶ

ପୁରବାସୀ ଜନେ,

ଜନନୀଠୁଁ ବଳି ରାଣୀ,

ବିଚାରନ୍ତି ମନେ ।

ଏ ସଂସାର ଖେଳଘର

ସବୁ ବିଭୁଲୀଳା,

ଭକତି ପୀରତି ଧରି

ରଚନ୍ତି ସେ ଖେଳା ।

ରାଣୀଙ୍କର ଦାସୀ ଶୁଦ୍ଧ-

ପ୍ରାଣା ଭକ୍ତିମତୀ,

ଶ୍ୟାମ ସୁନ୍ଦରରେ ତାର

ପରମ ପୀରତି ।

ପ୍ରେମତରଙ୍ଗିତ ପ୍ରାଣ,

ଗଣ୍ଡେ ଅଶ୍ରୁଧାରା,

କେବେ ନାଚେ, କେବେ ହସେ,

କେବେ ଆତ୍ମହରା ।

ଭାବେଭୋଳା ଉନ୍ନତ୍ତା ସେ

ହୁଏ କ୍ଷଣ କ୍ଷଣ,

ମୁଖୁଁ ଶୁଭେ ବ୍ରଜଚନ୍ଦ୍ର !

ହେ ନନ୍ଦନନ୍ଦନ !

ସେ ନାମୁଁ ଅମୃତ କ୍ଷରେ

ପୂରେ ଅନ୍ତପୁର,

ବେଳେ ବେଳେ ରାଣୀ ହେଲେ

ପ୍ରେମରେ ଅଧୀର ।

ଦାସୀର ବ୍ୟାକୁଳ ଡାକ,

କରୁଣ କ୍ରନ୍ଦନ ।

ଜଗାଇଦେଲା ଚେତନା,

ଟାଣେ ରାଣୀ ମନ ।

ଦାସୀର କ୍ରନ୍ଦନେ କ୍ରମେ

କାନ୍ଦେ ରତ୍ନାବତୀ,

ଅଙ୍ଗେ ଅଙ୍ଗ ଭିଡ଼େ, ବୁଝେ

ପରାଣ-ଆରତି ।

କ୍ରମେ ସେହୁଁ ଆସେ ପ୍ରେମ,

ପ୍ରୀତିରୁ ଭକତି;

ଦାସୀ ବଡ଼ ହେଲା, ଘେନେ

ରାଣୀର ପ୍ରଣତି ।

ଗୁରୁ ସ୍ଥାନେ ବସି ଦାସୀ

ରାଣୀକୁ ତିଆରେ,

ରାଣୀର ସ୍ୱାତ୍ତିକ ପ୍ରାଣେ

ବିଭୁରସ ଢାଳେ ।

ବ୍ୟାକୁଳତା ବଢ଼େ, ରାଣୀ

ଦାସୀକୁ ପଚାରେ,

କାହୁଁ ପାଇଲୁ ଏ ପ୍ରେମ !

ବତା ବତା ମୋରେ ।

କୃଷ୍ଣନାମେ ଏତେ ମଧୁ

କାହୁଁ ଦେଉ ଭରି,

କି ମାଧୁର୍ଯ୍ୟ ଉଚ୍ଛ୍ୱସଇ

ତୋ ଅନ୍ତର ପୂରି ?

ତୋ ମୁଖର ବ୍ରଜଚନ୍ଦ୍ର !

ହେ ନନ୍ଦନନ୍ଦନ ।

କି ବିରହ ଜାଳେ ପ୍ରାଣେ

ଛନ୍ନ ହୁଏ ମନ ?

ଭୁଲିଯାଏ ସଂସାର ଲୋ !

ପ୍ରେମ-ଅଶ୍ରୁ ଝରେ,

ନାଚିବି, ଗାଇବି ଭାବେ,

କି ଭାବେ ଅଧୀରେ ?

କି ମାଧୁରୀ, କି ପ୍ରେମରେ

ତୋ ଅନ୍ତର ଭରା,

ରଖାଇପାରିବୁନି କି

ମୁଁ ତୋ ଶିଷ୍ୟା ପରା ?

ଶୁଣାଇପାରିବୁନି କି

ମୂରଲୀ ମଧୁର,

ଦେଖାଇ ପାରିବୁନି କି

ବାରେ ବଂଶୀଧର ?

ଦାସୀ କହେ, ରାଣୀ ଧରୁ

କି ଦୁର୍ଗମ-ପଥ ?

କେଡ଼େ କେଡ଼େ ଧରି ହେଲେ

ନାହିଁ ସମରଥ ।

ରାଜଭୋଗ ଛାଡ଼ି କେତେ

ଗଡ଼ିଲେ ଧୂଳିରେ,

ପାଟ ପୀତାମ୍ବରୀ ଛାଡ଼ି

କଉପୀନ ନେଲେ ।

ଖାଦ୍ୟ ପାନ ଭୁଲି ମହା

ତପସ୍ୟା ମଗନ,

ସୁନା ଦେହ ଚୂନା କଲେ,

ସାରିଲେ ଜୀବନ ।

ତେବେ ତ ପାରିଲେ ନାହିଁ

କରିଲେ ! ଗୋଚର,

ସହଜ ନୁହେ ଗୋ ଧରି

ଲୋଡ଼ୁ ବଂଶୀଧର ।

ଗୋଟିଏ ଉପାୟ ଅଛି,

ପଦେ ଶୁଦ୍ଧମତି,

ପ୍ରେମ, ପ୍ରେମ, ମହାପ୍ରେମ,

ସେହି ଏକା ଗତି ।

ପାଗଳୀ ହୋଇଲେ ପ୍ରେମେ,

ରାଣୀ ଦାସୀ ଭେଳା,

ବିଳାସ ଲୁଚିଲା, ଜାତ

ସଂଯମ, ଶୃଙ୍ଖଳା ।

ସାଧନେ, ଭଜନେ ଦୁଇ

ପ୍ରାଣଗଲା ମାତି,

କୃଷ୍ଣ ନାମେ ପ୍ରେମ, ସେଇ

ଚରଣରେ ରତି ।

ସାଧୁସଙ୍ଗ ପାଇଁ କ୍ରମେ

ପରାଣ ଉଚ୍ଛନ୍ନ

ସାଧୁସଙ୍ଗ ବିନୁ ନୁହେ,

ଚରଣ-ଦର୍ଶନ ।

ଦାସୀ କହେ, ‘‘ରାଣୀ ! ନୋହୁ

ଯୋଗୀ ୠଷି ମୁନି,

ବାଇଫଳ ଖାଇ ତୁ ତ

ହେଲୁ ପାଗଳୁଣୀ ।

ସମ୍ପଦର ଚୂଳେ ବସି

ଧରିବାକୁ ମନ

କାଙ୍ଗାଳର ହରି,

ଦରିଦ୍ରର ଭଗବାନ !

ଫିଙ୍ଗି ପୀତାମ୍ବରୀ, ଧର

କାଙ୍ଗାଳର ଭେକ,

ଭୋଗ ଛାଡ଼ି ଧର ଦୈନ୍ୟ,

ଲୁଚୁ ଗର୍ବ, ଟେକ ।

କୁଶାସନେ ଚର୍ମ ପାତି

ବସ ତୁ ଆସନେ,

କାୟା ଶିର ସମ କରି

ଶୁଦ୍ଧ ହୁଅ ମନେ ।

ନାସା ଅଗ୍ରେ, ଭ୍ରୂମଧ୍ୟରେ

ମନ କର ସ୍ଥିର,

ଧନମାନ ଚିନ୍ତା ଭୁଲି

ପ୍ରଣବ ତୁ ଧର,

ଓଁକାର ମଧ୍ୟରେ ଚିନ୍ତ,

ଯୁଗଳ ମୂରତି,

ତେବେ କାଳେ କୃପା ହେବ,

ଦେଖୁ କିନା ଜ୍ୟୋତି ।

ଦିବ୍ୟ ଜ୍ୟୋତି ପରିସରେ

ହେମ ପୁଣ୍ଡରୀକ,

କସ୍ତୁରୀ କେଶର ତାର

ପତ୍ର ସହସକ,

ସେହି ପୁଣ୍ଡରୀକ ପରେ

ପ୍ରଭୁ ଆଦିମୂଳ,

ଦେଖି ଧନ୍ୟ ହେବୁ ରାଣୀ,

କର୍ମ ଯେବେ ଭଲ ।

ଦୁର୍ଗମ କରମପଥ

ରଖେ ଅହଂକାର,

କରମ ଅରପି ତାରେ,

ପ୍ରେମେ ପଦ ଧର ।

ଯୁଗଳଚରଣେ ରହୁ

ପୀରତି-ପ୍ରଣତି,

ତାଙ୍କୁ କେ ଧରିବ ଯେବେ

ନାହିଁ ତାର ରତି ?

ବଡ଼ ସେ ହଟିଆ ରାଣୀ,

ସେ ତ ନଟବର,

ଧରୁ ଧରୁ ଖସି ସେ ତ

ହୁଅଇ ଅନ୍ତର ।

ଗୁରୁପଦେ ଶୁଦ୍ଧ ମତି,

ଗୁରୁରେ ପ୍ରଣତି,

ସାଧୁସଙ୍ଗ ବିନୁ ନାହିଁ

ମିଳନ୍ତି ଶ୍ରୀପତି ।

ସାଧୁସେବା କର ରାଣୀ,

ଭବୁ ହେବୁ ପାର,

ଇହ ପର ସୁଖେ ଛାଡ଼ି,

ସାଧୁପଦ ଧର ।’’

ଦାସୀ କଥା ଶୁଣି ରାଣୀ

ମନ ଦୃଢ଼ କଲା,

ଅନ୍ତଃପୁରେ ବନ୍ଦିନୀ ସେ

କଥା ଭୁଲିଗଲା ।

ଯୋଗକୁ ଦିଲ୍ଲୀ ନଗରେ

ରହିଛନ୍ତି ପତି,

ମିଳିଲେ ନଅର ପାଖେ

ଯତି ଶୁଦ୍ଧମତି ।

ବୈରାଗ୍ୟର ପ୍ରତିମୂର୍ତ୍ତି

ବିଭୁପ୍ରେମେ ଭୋଳା

ଦେଖୁଁ ପ୍ରେମ-ଢେଉ ରାଜ୍ୟ-

ସାରା ଖେଳିଗଲା ।

ଯତିଙ୍କୁ ଭେଟିବେ ରାଣୀ

ମନ ଦୃଢ଼ କଲେ,

ନିରୋଧ ନ ମାନି ବଳେ

ପରଦା କାଟିଲେ ।

ନଅର ବାହାରେ ରାଣୀ

ଯତିଜନ ଭେଟେ,

ଭାବେ ଭୋଳା ପ୍ରେମେ ରାଣୀ

ଯତି ପଦେ ଲୋଟେ ।

‘ଶ୍ରୀ ଚରଣ ମିଳୁ’ ରାଣୀ

ଶୁଣେ ଆଶୀର୍ବାଦ,

ପ୍ରେମେ ଅଶ୍ରୁ ଝରେ, ପ୍ରାଣେ

ଅପାର ଆନନ୍ଦ ।

ନଅରେ ବାହୁଡ଼ି ରାଣୀ

ନିଜ ଦୋଷ ଶୁଣେ,

ଲଜ୍ଜା, ମର୍ଯ୍ୟାଦା, ପରଦା

ଦଳିଲେ ଚରଣେ ।

‘‘ମୁଁ ପରା ଜନନୀ, ତୁମେ

ପୁଅ ଝିଅ ମୋର ।’’

କହେ ରାଣୀ, ‘‘ମାତୃ କୁତ୍ସା

ଅତି ଅସୁନ୍ଦର ।’’

ପଦକରେ ଶାନ୍ତ ହେଲେ,

ଯେତେ ପୁରଜନେ,

ମନ୍ତ୍ରୀ ନ ବୁଝିଲେ ଧରି

ଅହଙ୍କାର ମନେ ।

ଦିଲ୍ଲୀକୁ ଲେଖିଲେ କଡ଼ା,

ନାଚେ ରାଜା କୋପେ,

ରାଗରେ ଶରୀର ଥରେ,

ଦନ୍ତେ ଓଷ୍ଠ ଚାପେ ।

ଜନନୀ ସମ୍ବାଦ କିଛି

ଶୁଣିବାର ଆଶେ

ଆସିଗଲେ ପ୍ରେମସିଂହ

ପିତାଙ୍କର ପାଶେ ।

ମାଆ ଭାବ ପୁଅଠାରେ

କିଛି ଯାଏ ଜଣା,

ଗଳାରେ ତୁଳସୀମାଳା,

ତିଳକ ରଚନା ।

ପୁତ୍ରେ ଦେଖି ପିତା ଭାଷେ

ଅବଜ୍ଞା ବଚନ,

‘‘ଆସ ଆସ ସାଧୁପୁଅ

ସାଧୁଣୀନନ୍ଦନ ।

ପିତୃକ୍ରୋଧ ଦେଖି ସୁତ

ହୋଇଲା ଅନ୍ତର,

ମାତାର ଚରଣେ ଲେଖେ

ବିନୟେ ପତର ।

‘‘ମାତା ଘେନ ଶତ ଶତ

ଚରଣେ ପ୍ରଣାମ,

ସୁତ ତୋର ନେଉଅଛି

ନିତି ନିତି ନାମ ।

ପିତା ଆଜି ଦେଲେ ମୋରେ

ଆଶୀର୍ବାଦ ଢାଳି,

‘ଆସ ସାଧୁପୁଅ, ଆସ

ସାଧୁଣୀସଙ୍ଖାଳି ।’

ସାଧୁଣୀସଙ୍ଖାଳି ମାଆ !

ପାରିବି କି ହୋଇ ?

ତୋ ପରି ଅନ୍ତରେ ଭକ୍ତି-

ପ୍ରୀତିବଳ କାହିଁ ?

କୃପା କଲେ ହରି ହୃଦେ

ଭକ୍ତି ହୁଏ ଜାତ,

ଭେକ ଧରି କ୍ରମେ ହୁଏ

ଅନ୍ତର ମହତ ।

ଅନ୍ତର ନୈବେଦ୍ୟେ ବିଭୁ-

ପଦ ହୁଏ ଧରି,

କର ଆଶୀର୍ବାଦ,

ଯୋଗ୍ୟସୁତ ହୁଏ ତୋରି ।’’

ପତ୍ର ପଢ଼ି ମାତା ଭାବେ

ପାଇଣ ଆଶ୍ୱାସ,

‘‘ସଚ୍ଚା ପୁତ୍ର ମାତୃପ୍ରାଣେ

ଭରଇ ବିଶ୍ୱାସ ।

ଉତ୍ସାହ ସାହସ ଦେଇ

ଚଳାଏ ମାତାରେ,

ମାତାର ମୁକତି ପାଇଁ

ପ୍ରାଣପାତ କରେ ।’’

ଫିଙ୍ଗିଦେଲେ ରାଣୀ ବେଶ

ରତ୍ନ ଅଳଙ୍କାର,

ପଲଙ୍କ ତେଜି ବସିଲେ

ତୃଣାସନ ପର ।

ବକତେ ହବିଷ୍ୟ, ନାହିଁ

ରାଜାର ବ୍ୟଞ୍ଜନ,

ପୁତ୍ରେ ଲେଖେ, ‘‘ଆସ ପୁଅ,

ପରୀକ୍ଷା ତୁ ଘେନ ।

ସାଧୁଣୀ କି ନୁହେ ମାଆ

ପରୀକ୍ଷା ତୁ କର,

ସାଧୁଣୀର ପୁଅ ହୁଅ,

ସେ ମୋ ପୁରସ୍କାର ।’’

ପତ୍ର କଥା ଶୁଣି ନୃପ

ପୁତ୍ରେ ମାରି ଧାଇଁ,

ନୃପତିଙ୍କୁ ନିରୋଧିଲେ,

ଅମାତ୍ୟେ ବୁଝାଇ ।

ଦିଲ୍ଲୀ ଛାଡ଼ି ମାଧୋସିଂହ

ପୁରେ ଆସି ରହି,

ମାରିବେ କିପରି ରାଣୀ,

ବିଚାର ପଡ଼ଇ ।

ସ୍ଥିର ହେଲା ଦୃଷ୍ଟ ବୁଦ୍ଧି

ଦେଲେ ନୀଚଜନ,

‘ପୋଷା ସିଂହ ଛାଡ଼ିଦେବା

କରୁ ସେ ଭୋଜନ ।’

ପର ଦିନ ପ୍ରାତଃକାଳ,

ରାଣୀ ପୂଜାରତ,

ସିଂହର ପଞ୍ଜୁରୀ ଖୋଲେ,

ସିଂହ ଉପଗତ ।

ଦାସୀ ଡାକେ ଉଚ୍ଚେ, ‘‘ସିଂହ,

ସିଂହ ଆସେ ରାଣୀ !’’

ଚେତା ନାହିଁ, ରାଣୀ କର୍ଣ୍ଣେ

ନ ବାଜେ ସେ ବାଣୀ ।

ଦେହସାରା କଣ୍ଟକିତ

ପ୍ରେମେ ଅଶ୍ରୁ ଝରେ,

ତନ ମନ ଅର୍ପି ଦେଇ

ରାଣୀ ପୂଜା କରେ ।

ଦାସୀ ଛାଡ଼େ ଘୋର ରଡ଼ି,

ରାଣୀ ଖୋଲେ ଆଖି,

‘‘କି ଭାଗ୍ୟ ! ପ୍ରହ୍ଲାଦ ସ୍ୱାମୀ

ନରସିଂହ ଦେଖି !

ଆସନ୍ତୁ, ବସନ୍ତୁ ଦେବ

ଦାସୀ ସେବା ଘେନ,

ରାଣୀ ପାଦ୍ୟଅର୍ଘ୍ୟ ଦେଲେ,

କୁସୁମ, ଚନ୍ଦନ ।

ନରସିଂହ ମନ୍ତ୍ରେ ରାଣୀ

କରୁଛନ୍ତି ପୂଜା,

ସିଂହ ନଇବେଦ୍ୟ ଧରେ

ଦେଖ କେଡ଼େ ମଜ୍ଜା !

‘‘ସିଂହେ ନରସିଂହ ଭାବି

ରାଣୀକରେ ପୂଜା,

ସୁଖେ ସିଂହ ନଇବୈଦ୍ୟ

ଖାଏ,’’ ଶୁଣେ ରାଜା ।

ନୈବେଦ୍ୟ ଭକ୍ଷିଲା ସିଂହ,

କି ପୋଷା ମାର୍ଜ୍ଜାରୀ,

ବାହାରକୁ ଡେଇଁ ଦୁଷ୍ଟେ

ମାରେ ବକ୍ଷ ଚିରି ।

ଖୋଜି ଖୋଜି ଦୃଢ଼େ ଧରି

ସିଂହ ବକ୍ଷ ଚିରେ,

କୁଟ ବୁଦ୍ଧି ଦେଲେ ଯେହୁ

ରାଜାଙ୍କ ମନରେ ।

ହାହାକାର ପଡ଼ିଗଲା,

ରାଜା ଆସେ ଧାଇଁ,

ମାର୍ଜାର ସମାନ ସିଂହ

ପଞ୍ଜୁରିକୁ ଯାଇ !

ସାରା ଦୁର୍ଭାବନା ଗଲା,

ଖୋଲେ ନୃପ ଆଖି,

ପ୍ରୀତିରେ ଲୋତକ ଝରେ

ରାଣୀପୂଜା ଦେଖି ।

କରନ୍ତି ନୃପତି ନତ

ରାଣୀ ପଦେ ଶିର,

ରାଣୀ କହେ, ‘‘ନୃପ ପୂଜୁ-

ଛନ୍ତି ବଂଶୀଧର !’’

ସମ୍ମୁଖେ ଯୁଗଳ ରୂପ

ଦେଖୁଛନ୍ତି ରାଣୀ,

ବାମେ ରାଧା ରାଣୀ, ମୃଦୁ-

ହାସେ ବେଣୁପାଣି ।

ରାଜା–ପାପୀରେ ଦେଖାଉ,

ରାଣୀ ! ଜାଣୁନି କି ଗୁଣି,

ଯୋଗୀରେ ଅଲଭ୍ୟ ଏ ତ

କୃଷ୍ଣ ରାଧାରାଣୀ ।

ରାଣୀ–ଦେଖନ୍ତୁ ପରାଣଧନ !

ସାର୍ଥକ ସାଧନା,

ରାଜା ଆଜ୍ଞା ମିଳୁ, କରେ

ପୂଜା-ବନ୍ଦାପନା ।

ଯୁଗଳ ମୂରତି କ୍ଷଣେ

ହୋଇଲେ ଅନ୍ତର,

ରାଣୀ ସଙ୍ଗେ ରାଜା ଧରେ

ବେଶ ସନ୍ନ୍ୟାସୀର ।

ରାଜ୍ୟର ବିଭବେ ପୁତ୍ର

କରେ ପୂଜାଦାନ,

କୃତାର୍ଥ ଜୀବନ ଦେଖି

ନରେ ନାରାୟଣ ।

ଜୟ ବଂଶୀଧାରୀ, ଜୟ

ଯୁଗଳ ମୂରତି,

ହୃଦେ ଭକ୍ତି ହେଉ ସଚ୍ଚା,

ଚଖାଅ ପୀରତି ।

ଭେକୁଁ ଆସ୍ଥା ତୁଟୁ, ହେଉ

ଅନ୍ତର ସୁନ୍ଦର,

ତୁମରି ନୈବେଦ୍ୟ ରଚ,

ତୁମେ ବଂଶୀଧର ।

Image

 

Unknown

ଭୂଗର୍ଭରେ ସଂକୀର୍ତ୍ତନ

 

ରାଜସ୍ଥାନ ବୀରଭୂମି,

ତହିଁ ଏକ ଗ୍ରାମ,

ଭକତ କୁମ୍ଭାର ରହେ

କୁବା ତାର ନାମ ।

ପତ୍ନୀ ନାମ ପୁରୀ ତାର

ପତିରେ ପୀରତି,

ମାଟି ହାଣ୍ଡି ଗଢ଼ି ବିକି

ସୁଖରେ ଚଳନ୍ତି ।

ଧନରେ ନ ଥାଏ ଲୋଭ,

ଗଢ଼ନ୍ତି ଅଳପ,

ଭଜନେ ସମୟ ଯାଏ,

କରି ଜପ ତପ ।

ଅଭ୍ୟାଗତ ସେବା ଅବା

ଅତିଥି ପୂଜନ,

ଭାଗ୍ୟରେ ଯୁଟିଲେ ପରି -

ତୃପ୍ତି ପ୍ରାଣ ମନ ।

ଧନ କରେ ଲୋକ, ଧନ୍ୟ

ହୁଏ ବ୍ୟୟେ ତାର,

ବ୍ୟୟଟି ବିଷମ କଥା,

ଭୁଲେ ବିଜ୍ଞ ନର ।

ଦାନ, ଭୋଗ, ନାଶ ତିନି

ଧନର ତ ଗତି,

ସଞ୍ଚିଲେ ସମ୍ପଦ କ୍ରମେ

ନଷ୍ଟ କରେ ମତି ।

ଭୋଗରେ ଲାଗିଲେ ରୋଗ,

ପାପ ହୁଏ ସାର,

ଅତିଥିସେବା, ଦାନରେ

ସମ୍ପଦ ସଫଳ ।

ଧନର ଏ ଗୁଣ, ଦୋଷ

ଜାଣନ୍ତି ଦମ୍ପତି,

ଧନ ଥିଲେ, ଆଦରେ ସେ

ଅତିଥି ପୂଜନ୍ତି ।

ଗ୍ରାମକୁ ଆସିଲେ ଥରେ

ସାଧୁ ଦୁଇ ଶତ,

କେହି ନ କରନ୍ତି ସେବା

ବଡ଼ ହିଁ କ୍ଷୁଧିତ ।

ଶେଠ, ସାହୁକାର, ଯେବା

ଥିଲେ ଅର୍ଥପତି,

କୁବା ନାମ କହି ବର-

ଗନ୍ତି ତାର କତି ।

ଦେଖିଣ ସାଧୁମଣ୍ଡଳି

କୁବା ଆନନ୍ଦିତ,

ପଦେ ପଡ଼ି ଜଣେ ଜଣେ

କରେ ଦଣ୍ଡବତ ।

ଆସନ ଦେଇଣ କୁବା

ବିକଳେ ଭାବିଲା,

ଅର୍ଥ ନାହିଁ ସାଧୁ କେହ୍ନେ

ଭୁଞ୍ଜାଇବି ଭଲା ।

ଉଧାର ମାଗଇ ଯାଇ

ମହାଜନ ଘରେ,

ସଚ୍ଚା ଲୋକ ବୋଲି ତାର

ସ୍ନେହ କୁବାଠାରେ ।

ଦୁଇଶ ସାଧୁଙ୍କ ପାଇଁ

ଘୃତ, ଡାଲି, ଅନ୍ନ,

ସହଜ କି ଯୋଗାଇବା ?

କେତେ ଲୋଡ଼ା ଧନ ।

ଗରିବ ନ ଛାଡ଼େ, ଡ଼ରି-

ଗଲେ ଅର୍ଥପତି,

କୁବା ରହିଅଛି ଦୃଢ଼,

ପୂଜିବ ଅତିଥି ।

ଗରିବର ଭାବେ ତର-

ଳିଲା ମହାଜନ,

କହିଲା, ମୋ ପାଇଁ କୂପ

କରିବୁ ଖନନ ।

ପତି ପତ୍ନୀ ଦୁଇ ମିଳି

ଖୋଳିଦେବ କୂଅ,

ଅଟା, ଡାଲି, ଘିଅ ଯେତେ

ଲୋଡ଼ା ଲେଖିନିଅ ।

ହରଷରେ କୁବା ସେଥି

ଦେଲା ସନମତି,

ସୁଖେ ସାଧୁ ଭୁଞ୍ଜାଇଲା

ପାଇଲା ତୃପତି ।

ଆଶୀର୍ବାଦ ଦେଇ ସାଧୁ

ତୁଷ୍ଟ ହୋଇଗଲେ,

ସମ୍ପଦ କି ସରି ହେବ

କେବେ ଏହା ତୁଲେ ।

ଦିନାକେତେ ଗଲା କୁବା

ମାନସ ଚଞ୍ଚଳ,

ଖୋଳିବାକୁ କୂଅ ଆସେ

ମହାଜନ ଘର ।

ପୁରୀ ଦୂରେ ଫିଙ୍ଗେ ମାଟି

କୁବା ମାଟି ଖୋଳେ,

ଖୋଳି ଖୋଳି କୁବା କ୍ରମେ

ଗଲା ତଳୁତଳେ ।

ଭଷୁଡ଼ିଲା କଡ଼ୁଁ ମାଟି

କୁବା ପୋତିହେଲା,

କି ହେଲା, କି ହେଲା

ବୋଲି ଚହଳ ପଡ଼ିଲା ।

ଜମିଲେ ବହୁତ ଲୋକ

ଦେଖିଲେ ବିଚାରି,

ବାହାର କରିବା ସାଧ୍ୟ

ନୁହେ ଖୋଳିକରି ।

ଉଠାଉ ଉଠାଉ ମାଟି

ଶ୍ୱାସରୁଦ୍ଧ ହେବ,

ସେଯାଏଁ ତ କେବେ ପିଣ୍ଡେ

ପରାଣ ନ ଥିବ ।

ପୁରୀର ବ୍ୟାକୁଳ ପ୍ରାଣେ

କି କରୁଣ ଭାବ ।

କାନ୍ଦି କହେ କି କଲୁ ରେ,

କି କଲୁ ଦଇବ !

ପୁରୀକୁ ବୁଝାଇ ଲୋକେ

ନେଇଗଲେ ଘରେ,

ଦୟାକରି ଧନଦ୍ରବ୍ୟ

କେହୁ ଅବା ଦେଲେ ।

ବର୍ଷା ହେଲା, କୂଅ ମାଟି-

ପାଣିରେ ପୂରିଲା,

ପୁରୀ ଛଡ଼ା କୁବା କାହା

ମନେ ନ ପଡ଼ିଲା ।

ଥରେ ଯାଉଥିଲେ ବାଟେ

ଜମାଉତ ଦଳେ,

ତମ୍ବୁ ପକାଇଲେ କୂଅ

ପାଖ ବୃକ୍ଷତଳେ ।

ମହନ୍ତ ଶୁଣିଲେ, କୂପ

ତଳରେ ଚହଳ,

ଉଠଇ ମୃଦଙ୍ଗଧ୍ୱନି

ବାଜେ କରତାଳ ।

ଏ ଅଦ୍ଭୁତ ସଂକୀର୍ତ୍ତନ

ହୁଅନ୍ତେ ପ୍ରଚାର,

ଜମିଲେ ରାଇଜ ଲୋକେ

ରାଜା ମନ୍ତ୍ରୀବର ।

ରାଜାଦେଶେ ଖୋଳିବାରେ

ଲାଗିଗଲେ କେତେ,

କୂଅ ସଫା ହେଲା ଲୋକେ

ଦେଖିଲେ ଚକିତେ ।

ତଳେ ବହୁଅଛି ଦିବ୍ୟ

ବିମଳ ନିର୍ଝରୀ,

ପାଖେ ଛନ୍ତି ଶଙ୍ଖ-ଚକ୍ର-

ଗଦା-ପଦ୍ମଧାରୀ ।

ସମ୍ମୁଖେ କୁବା ନାଚୁଛି

ବଜାଇ ମର୍ଦ୍ଦଳ,

କେବେ ଅବା ହସ୍ତେ ଧରି

ବାଏ କରତାଳ ।

ଦେଖିଲେ, ରାଜନ ମନ୍ତ୍ରୀ

ଲୋକ ଶତ ଶତ,

ଦେଖୁ ଦେଖୁ ଭଗବାନ

ହେଲେ ଅନ୍ତର୍ହିତ ।

ମହା ଭାଗବତ କୁବା,

ତା ଚରଣ-ଧୂଳି,

ରାଜା, ମନ୍ତ୍ରୀ, ସର୍ବଜନ

ଘେନିଲେ ମଉଳି ।

ଧନ୍ୟ ଧନ୍ୟ କୁବା ଧନ୍ୟ

ତୋହର ଜୀବନ,

ତୋ ଘେନି ତରିଲେ ଜନେ

ଦେଖି ଭଗବାନ ।

ପତି ଦେଖି ପ୍ରତିବ୍ରତା

ନେତ୍ରୁଁ ଅଶ୍ରୁ ଝରେ,

ଦୂର ଦୂରାନ୍ତରୁ ଦେଖି

ଆସନ୍ତି କୁବାରେ ।

ରାଜା ଆସି ନିୟମିତ

କରନ୍ତି ଦର୍ଶନ,

ଦେବତାଠୁଁ ବଳି କୁବା

ପାଅଇ ସମ୍ମାନ ।

କାଙ୍ଗାଳର ହରି ସେ ତ

ଦରିଦ୍ରର ନାହା,

ବିପଦେ ଆପଦେ ସଦା

ଭକତର ସାହା ।

ଭକତ ରଖିବା ପାଇଁ

ଲୀଳା ବିସ୍ତାରିଲେ,

ଘଣ୍ଟ ଘୋଡ଼ାଇ କୁବାରେ

ଭୂତଳେ ରଖିଲେ ।

କୁବା ସଙ୍ଗ ମେଳେ ଜନେ

ପାଇଲେ ସୁଗତି,

ଉପଦେଶେ ବଦଳିଲା

କେତେ ପାପ ମତି ।

ପଡ଼ିଲା ଅକାଳ ଥରେ

ଲୋକେ ମଲେ ଗଡ଼ି,

‘ହା ଅନ୍ନ,’ ‘ହା ଅନ୍ନ’

ଚତୁର୍ଦ୍ଦିଗେ ଶୁଭେ ରଡ଼ି ।

କୁବା ପାଶେ ଜମି ଲୋକେ

ଧରିଲେ ପୟର

କୁବା ମୁଜେ ଆଖି, ଖୋଲେ

ଲକ୍ଷ୍ମୀ ଗନ୍ତାଘର ।

ଅନ୍ନ ପାଇ ସେ ଅକାଳୁ

ବଞ୍ଚିଗଲେ ଲୋକ ।

କାଳ କାଳ ରହିଅଛି

ଭକତର ଟେକ ।

ଜୟ ଦୀନବନ୍ଧୁ, ଭକ୍ତ-

ଆରତ-ଭଞ୍ଜନ

ଜୟ କାଙ୍ଗାଳର ହରି,

ଭକତ-ରଞ୍ଜନ ।

ଜୟ ହେ ବିଚିତ୍ରକର୍ମା,

ଜୟ ଲୀଳାମୟ,

ଶୁଣ ଦୀନ ଡାକ, ଦିଅ

ଅଭୟ ଆଶ୍ରୟ ।

Image

 

ପ୍ରୟାଗ ମାମୁ

 

ଜନକ-ନନ୍ଦିନୀ ସୀତା

ପୂତା ଜନ୍ମଭୂମି,

ତୀର୍ଥସମ୍ପଦେ ଦେଖନ୍ତି

ଯାତ୍ରୀ, ମୁକ୍ତିକାମୀ ।

ଜନକପୁର ବିଦେହେ

ଉନ୍ନତ, ମହତ,

ତିନିଶ ବର୍ଷ ତଳର

ହେବ ଏ ଚରିତ ।

ବିଧବା ବ୍ରାହ୍ମଣୀ ରହେ

ବିରତି କୁଟୀର,

କୋଳକୁ ମାତର ତାର

ଏକଇ କୁମର ।

କୁମର ନୁହଇ ମାତା

ପରାଣପସରା,

ନୟନର ମଣି ସେ ତ

ଦୁଃଖ-ଶୋକହରା ।

ମାତା ପିତା ଯାଇଥିଲେ

ପ୍ରୟାଗ ସାହାନେ,

ଫେରି ଆସି ପୁଅ ଜନ-

ମିଲା ଦୁଇ ଦିନେ ।

ଆନନ୍ଦେ ନନ୍ଦନ ନାମ

ପ୍ରୟୋଗ ସେ ଦେଲେ,

ଶିଶୁପୁତ୍ର ରଖି ପିତା

ସଂସାର ଛାଡ଼ିଲେ ।

ଜନକପୁରର ଲୋକ

ମୁଖେ ଏବେ ଶୁଣି,

ଜନକନନ୍ଦିନୀ ତାଙ୍କ

ଝିଅ ବା ଭଉଣୀ ।

ପ୍ରୟାଗ ପୁଚ୍ଛଇ, ‘ମୋର

କିଏ ଅଛି ଆଉ ?’’

‘‘ଅଛଇ ଭଉଣୀ,’’ ମାଆ

କହେ, ‘‘ରାଣୀ ସେହୁ ।’’

‘‘ରାମ ଚକ୍ରବର୍ତ୍ତୀ ଅଯୋ-

ଧ୍ୟାରେ ତାଙ୍କ ଘର,

ସୁତା ମୋ ଜାନକୀ ପ୍ରାଣ-

ପ୍ରିୟା ପତ୍ନୀ ତାର ।’’

ପ୍ରୟାଗ ଉତ୍ସନ୍ନ ହୁଏ,

ଦେଖିବ ଭଉଣୀ,

ବଡ଼ ହୁଅ ‘ଦେଖିଯିବୁ’,

ବୁଝାଏ ଜନନୀ ।

ଭିଣୋଇ ଭଉଣୀ କଥା

ପିଲାଦିନୁ ମନେ,

ଛାପି ହୋଇ ଯାଇଥିଲା

ଗୁଣି ପ୍ରତି ଦିନେ ।

ବିଧବା ବଡ଼ ଭକତା,

ଜପେ ରାମନାମ,

ଜନକତନୟାଠାରେ

ବଡ଼ ତାର ପ୍ରେମ ।

ପୁଅ ଜିଦ୍ କରେ ଯିବ

ଜନକନଗରୀ,

ଭଉଣୀ ଭିଣୋଇ ଦେଖି

ଆସିବ ସେ ଫେରି ।

ଅନ୍ତର ନିର୍ଭରେ ମାତା

ଶୋଚେ ମନେ ମନେ,

‘‘ଅବୋଧ ଭାଇ କି ସୀତା

ଘେନିବେ ଯତନେ ?

ଜଗତର ଲକ୍ଷ୍ମୀ ସେ ତ

ରାଜାର ନନ୍ଦିନୀ,

କି ଅବା ସମ୍ପଦ ସରି

ଯିବ ଭାଇ ଘେନି ?

ରାମ ଚକ୍ରବର୍ତ୍ତୀ ନିଶ୍ଚେ

କରିବେ କରୁଣା,

ଅନ୍ତର ବଳଇ ଯେବେ

ନ କରିବି ମନା ।’’

ସମ୍ମତି ଭରିଲା ମାତା,

ପୁଅ ଆନନ୍ଦିତ,

ଖାଲି ହାତେ କିପରି ସେ

ପଠାଇବ ସୁତ ?

ଶୂନ୍ୟ ହାତେ ଝିଅଘରେ

କି କହିବେ ଜନେ ।

ଧାର କରି ଆଣିଲା ସେ

ଖୁଦ ଦୁଇ ମାଣେ ।

ଯତନେ କରିଲା ଚୂନା,

ଗଢ଼ିଲା ମୋଦକ,

ଝିଅ ପାଇଁ ପଠାଇଲା

ରଖି ନିଜ ଟେକ ।

ପୁଅ ବାଟେ ଖାଇବାକୁ

ଦେଲା ଛତୁ କିଛି,

କୁମରକୁ ପିନ୍ଧାଇଲା

ପେଡ଼ି ଲୁଗା ବାଛି ।

ଚୁମ୍ବ ଦେଇ ମୁଖେ କହେ,

‘‘ପରାଣ-ସଙ୍ଖାଳି,

ନିଶ୍ଚେ ଦୁଇ ଚାରି ଦିନେ

ଆସିବୁ ତୁ ଫେରି ।

ଦଣ୍ଡେ ନ ଦେଖିଲେ ମୁଁ ତ

ହୁଅଇ ବାୟାଣୀ,

ଦୁଇ ଚାରି ଦିନ କେହ୍ନେ

ରହିବଇଁ ପୁଣି ?’’

ମାତା ପଦେ ନମି ପୁତ୍ର

ହୁଅଇ ଅନ୍ତର,

ରାମନାମ ଜପେ ମାତା,

ନେତ୍ରୁ ଝରେ ନୀର ।

ଚାଲି ଚାଲି ପୁଅ କଷ୍ଟେ

ଅଯୋଧ୍ୟା ଧଇଲା,

ଭିଣୋଇ ସମ୍ବାଦ ଜଣେ

ଜଣେ ପଚାରିଲା ।

ପ୍ରୟାଗ ପଚାରେ ପ୍ରଶ୍ନ,

ହସଇ ଯେ ଶୁଣେ,

ଗୋଡ଼ ଥକିଗଲା ବୁଲି

ବୁଲି ଏଣେ ତେଣେ ।

ପ୍ରୟାଗ ଭାବଇ ମନେ,

‘‘ଆଚ୍ଛା ତ ଭେଣୋଇଁ !

ସ୍ଥାନ ଛାଡ଼ି କାହିଁଗଲେ,

ପତ୍ତା ମିଳୁ ନାହିଁ ।’’

ମଣି ପର୍ବତର ପାଖେ

ସୁନ୍ଦର ମନ୍ଦିର,

ସମ୍ମୁଖରେ ପୁଷ୍କରିଣୀ

ଅତି ମନୋହର ।

ମନ୍ଦିରରୁ କୂଳଯାଏ

ପଶସ୍ତ ସୋପାନ,

ଚତୁର୍ଦ୍ଦିଗେ ଘଞ୍ଚବୃକ୍ଷ

ଦିଶଇ ଯତନ ।

କ୍ଲାନ୍ତ ହୋଇ ବୃକ୍ଷ ତଳେ

ପ୍ରୟାଗ ବସିଲା,

ଭିଣୋଇରେ ରାଗ, ‘‘ଏଥି

ଥିଲା କାହିଁଗଲା ?

ସମ୍ବାଦ ନ ମିଳେ କିଛି,

ପଚାରିବି କାରେ ?

ଏପରି ବାନ୍ଧବ କାହିଁ

ଅଛି ନା ସଂସାରେ ?

ଖୋଜି ଖୋଜି ଥକିଲିଣି,

ନ ପାରଇ ଚାଲି,

ଭିଣୋଇର ଇଚ୍ଛା ହେଲେ,

ଖୋଜୁ ଶଳା ବୋଲି ।’’

ଚକ୍ରବର୍ତ୍ତୀ ରାଜା ସେ ତ

ଜଗତର ନାଥ,

ଖୋଜି ପାଇବାକୁ କିଏ

ହେବ ସମରଥ ?

ନିଜେ ଆସି, କୃପା କରି

ନ ଦେଲେ ସେ ଧରା,

ଖୋଜୁଥାଅ, ନ ମିଳିବେ,

ସାରା ବସୁନ୍ଧରା ।

ପ୍ରୟାଗର ମନେ ରାଗ,

ଅନ୍ତରେ ନିର୍ଭର,

ବାଜିଲା ପରାଣେ ରାମ

ହୋଇଲେ ଅସ୍ଥିର ।

ପ୍ରୟାଗ ଦେଖଇ ଧଳା

ହାତୀ ପରେ ବସି,

ଆସନ୍ତି ଦି ଜଣ ଚାହୁଁ-

ଛନ୍ତି ହସି ହସି ।

ସୁବର୍ଣ୍ଣ ଅମାରି ପରେ

ରତ୍ନ-ସିଂହାସନ,

ବସିଛନ୍ତି ରାଜାରାଣୀ

ଦିଶନ୍ତି ଯତନ ।

ଶିରେ ସୁବର୍ଣ୍ଣ-ମୁକୁଟ

ମଣିରତ୍ନ ଭରା,

ଉଜ୍ଜ୍ୱଳ ଶ୍ୟାମଳ ତନୁ

ଫୁଟି ଦିଶେ ତୋରା ।

ପ୍ରୟାଗ ଚିହ୍ନିଲା, ସେ ତା

ଭଉଣୀ ଭିଣୋଇଁ,

କେତେ କାଳୁ ପରିଚିତ

ତାର ଅବା ସେହି !

ପ୍ରୟାଗ ପାଖକୁ ଆସି

ବସି ପଡ଼େ ହାତୀ,

ଭିଣୋଇ ଭଉଣୀ ହସି

ହସି ଓହ୍ଲାଅନ୍ତି ।

ଜାନକୀ କହନ୍ତି, ‘‘ଭାଇ,

ଭଉଣୀର ପାଇଁ,

କେତେ କଷ୍ଟ ସହି ବାବୁ !

ଆସିଲୁ ତୁ ଧାଇଁ !

ମାତା ଦେଇଛନ୍ତି ଦ୍ରବ୍ୟ,

ଦେଉ ନାହୁଁ ମୋତେ’’

ଆବା କାବା ହୋଇ ଭାଇ

ଚାହିଁଛି ପୁରତେ ।

ଆରେ ବାଃ ଖେଳଇ

ଜ୍ୟୋତି ଏ କି ରୂପରାଶି,

ଆଖି କହେ କାଳ କାଳ

ଦେଖୁଥାନ୍ତି ବସି ।

ଅଙ୍ଗ କହେ, କୁଣ୍ଢାଇଣ

ମିଶାନ୍ତି ଅଙ୍ଗରେ,

ଶୁଣିବାକୁ କଥା ଶକ୍ତି

ନାହିଁ ତା ଶ୍ରୁତିରେ ।

କିଛି କାଳେ ପ୍ରୟାଗର

ଆସିଲା ଚେତନା,

ମୋଦକ ପୋଟଳୀ ଦେଲା

ହୋଇ ପ୍ରୀତମନା ।

ରଘୁପତି ଦୁଇ ନେଲେ

ପତ୍ନୀ ହସ୍ତେ ଦୁଇ,

ଦେଇଣ କହିଲେ, ‘‘ରଖ

ବାକୀ ତୁମ ପାଇଁ ।

ମାଆଙ୍କୁ କହିବ, ଆମେ

ଅଛୁ ଦୁହେଁ ଭଲେ,

ବେଳେ ବେଳେ ଦେଖାହେବ

ଇଚ୍ଛା ଦୃଢ଼ କଲେ ।’’

କ୍ଷଣକେ ଚଢ଼ିଲେ ହାତୀ

ହୋଇଲେ ଅନ୍ତର,

ପ୍ରୟାଗ ନ ପାରେ ସହି,

ଚେତା ବୁଡ଼େ ତାର ।

ଆସି ମିଳିଗଲେ ସାଧୁ

ଦେଖି ଏ ଅବସ୍ଥା,

ଆଶ୍ରମେ ଯିବାକୁ ନେଇ

କଲେ ସେ ବ୍ୟବସ୍ଥା ।

ପ୍ରୟାଗ ଚେତନା ପାଇ

ଫିଟାଏ ଲୋଚନ,

ସମ୍ମୁଖେ ଦେଖଇ ଗୁମ୍ଫା

ଶୁଦ୍ଧ ବିମୋହନ ।

ବସିଛନ୍ତି ପାଖେ ସାଧୁ,

ରହିଛନ୍ତି ଚାହିଁ,

କହେ, ‘‘କାହିଁ ଗଲେ ବାବା !

ଭଉଣୀ ଭିଣୋଇଁ ?

ହାତୀରୁ ଓହ୍ଲାଇ ଦୁହେଁ

ହୋଇଥିଲେ ଠିଆ ।

ମୃଦୁ ହାସେ ଭାଷୁଥିଲେ

ଛାଡ଼ିଗଲେ କିଆଁ ?

ସେତ ରାଜାର କୁମର

ବ୍ରହ୍ମାଣ୍ଡ ଗୋସାଇଁ,

ପଥର-ଭିକାରୀ ମୋରେ

ଦୟା ତିଳେ ନାହିଁ ।

ନାନୀ ଜଗତର ମାତା

ଲକ୍ଷ୍ମୀ ଠାକୁରାଣୀ,

ଚାହିଁଥିଲେ ମୃଦୁ ହସେ,

କି ଚାରୁ ଚାହାଣୀ ।

ବିମ୍ବ ଜିଣି ରମ୍ୟ ଦିଶେ

ସୁରଙ୍ଗ ଅଧର,

ମଧୁହସେ ସେ ଯେ ବାଣୀ,

ଅମୃତୁଁ ମଧୁର ।’’

ସାଧୁ ବୋଲେ, ‘‘ବାଳକ ରେ !

କେଡ଼େ ଭାଗ୍ୟ ତୋର ।

ଦେଖିଲୁ ଜଗତମାତା,

ବ୍ରହ୍ମାଣ୍ଡଠାକୁର ।

ତୋର ପଦ ପଡ଼ି ପୂତ

ହେଲା ଏ ଆଶ୍ରମ,

ରାତିରେ ବିଶ୍ରାମ ନିଅ,

କାଲି ଯିବୁ ଗ୍ରାମ ।

କି ସମ୍ବନ୍ଧ ବାନ୍ଧି ବଶ -

କଲୁ ବିଶ୍ୱସାଇଁ,

ବୃଦ୍ଧ ହେଲୁ ଭାଳି ଭାଳି,

ଏ କରୁଣା କାହିଁ ?’’

ଘଡ଼ିଏ ତ ହେବ ରାତି

ଦ୍ୱାରେ ଦୁଇ ନାରୀ,

କିବା ସେ ସୁନ୍ଦରପଣ,

ଯାଏ ଜ୍ୟୋତି ଖେଳି ।

କହନ୍ତି, ‘‘ପୂଜିଲୁ ଘରେ

ପ୍ରଭୁ ଭଗବାନ,

ତୁମ ପାଇଁ ଏଇ ଭୋଗ

ଦୁଇ ଥାଳୀ ଘେନ ।

କାଲି ତ ସକାଳେ ଆସି

ନେଇଯିବୁ ଥାଳୀ,

ପ୍ରସାଦ ସାର, ନ ହୁଅ

ସେଥିପାଇଁ ଭାଳି ।’’

ଚାଲିଗଲେ ନାରୀ, ସାଧୁ

ଦେଖେ ଅଦଭୁତ,

ସୁବର୍ଣ୍ଣର ଥାଳୀ ସେ ଯେ

ରତନଜଡ଼ିତ ।

ପତ୍ରେ ଢଙ୍କା ଥାଇ ଫୁଟୁ

ନ ଥିଲା ତା ଶୋଭା,

ଥାଳୀରୁ ଖେଳିଲା ଏବେ

ଚଉଦିଗେ ବିଭା ।

ଥାଳୀର ଜ୍ୟୋତିର ସାଧୁ

କରନ୍ତି ଦର୍ଶନ,

କ୍ଷୀରି, ପିଠା, ପୂରୀ, ପୂଳି

ବିବିଧ ବ୍ୟଞ୍ଜନ ।

ଜଗତଜନନୀ ଦେଇ-

ଛନ୍ତି ଭାଇ ପାଇଁ,

ସାଧୁ ଭାବେ, ‘‘ଭାଗ୍ୟ ଥିଲା

ସେବା କରିବଇ ।’’

ଗଣ୍ଡେ ପ୍ରେମ-ଅଶ୍ରୁ ବହେ

କରନ୍ତି ଭୋଜନ,

ଜୀବନର ପାପତାପ

ହେଲା କି ଖଣ୍ଡନ ।

ଭାଇ କହେ, ‘‘ନାନୀ ମୋର

କି ରାନ୍ଧଣା ଜାଣେ ।’’

‘‘କାଙ୍ଗାଳର ହରି’’, ସାଧୁ

ଚିନ୍ତେ ମନେ ମନେ ।

ଆନନ୍ଦେ ଶୟନ କଲେ

ପାହିଗଲା ରାତି,

ଥାଳୀ ଘେନି କି କରିବେ

ଉଭୟେ ଭାବନ୍ତି ।

‘‘ରତନର ଥାଳୀ ଏ ତ

ରାଜାଘର ଧନ,

ବଇରାଗୀ ଆଶ୍ରମରେ

କାହିଁ ଏହା ସ୍ଥାନ ?

‘‘ପ୍ରୟାଗ ସଙ୍ଗରେ ନିଅ’’,

ନାସ୍ତିକରେ ସେହି,

‘‘ନାନୀଦ୍ରବ୍ୟ ଦେଖି ମାଆ

ମାରିବ ଗୋଡ଼ାଇ ।’’

ରତ୍ନଥାଳୀ ଫିଙ୍ଗିଦେଲେ

ପୁଷ୍କରିଣୀ ଗଣ୍ଡେ

ମାତା କଥା ଭାଳି ପୁଅ

ଚାଲେ ରାଜଦାଣ୍ଡେ ।

ଚାହିଁଛନ୍ତି ମାଆ ଦାଣ୍ଡେ

ଦୁଆର ଆବୋରି,

ଘେନନ୍ତି ପୁତ୍ରକୁ କୋଳେ

ପଡ଼େ ଅଶ୍ରୁ ଝରି ।

ପୁଅଠୁଁ ଘଟଣା ଶୁଣି

ଜନନୀ ଚକିତ,

କହନ୍ତି, ‘‘ଜୀବନ ଧନ୍ୟ,

ତୋ ଘେନିରେ ସୁତ !’’

ନିତି ନିତି ଝିଅ ଜୋଇଁ

କଥା ଭାଳି ଭାଳି,

ବିଧବା ସୁଗତି ପାଇ

ସ୍ୱର୍ଗେ ଗଲା ଚଳି ।

ପିତୃଗୃହ ବିକି ମାତା

ଶୁଦ୍ଧଶ୍ରାଦ୍ଧ କଲା,

ନାନୀ ଭିଣୋଇ ପାଖକୁ

ପ୍ରୟାଗ ଚଳିଲା ।

ଆଯୋଧ୍ୟାକୁ ଆସି ଖୋଜେ

ଭଉଣୀ ଭିଣୋଇ,

ଅନ୍ଦିକନ୍ଦି ବୁଲି ପୁଚ୍ଛେ,

‘‘ନାନୀ ମୋର କାହିଁ ?’’

ଭୁଲିଲା ପାନ ଭୋଜନ,

ଭୁଲିଗଲା ବେଶ,

ଧୂଳିଧୂସରିତ ତନୁ

ଫରଫର କେଶ ।

ତ୍ରିଲୋଚନ ସ୍ୱାମୀ ଆଗୁ

ଚିହ୍ନିଥିଲେ ତାର,

ଆଶ୍ରମେ ପ୍ରୟାଗେ ନେଲେ

ଅତିଥି ବେଭାରେ ।

ସାଧୁସଙ୍ଗ ପାଇ କ୍ରମେ

ମତି ହେଲା ସ୍ଥିର,

ସାଧୁ ଦେଲେ ଦୀକ୍ଷା ନେଲା

କଉପୀନ ଡୋର ।

ପ୍ରୟାଗ ଦାସ ନାମରେ

ହେଲା ପରିଚିତ,

ମହାପ୍ରାଣ ଫୁଟି କ୍ରମେ

ହେଲା ପ୍ରକଟିତ ।

ବନେ ବନେ ବୁଲୁ ବୁଲୁ

ଯାଏ ଦିନରାତି,

ଦେଲେ ତୁଣ୍ଡେ ଅନ୍ନ ଜଳ

ଅଳପେ ଘେନନ୍ତି ।

ମହା ବନେ ଗଲେ ପଶି

ନ ମିଳେ ସାକ୍ଷାତ,

ମାସ ମାସ ଯାଏ ଚାଲି

ପତ୍ତା ନ ମିଳେ ତ ।

ଠିଆହେଲେ ଖମ୍ବ ପରି

ହୋଇଥାନ୍ତି ଠିଆ,

ମେରୁ ପରି ସହୁଥାନ୍ତି

ଖରା-ବର୍ଷା-ବାଆ ।

ଲକ୍ଷ୍ମୀଙ୍କର ଭାଇ ବୋଲି

ମାମୁ ହେଲେ ଚାନ୍ଦ,

ପ୍ରୟାଗ ମାମୁଙ୍କୁ ନେଇ

ପିଲାଙ୍କ ଆନନ୍ଦ ।

‘ମାମୁ, ମାମୁ’ ବୋଲି

ପିଲେ କରନ୍ତି ତ ଗୋଳ,

ଭକତିରେ ପାଦଧୂଳି

ଘେନନ୍ତି ମାମୁର ।

ପରମହଂସଙ୍କୁ ମାମୁ

ସମ୍ବନ୍ଧେ ବାନ୍ଧିଲେ,

ମୂଳୁ ସାଧୁ ସେବା ପାଇ

ଜୀବ ଧନ୍ୟ କଲେ ।

ରାମ-ବନବାସ ଭାଳି

ପ୍ରୟାଗ ଉଚ୍ଛନ୍ନ,

ଚିତ୍ରକୂଟ ଯିବେ ଚଳି

ସ୍ଥିର କଲେ ଦିନ ।

ନାନୀ ତ ରାଜଦୁଲାଳୀ

ଅତି ସକୁମାରୀ,

କଣ୍ଟାବାଟେ ଖାଲି ପାଦେ

ଚାଲିବ କିପରି ?

ରାମ ଲଇକ୍ଷଣ ଦୁଇ

ରାଜାର କୁମର,

ପାଦେ କଣ୍ଟା ଫୁଟି ବହୁ-

ଥିବ ରକ୍ତଧାର ।

ପାଦେ କଣ୍ଟା ଫୁଟୁଥିବ

ଏଇ ତ ଭାବନା ।

ଘଣ୍ଟା ଘଣ୍ଟା କାନ୍ଦୁଥାନ୍ତି

ନ ଶୁଣନ୍ତି ମନା ।

ଭିକ୍ଷାକରି ସମ୍ପାଦିଲେ

ବୁଲି ଦ୍ୱାର ଦ୍ୱାର,

ବହୁ ଧନ ଲୋଡ଼ା ହେବ

କରନ୍ତି ବିଚାର ।

ବାଛି ବାଛି ଯୋତା ନେବେ

ତିନି ଜଣ ପାଇଁ,

ବରାଦ ଦେଇ ତିନୋଟି

ଖଟୁଳି ବନାଇଁ ।

ପ୍ରତି ଖଟୁଳିରେ ଥିବ

ଦୁଇ ଦୁଇ ତୁଳି,

ସବୁ ବହି ଶିରେ ଯିବି

ଚିତ୍ରକୂଟ ଚଳି ।

ଚିତ୍ରକୂଟ ଗଲେ ଚଳି

ଶିରେ ସବୁ ବୋହି,

ସ୍ଫଟିକ ଶିଳା ପାଖରେ

ରଖିଲେ ସଜାଇ ।

ଥୋଇଲେ ଖଟୁଳୀ

ଝାଡ଼ି, ସଜାଇଲେ ତୁଳି,

ଖଟୁଳୀ ତଳରେ ଯୋତା,

ଛାଡ଼ିଲେ ବୋବାଳି ।

‘‘ଭିଣୋଇ ! ଆସିଲ କିଆଁ

ଏ ଘୋର ବନସ୍ତେ ।

ନାନୀଙ୍କୁ ଆଣିଲ ପୁଣି

ନ କହିଲ ମୋତେ ।

ପାଦେ କଣ୍ଟା ଗଳି

ପଡ଼ୁଥିବ ରକ୍ତ ଝରି,

ବଡ଼ ସୁକୁମାରୀ ନାନୀ

ସହିବ କିପରି ?

ପ୍ରୟାଗ-ଦାସକୁ ଡରି

ଛପୁଛ କି ବନେ ?

ଆସ ଯୋତା ପିନ୍ଧାଇଣ

ଦେବି ମୁଁ ଯତନେ ।’’

ମୁଖ ଫେରାଇଣ ଦେଖେ

ଶ୍ରୀରାମ ଲକ୍ଷ୍ମଣ,

ନାନୀ ସଙ୍ଗେ ଖଟୁଳୀରେ

କିବା ଶୋଭାବନ ।

ଯୋତା ଝାଡ଼ି ବେଗେ ଦିଏ

ଭିଣୋଇର ପାଦେ,

ଶୁଣାଇଣ ବିରାଗରେ

କହେ ପଦେ ପଦେ ।

‘‘ରାଜଭୋଗ ଛାଡ଼ି ବନେ

ଆସିଲ କାହିଁକି,

କେଡ଼େ ସୁକୁମାରୀ ନାନୀ

ତୁମେ ଜାଣ ନିକି ?’’

ଭଉଣୀ ପାଦେ ପାଦୁକା

ପିନ୍ଧାଏ ଆଦରେ,

ନାନୀ କହେ, ‘‘ମୋ ପତିଙ୍କୁ

ନିନ୍ଦୁ କାହିଁକି ରେ ?

ନିରୋଧ ନ ମାନି ମୁଁ ତ

ଆସିଲଇଁ ବନେ,

ତାଙ୍କର କି ଦୋଷ ଅଛି

ନିନ୍ଦୁ ଅକାରଣେ ।’’

ନାନୀଙ୍କ ଧିକ୍କାରେ ଆଉ

ନ ଫିଟଇ ପାଟି,

ଲକ୍ଷ୍ମଣଙ୍କୁ ଅଳି କରେ

ଯିବାକୁ ଲେଉଟି

ଶ୍ରୀରାମ କହନ୍ତି, ‘‘ଆମେ

ସତ୍ୟ କି ଭାଙ୍ଗିବୁ ?

ଚଉଦ ବରଷ ଅନ୍ତେ

ଘରେ ବାହୁଡ଼ିବୁ ।

ଖଟୁଳି ସୁପାତି ସବୁ

ରାଜାଙ୍କୁ ସୁନ୍ଦର,

ବନର ବାବାଜି ଆମେ

କି ହେବ ଆମର ?

ନେଇଯାଅ ଶିରେ ତୋଳି

ଅଯୋଧ୍ୟାରେ ବସ,

ନିଜେ ବ୍ୟବହାର କର

ଛାଡ଼ ଆମ ଆଶ ।’’

ଶୁଣୁ ଶୁଣୁ କଥା ଆଉ

ମୂର୍ତ୍ତି ନ ଦିଶିଲା,

ଖଟୁଳି ମୁଚୁଳି ଅଛି

ରୂପ ଉଭାଇଲା ।

ପ୍ରୟାଗ କହଇ, ‘‘ଡରି

ଲୁଚିଲେଣି ବନେ,

ନାନୀଙ୍କୁ ଦେଖିଲେ ସେ ତ

ସହସ୍ରକେ ଜଣେ ।

ହଉ ‘‘ନାନୀ, ମୃଗ ଦେଖି,

ଦିଶଇ ସୁନ୍ଦର,

ସିଂହ, ବାଘ ଦେଖି ଦେହ

ହେବ ଥର ଥର ।’’

ଶିରେ ଧରି ଯାଏ ଫେରି

ଖଟୁଳି ମୁଚୁଳି,

ନାରୀ ଭିଣୋଇଙ୍କୁ

ବାଟେ ବରଷଇ ଗାଳି ।

ଅଯୋଧ୍ୟାକୁ ଆସି ଫେରି

ସେହି ତରୁତଳେ,

ଖଟୁଳି ମୁଚୁଳି ପାତି

ବସେ ତଥିପରେ ।

‘‘ଏଠି ହୋଇଥିଲା ନାନୀ,

ଭିଣୋଇ ସାକ୍ଷାତ,

ଏଇଠି ବସି ଦେଖିବି

ଫେରି ଆସିବେ ତ !

ବସି ବସି ସେଥି କେବେ

ରାଗରେ ଅଧୀର,

ଭିଣୋଇକି ରାଗି ଗାଳି

ଦିଏ ଅନିବାର ।

ଦିନେକ ପ୍ରୟାଗ ପ୍ରାଣେ

କୋହଗଲା ବଳି,

ନାନୀ ଭିଣୋଇଙ୍କୁ ଝୁରି

ଛାଡ଼ିଲେ ବୋବାଳି ।

କାନ୍ଦି କାନ୍ଦି ଖଟୁଳୀରୁ

ଗଲେ ତଳେ ପଡ଼ି,

ଶରୀର-ପଞ୍ଜର ଛାଡ଼ି

ପକ୍ଷୀ ଗଲା ଉଡ଼ି ।

ଦେଖୁଛନ୍ତି ଜନେ ନଭୁଁ

ଖସଇ ବିମାନ,

ଜ୍ୟୋତିପୁଞ୍ଜ ନୁହେ ଦେଖି,

ଝଲସେ ନୟନ ।

ପୁଷ୍ପକ ବିମାନ ଆସି

ଛୁଇଁଲା ଧରଣୀ,

ବସିଛନ୍ତି ରଘୁପତି,

ଜନକନନ୍ଦିନୀ ।

ପ୍ରୟାଗ ଦାସେ ଚଢ଼ିଲେ

ଦିବ୍ୟ ରୂପ ଧରି,

ହରିବୋଲ ପଡ଼େ, ଶୁଭେ

ସୀତାରାମ ହରି ।

ଯାଅ ହେ ପରମହଂସ,

ଯାଇ ସ୍ୱର୍ଗେ ବସ,

ଝୁରୁଥିବୁ କାଳ କାଳ,

ଥିବ ଶୁଭ୍ର ଯଶ ।

ଜୟ ଜୟ ଦୀନବନ୍ଧୁ

ଭକତ-ସଂଖାଳି,

ଜୟ ରଘୁପତି ଜୟ

ଜନକଦୁଲାଳୀ ।

ଚରଣର ଦାସ କର,

ପିନ୍ଧାଏ ପାଦୁକା,

ତୁଟିଯାଉ କର୍ମ-ବନ୍ଧ,

ଯାଉ ଭବ-ଦକା ।

Image

 

ଇଚ୍ଛା-ଗମନ

 

ରାଜନଗର ତା ନାମ,

ଗ୍ରାମ ଛୋଟ ଅତି,

ଅଛି ବହୁ କାନ୍ୟକୁବ୍ଜ-

ବ୍ରାହ୍ମଣବସତି ।

ବାଳକ ରାମଙ୍କ ଜନ୍ମ

ବ୍ରାହ୍ମଣର ଘରେ,

ମାତା ପିତା ଧର୍ମଶୀଳ,

ଭକତି ପ୍ରଭୁରେ ।

ଅଳପ ବୟସେ ଗଲେ,

ପିତାମାତା ଚାଲି,

ନିଃସହାୟ ଶିଶୁ କିଏ

ରଖିବ ସମ୍ଭାଳି ?

ବିଧବା ଭଉଣୀ ଏକ

ଥିଲା ପାଖ ଗ୍ରାମେ,

କୋଳେ ନେଲା ଶିଶୁ ଭ୍ରାତା

ପାଳିଲା ଯତନେ ।

ଗ୍ରାମରେ ପଣ୍ଡିତ ଥିଲେ

କରି ପାଠଶାଳା,

ଭାଇକୁ ପଢ଼ାଏ ତହିଁ

ବିଧବା ସୁଶୀଳା ।

ସୀତା-ରାମଚରଣରେ

ନାନୀର ଭକତି,

ସୀତାରାମ ରଟୁ ରଟୁ

କାଳଯାଏ ବିତି ।

ଭଗିନୀ ଭକତି କ୍ରମେ

ଭାଇରେ ଦିଶିଲା,

ବାଳକରାମରେ ରାମ

ମୋହ ଚହଟିଲା ।

ସଂସ୍କୃତ ପଢ଼ି ସେ କ୍ରମେ

ଅରଜିଲା ଜ୍ଞାନ,

ଯଜ୍ଞ ଉପବୀତ ନେଇ

ହୋଇଲା ବ୍ରାହ୍ମଣ ।

ଭଉଣୀ ଭାଇକୁ ଛାଡ଼ି

ସରଗେ ଚଳିଲେ,

ଗୋଟି ଗୋଟି କରି ବିଭୁ

ଡୋର କାଟିଦେଲେ ।

ପିତାମାତା ଥିଲେ ସିନା

ବିବାହ ବିଚାର,

ସଂସାର ପ୍ରତି ବିରକ୍ତି

ବାଳକରାମର ।

ନିଷ୍ଠାପର ବ୍ରହ୍ମଚାରୀ,

ସୀତାରାମେ ରତି,

ନୀରସ ସଂସାର-ସୁଖେ

କିପାଁ ଯିବ ମତି ?

ଶରୀର ସୁଢ଼ଳ, ରୂପ

ଦିଶେ ତୋଫା ଗୋରା,

ଦୀର୍ଘଶାଳ ତନୁ ତହିଁ

ଯଉବନ ଭରା ।

ଉଜ୍ଜ୍ୱଳ ନୟନ ଜ୍ୟୋତି

ଦୀର୍ଘ, ତୀକ୍ଷ୍ଣ ନାସା,

ସୂଚାଏ ପ୍ରାକ୍ତନ ଜନ୍ମ

ସାଧନ, ତପସ୍ୟା ।

ରଜନୀର ଶେଷ ଯାମୁଁ

ସୀତାରାମ ଧ୍ୟାନ,

ଘଣ୍ଟା ଦୁଇ ପରେ ସ୍ନାନ,

ପୂଜନ, ବନ୍ଦନ ।

ପ୍ରତ୍ୟହ ସ୍ୱହସ୍ତ-ପାକ

ହିବଷ୍ୟଭୋଜନ,

ଶ୍ରୀରାମରେ ପୂର୍ଣ୍ଣପ୍ରାଣେ

କରି ସମର୍ପଣ ।

ଅଖଣ୍ଡ ଭଜନ ଚାଲେ

ନିବଦ୍ଧ କୁଟୀରେ,

ଦିନ ଶେଷ ଦୁଇ ଘଡ଼ି

କାଟନ୍ତି ବାହାରେ ।

ଲାଗେ ପରମାର୍ଥ ଚର୍ଚ୍ଚା

ଗ୍ରାମ ଲୋକମେଳେ,

ଭଜନ ନିଷ୍ଠାହିଁ ସାର,

ବୁଝାନ୍ତି କୁଶଳେ ।

ସନ୍ଧ୍ୟା ହେଲେ ଜପ ତପ

ଭଜନ, କୀର୍ତ୍ତନ,

ଅଷ୍ଟପ୍ରହର ବଦନେ

ନାମ ଉଚ୍ଚାରଣ ।

ଗୁଣ ତ ନ ପାରେ ଲୁଚି,

ଲୋକେ ହୁଏ ଜଣା ।

ଖଣ୍ଡମଣ୍ଡଳରେ ହେଲେ

ସାଧୁ ବୋଲି ଗଣା ।

ଦିନ ଯାଉଅଛି ବୁଡ଼ି

କୁଡ଼ିଆ ଦୁଆରେ,

ବସିଛନ୍ତି ସାଧୁ, ମୁଖୁଁ

ରାମ ନାମ ସ୍ଫୁରେ ।

ଆସିଲେ ସୁନ୍ଦରୀ କାହୁଁ

ଭୂଷଣମଣ୍ଡିତ,

ପ୍ରୀତପଟ୍ଟେ ଗୌର ତନୁ

ଅତି ସୁଶୋଭିତ ।

ବୟସ ଅଳପ ଫୁଟି,

ଦିଶେ ଯଉବନ,

ଫୁଲ ଫଳ ଥୋଇ ପାଦେ

କରନ୍ତି ପ୍ରଣାମ ।

କହନ୍ତି, ‘‘ଏ ଅଭାଗିନୀ

ନିକଟରେ ଗ୍ରାମ,

ଜମିଦାର ପୁତ୍ରବଧୂ,

ଶୁଣି ତବ ନାମ ।

ଆସିଅଛି ଆଶା କରି,

ଶୂନ୍ୟ କୋଳ ତାର,

ପୂର୍ଣ୍ଣ ହେଉ, ଅଜ୍ଞା ହେଉ,

ଗୋଟିଏ କୁମର ।

ପୂଜୁଥିବି ପଦ ନିତି

ଢାଳି ଅଶ୍ରୁ ନୀର,

ଜଗତେ ବାବାଙ୍କ ହେବ,

କୀରତି ବିସ୍ତାର ।’’

ଘୋର ସନ୍ତର୍ପଣେ ସାଧୁ

ମୁଖୁଁ ଫୁଟେ ବାଣୀ,

‘‘ଏ ତୋ ବଡ଼ ସାହସିକ

କାମ ଲୋ ଭଉଣୀ !

ଅବଳା ତୁ, କେହି ତୋର

ସାହା ନାହିଁ ପଥେ,

ଅନ୍ୟ ପୁରୁଷ ପାଖକୁ

ଆସିଲୁ କେମନ୍ତେ ।

ଏକାକୀ ଆସୁଛୁ ଦାଣ୍ଡେ,

କୁଳବଧୂ ତୁହି,

ଲଜ୍ଜା ମର୍ଯ୍ୟାଦାର ଶିରେ

ହେଳେ ପଦ ଦେଇ ।

ଜାଣୁ ନା ମହାତ୍ମା ବେଶେ

କେତେ ସ୍ୱାର୍ଥପର,

ଲୁଟନ୍ତି, ଧନ, ଜୀବନ,

ଇଜ୍ଜତ ପାମର ।

ମନ୍ତ୍ରବଳ, ତପବଳ,

ସିଦ୍ଧି କାହିଁ ମୋର ?

ଆଶୀର୍ବାଦ ଢାଳିବାକୁ

ନାହିଁ ଅଧିକାର ।

ଏ ତ ଅତି ଅକିଞ୍ଚନ

ଦରିଦ୍ର ବ୍ରାହ୍ମଣ,

ପ୍ରଭୁ ନାମ ନେଇ, ହୁଏ

ଭରଣପୋଷଣ ।

ଏକି ଲଜ୍ଜା ! ସତେ ଜନେ

ଭାବନ୍ତି ଜଗତେ,

ମହାତ୍ମା, ପୁଣ୍ୟାତ୍ମା, ଭକ୍ତ

ବୋଲିଣ କେମନ୍ତେ ।

ଅତି ଦୀନହୀନ ନାହିଁ

ଯୋଗ୍ୟତା ଯାହାର,

ଧରିବ ମସ୍ତକେ ପଦ-

ରେଣୁ ମହାତ୍ମାର ।

ଭଗିନୀ ତୁ ଯାଅ ଚଳି

ରାତିରେ ବାହାରେ,

ରହିବା ସୁନ୍ଦର ନୁହେ,

କେବେ ରମଣୀରେ ।

ଭଗବାନେ ଦିଅ ମନ

କର ତୁ ପ୍ରାର୍ଥନା,

ଦେବେ ଯା ମଙ୍ଗଳମୟ,

ମଙ୍ଗଳ ସେ ସିନା !’’

ଫେରଇ ରମଣୀ ଗୃହେ

ନ ପୂରେ ତା ଆଶା,

ସାଧୁ କହେ ‘‘ଭଗିନୀ ତୋ

ଦୁଇ କୋଶେ ବସା !

ଅନ୍ଧାର ତ ଆସେ ମାଡ଼ି

ରହ ସାବଧାନ,

ସଙ୍କଟ ପଡ଼ିଲେ ଉଚ୍ଚେ

ଡାକ ରାମ ନାମ ।

ନାମ କରେ ହେଳେ ଭବ-

ସମୁଦ୍ରରୁ ପାର,

ସଂସାର-ସଙ୍କଟ ଛାର,

ତାରେ ନାହିଁ ଡର ।’’

ରମଣୀର ବେଶଭୂଷା

ହେମ ଅଳଙ୍କାର,

ଦେଖି ଆଗୁଁ ଧରିଥିଲେ

ପିଛା କେତେ ଚୋର ।

ଖଣ୍ଡଦୂରେ ରମଣୀକୁ

ଘେରିଲେ ପାମରେ,

‘ରଖ ସୀତାରାମ’ ! ବାଳା

ଆର୍ତ୍ତେ ନାଦ କରେ ।

ରମଣୀ ଦେଖଇ ଶ୍ୟାମ-

ସୁନ୍ଦର ମୂରତି,

ସଶସ୍ତ୍ର ବୀର ଯୁବକ

ଧାଇଁ ଆସୁଛନ୍ତି ।

ତାଙ୍କ ପଛରେ ବାଳକ-

ରାମ’ଛନ୍ତି ଧାଇଁ,

‘ଭୟ ନାହିଁ ! ଭୟ ନାହିଁ !’

ଉଚ୍ଚସ୍ୱରେ କହି ।

ପଳାଅନ୍ତି ପ୍ରାଣ ନେଇ

ଦସ୍ୟୁ ଏଣେ ତେଣେ,

ଗୋଡ଼ାଇ ପିଟନ୍ତି ବୀର

ଧରି ଜଣେ ଜଣେ ।

ଦସ୍ୟୁଭୟ ଗଲା; ଦୁଇ

ତନୁ ଅନ୍ତର୍ହିତ,

ରମଣୀ ଭାବଇ ମନେ,

‘ସ୍ୱପ୍ନ ନୁହେ ଏତେ ।’

ମିଳିଲେ ଆପଣା ଜନ

ନେଲେ ସୁଖେ ଘରେ,

ଆଶ୍ଚର୍ଯ୍ୟ ଚକିତ ବାଳା

ମଣେ ଧନ୍ୟ ତାରେ ।

‘‘କି ହେବ ମୋର ନନ୍ଦନ ?

ନିଜେ ଘନଶ୍ୟାମ ।

କି ଭାଗ୍ୟେ ଦେଲେ ସେ ଦେଖା !

ସେ ବାଳକରାମ ।

ନୁହନ୍ତି ସାମାନ୍ୟ ଯତି !

ନିସ୍ପୃହତା ଶାନ୍ତି,

ନିରଭିମାନର ସେ ଯେ

ଜୀବନ୍ତ ମୂରତି ।

ଏସବୁ ବାଳକ ରାମ

କରୁଣାର ଖେଳ;

କ୍ଷଣ ସାଧୁ ସଙ୍ଗ ଲାଭ

ସୁଧାମୟ ଫଳ ।’’

ଭଜନ ଧଇଲା ବାଳା,

ଭଗବାନେ ରତି

ବଢ଼ିଲା ତା ଦିନୁଦିନ,

ଉଚ୍ଚତମ ସ୍ଥିତି ।

ଲଭିଲା ସେ ବାରମ୍ବାର

ଶ୍ରୀରାମଦର୍ଶନ,

ଯୋଗୀର ଅଲଭ୍ୟ ଗତି

ରମଣୀରତନ ।

ଥରେ ଅଯୋଧ୍ୟା ଯିବାକୁ

ଇଚ୍ଛା ବାବାଙ୍କର,

ରାମନବମୀ ଦିନରେ,

ଦର୍ଶନ ବିଚାର

ହେଲା; କିନ୍ତୁ ଅଯୋଧ୍ୟା ତ

ତିନି ଶତ କୋଶ,

ରାମନବମୀ ମଝିରେ

ତିନୋଟି ଦିବସ ।

ନାହିଁ ଚିନ୍ତା, କରିବେ

ସେ ମଙ୍ଗଳ ଦର୍ଶନ,

ରାମନବମୀ ଦିନରେ

ସାହା ଭଗବାନ ।

ଛାଡ଼ିଲେ ରାଜନଗର,

ପଥେ ହେଲା ରାତି,

ବିମୋହନ ବଟବୃକ୍ଷ,

ସର ଦେଖେ ଯତି ।

ସରୋବରେ ସାନ ସନ୍ଧ୍ୟା

ଜପ ତପ ସାରି,

ବଟତଳେ ଧ୍ୟାନେ ରତ

ଦୃଢ଼ାସନ ଧରି ।

ହୃଦେ ଦିଶେ ଶ୍ୟାମଦ୍ୟୁତି

ଉଜ୍ଜ୍ୱଳ ମୂରତି,

ରାମଙ୍କର ପିଇ ରୂପ

ମାଧୁରୀ ସେ ଯତି

ମହାସମାଧିରେ ଲୀନ;

ଗଲା ଦୁଇ ଦିନ,

ପ୍ରଭାତେ ଲୋଚନ ଖୋଲେ

କରନ୍ତି ଦର୍ଶନ ।

ରଘୁମଣି ରାମଚନ୍ଦ୍ର

ଅଗ୍ରେ ଶୋଭାବନ

ମୃଦୁହାସେ, ଅଯୋଧ୍ୟା ସେ

ରାମଜନ୍ମ ସ୍ଥାନ ।

ନିକଟେ ସରଯୁ ରଙ୍ଗେ

ଯାଉଅଛି ବହି,

ବିଶାଳ ଅଶ୍ୱତ୍ଥତଳେ

ବସିଛନ୍ତି ସେହି ।

ମୁଗ୍ଧ ସେ ବାଳକରାମ,

ତନୁ କଣ୍ଟକିତ,

ମୁଖୁଁ ନ ସ୍ଫୁରଇ ବାଣୀ,

ପ୍ରେମାଶ୍ରୁଗଳିତ ।

ଧାଏଁ ପ୍ରେମୋନ୍ମାଦେ ଯତି

କୋଶଳେନ୍ଦ୍ର ପୁରେ,

ଦେଖିବେ ଜନ୍ମ ଉତ୍ସବ

ଦେବତା ମନ୍ଦିରେ ।

ସୁସ୍ପଷ୍ଟ ଦେଖନ୍ତି ଯତି

ଶ୍ରୀରାମ ପୁରତେ,

ନୀଳ ନବଘନ ଶ୍ୟାମ

ସ୍ୱଚ୍ଛ ଜ୍ୟୋତି-ସ୍ରୋତେ ।

ମନ୍ଦହାସେ ଚାଲିଛନ୍ତି,

ଧରିଲେ ମନ୍ଦିରେ,

ମନ୍ଦିର ଧରନ୍ତେ ରାମ

ହୋଇଲେ ଅନ୍ତର ।

ଦେଖନ୍ତି ବାଳକରାମ

ଜନ୍ମୋତ୍ସବ ବେଶ,

ଜନକନନ୍ଦିନୀ ସହ

ପ୍ରଭୁ କୋଶଳେଶ ।

ଲକ୍ଷ୍ମଣ, ଭରତଲାଲ

ରହିଛନ୍ତି ସଙ୍ଗେ,

ଶତ୍ରୁଘ୍ନ ଚାମର ଧରି

ଢାକୁଛନ୍ତି ରଙ୍ଗେ ।

ଚାରୁ ଜନ୍ମୋତ୍ସବ ବେଶ

ମଙ୍ଗଳ-ଦର୍ଶନ,

କରୁଛନ୍ତି ପୁରବାସୀ

ଜାନପଦ ଜନ ।

ନାଚିଲେ ସେ ଭାବାବେଶେ

ପ୍ରେମାଶ୍ରୁ ବଦନେ,

ହର୍ଷେ ଯୋଗ ଦେଲେ ସଙ୍ଗେ

ରୁଣ୍ଡ ଯେତେ ଜନେ ।

ଫୁଟେ ତୁଣ୍ଡୁ ରାମନାମ

ମଧୁର ମୋହନ,

ମୁଖେ ସୁବିମଳ ଜ୍ୟୋତି,

ପ୍ରେମାଶ୍ରୁଲୋଚନ

ହେଲେ ସର୍ବେ ଚାହୁଁ ଚାହୁଁ;

ସୁଧା ସ୍ରୋତ ଖେଳେ;

ମନ୍ଦିରପ୍ରାଙ୍ଗଣ ଧରି

ଉନ୍ମାଦେ ନାଚିଲେ ।

ଉନ୍ମତ୍ତ ବାଳକରାମ

ଗଲେ ତଳେ ପଡ଼ି

ବ୍ରହ୍ମରନ୍ଧ୍ର ଫାଟି ଯାଏ

ପ୍ରାଣ-ପକ୍ଷୀ ଉଡ଼ି ।

ଯାଅ ହେ ବାଳକରାମ

ହେ ଚିରକୁମାର ।

ତୁମ ଧର୍ମପନ୍ଥା ଧରୁ,

ତରୁ ଏ ସଂସାର ।

ଜୟ ଜୟ ସୀତାରାମ,

ଜୟ ରଘୁପତି,

ଜୟ ଜୟ କୃପାସିନ୍ଧୁ

ପଦେ ରଖ ମତି ।

ସାଧୁସଙ୍ଗ ଦିଅ ସୁଖେ

ଭବୁ କର ପାର,

ଦୁରନ୍ତ ରାକ୍ଷସ ଭୟେ

ପରାଣ ଅସ୍ଥିର ।

Image

 

ବନପଥେ

 

ବଙ୍ଗଳାରେ କୀର୍ତ୍ତିଚନ୍ଦ୍ର

ପ୍ରସିଦ୍ଧ ନୃପତି,

ତାଙ୍କ ରାଜ୍ୟେ ଗଙ୍ଗାତଟେ

କରନ୍ତି ବସତି ।

ଶୁଦ୍ଧଚିତ୍ତ ଅମାୟିକ

ଦ୍ୱିଜ ନାରାୟଣ,

ଘରେ ବହୁ ଧନ ସତ,

ମହତ, ବିଦ୍ୱାନ ।

ବ୍ୟବହାର ନମ୍ର, ସାଧୁ,

ବଚନ ମଧୁର ।

ଲୁଚାଏ ଧନିକପଣ,

ମଦ, ଅହଂକାର ।

ଧନରେ ଦ୍ୱିଜର ତିଳେ

ନ ଥାଏ ଆସକ୍ତି,

ମର୍ଯ୍ୟାଦା ପୁରୁଷୋତ୍ତମେ

ରାମେ ସଦା ରତି ।

ପତ୍ନୀ ସତୀ, ଭକ୍ତିମତୀ,

ସୁଶୀଳା ମାଳତୀ,

ପତି ଚରଣରେ ଥାଏ

ସଦା ଶୁଦ୍ଧ ମତି ।

ବିନୟ ବଚନେ ତାର

ବଶ ସର୍ବଜନ,

ସାନ ବଡ଼ ନାହିଁ ଭେଦ,

ସରବେ ସମାନ ।

କୋଳକୁ ସନ୍ତାନ ନାହିଁ,

ଦୁଃଖ ତାର ମନେ;

ସେ ଅଭାବ ନାରାୟଣ

ତିଳେ ହେଁ ନ ଘେନେ ।

ଭାବେ, କାହା ଭାଗ୍ୟେ ମିଳେ

ସୁଯୋଗ୍ୟ କୁମର ?

କୁମର ନୁହନ୍ତି ବହୁ,

ତଣ୍ଟିକଟା ଚୋର ।

ପ୍ରକୃତ ନନ୍ଦନ ବୃଦ୍ଧ

କାଳେ ହୁଏ ସାହା,

ଅନ୍ତରର ଦୁଃଖ ବୁଝେ,

କରେ ଆହା ଆ ହା !’

ନଶ୍ୱର ଜୀବନ, ଗଲେ

ଅକାଳେ ନନ୍ଦନ,

ମରଣୁ ବଳେ ସେ ଦୁଃଖ,

ଜୀବନ୍ତ ଦହନ ।

ସୁତ ସୁତା ନାହିଁ ଦ୍ୱିଜ

ଭାବେ, ଭଲ କଥା,

ମଙ୍ଗଳମୟଙ୍କ ଇଚ୍ଛା

ମଙ୍ଗଳ ସର୍ବଥା ।

ପତିପତ୍ନୀ ଦୁହେଁ ଦିନେ

କରନ୍ତି ବିଚାର,

ବୟସ ଖସିଲା ଚାଲ

ତେଜିବା ସଂସାର ।

ପୁଣ୍ୟକ୍ଷେତ୍ର ଅଯୋଧ୍ୟାରେ

ବିରଚି କୁଟୀର,

ଭଜନେ, କୀର୍ତ୍ତନେ

କଟାଇବା ଶେଷକାଳ ।

ନାମ ଜପୁ ଜପୁ ଶେଷେ

ପଡ଼ିବା ତ ଟଳି,

ନାହିଁ ଉଚ୍ଚତର ଗତି,

ସେଥିରୁ ହିଁ ବଳି ।

ସ୍ଥାବର ସମ୍ପତ୍ତି ଦୀନ

ଜନେ ବିତରିଲେ;

ସଞ୍ଚିତ ଯା ଥିଲା ଧନ

ସଙ୍ଗରେ ଘେନିଲେ ।

ଲୁଗାପଟା ଥାଳି ଗିନା

ପାନପାତ୍ର ଆଦି,

ଚାରୋଟି ବଳଦପୃଷ୍ଠେ

ଧରିଲେ ସମ୍ପାଦି ।

ରାମନାମ ଜପି ଗଲେ

ତୀର୍ଥବାସ କରି,

କରନ୍ତି ବିଶ୍ରାମ ପଥେ

ଧର୍ମଶାଳା ଧରି ।

ଚିତ୍ରକୂଟେ ପହଞ୍ଚିଲେ

ଭକତ-ଦମ୍ପତି,

ତୀର୍ଥସ୍ଥାନ ବୁଲି ଦେଖି

ପ୍ରସନ୍ନ ସେ ଅତି ।

ସତସଙ୍ଗ, ସାଧୁସେବା,

ଭଜନ କୀର୍ତ୍ତନ,

ଦାନପୁଣ୍ୟେ ପତି-ପତ୍ନୀ

ନେଲେ କିଛି ଦିନ ।

ଚିତ୍ରକୂଟୁଁ ଅଯୋଧ୍ୟାକୁ

ଅଛି ଦୁଇ ପଥ,

ବନପଥେ ଦୁହେଁ ଯିବେ,

କଲେ ମନୋରଥ ।

ଅଯୋଧ୍ୟାରୁ ରାମଚନ୍ଦ୍ର

ସିଧା ପଥ ଛାଡ଼ି,

ଆସିଥିଲେ ବନେ ବନେ

କଣ୍ଟା ଝଣ୍ଟା ମାଡ଼ି ।

ପ୍ରଭୁଙ୍କର ବନକଷ୍ଟ

ଅଙ୍ଗେ ଅନୁଭବ,

କରିବେ କିଞ୍ଚିତେ, ଦୁଇ

ଭକତଙ୍କ ଭାବ ।

ବନବାଟ ଦୁଇ ଜଣେ

ନ ଥିଲା ତ ଜଣା,

ଘୋର ବନସ୍ତେ ମିଳିଲେ

ହୋଇ ବାଟବଣା ।

ନିରନ୍ତର ନାମଜପ,

ନାହିଁ ଆନ ସାହା;

ଭରସା ମାତର କରି-

ଛନ୍ତି ଚଉବାହା ।

ଝରଣା ପଡ଼ିଲେ ବାଟେ

ପକାନ୍ତି ସେ ଡେରା;

ବଳଦ ପାଆନ୍ତି

ଭଲ ତୃଣପତ୍ର ଚରା ।

ଦୁର୍ଗମ ଜଙ୍ଗଲ, ଦୁଷ୍ଟ

ଜନ୍ତୁ ଛନ୍ତି ପୂରି,

ଲୋକ ଚଳାଚଳ ନାହିଁ

ନୁହେ ପଥ ବାରି ।

ଯାଉଁ ଯାଉଁ ସମ୍ମୁଖରେ

ଭିଲ୍ଲ ଗ୍ରାମ ଦିଶେ,

ପଚାରି ବୁଝିଲେ ରାହା

ଭାସନ୍ତି ହରଷେ ।

ଦୁଇ ଚାରି ଭିଲ୍ଲ ଆସି

ଯାତ୍ରୀଙ୍କୁ ଦେଖିଣ,

ମନେ ମନେ ବିଚାରନ୍ତି,

‘ଧନିକ ଏ ଜନ !

ସଙ୍ଗରେ ଧନ ଜିନିଷ

ଅଛି ବହୁ ରହି,

ଚାରୋଟି ବଳଦ କଷ୍ଟେ

ପାରୁଛନ୍ତି ବହି ।

ଭାଗ୍ୟ ଆମର ଏ ଆସି

ନିଜେ ଦେଲେ ଧରା ।’

ପଚାରନ୍ତି ‘ଯାଉଅଛ

ତୀର୍ଥ କରି ପରା ।’

ସରଳ ବ୍ରାହ୍ମଣ, ନାହିଁ

କପଟ ବେଭାର,

କହଇ, ‘ଅଯୋଧ୍ୟା ଯିବୁ

ଅଛି ତ ବିଚାର ।’

କହିଲେ ସେ, ‘ଯିବୁ ବିପ୍ର !

ଆମେ ବି ଅଯୋଧ୍ୟା,

ସଙ୍ଗତେ ଆମର ଯିବ,

ଆଉ କିବା ବାଧା ?’’

ଭୁଲାଇଣ ବ୍ରାହ୍ମଣକୁ

ଦସ୍ୟୁ ସଙ୍ଗେ ନେଲେ,

ଘୋର ଜଙ୍ଗଲ ମଧ୍ୟରେ

ଯାଇଁ ପହଞ୍ଚିଲେ ।

ପିଟନ୍ତି ଦ୍ୱିଜଙ୍କୁ ଦସ୍ୟୁ

ଦ୍ୱିଜ ଅଚେତନ,

ପତିଦଶା ଦେଖି ପତ୍ନୀ

ହରାଇଲା ଜ୍ଞାନ ।

ନାରାୟଣେ ନେଇ ଦସ୍ୟୁ

ଖଣାରେ ଫିଙ୍ଗିଲେ,

ହାତ ଗୋଡ଼ ବାନ୍ଧି ବକ୍ଷେ

ପଥର ଲଦିଲେ ।

ମଲା ବୋଲି ଛାଡ଼ି ଆସି

ଘେରନ୍ତି ମାଳତୀ,

ମୂର୍ଚ୍ଛିତା ହୋଇ ପଡ଼ିଛି,

ସୁନ୍ଦରୀ ସେ ଅତି ।

ସୌନ୍ଦର୍ଯ୍ୟେ ଲଳସା ଦସ୍ୟୁ

ପ୍ରାଣେ ଉଠେ ଜଳି ।

ଟାଣନ୍ତି ସେ ବସ୍ତ୍ର ଧରି,

ଜାଗି ଉଠେ ବାଳୀ ।

ଦସ୍ୟୁଙ୍କର ବ୍ୟବହାରେ,

ଘୃଣା ରାଗ ଜଳେ,

କି କରିବ ଅବଳା ସେ !

ପରାଣ ବିକଳେ ।

ସ୍ତୁତି କରେ, ‘‘ଦୀନବନ୍ଧୁ,

ଭକତ-ବତ୍ସଳ ।

ଭକତ-ଲାଞ୍ଛନା ଦେଖି,

ହେଲ କି ପଥର ।

ତୋର ପଦେ ପତିପତ୍ନୀ

ବିକିଛୁ ପରାଣ,

ତୁହି ତ ଆଶା ଭରସା;

ତୁହି ତ ଶରଣ ।

ସଭା ମଧ୍ୟେ କୃଷ୍ଣା ଡାକେ

କୋଟି ବସ୍ତ୍ର ଦେଲ,

ସତୀର ଲାଞ୍ଛନା ତିଳେ

ସହି ନ ପାରିଲ ।

ଆଜି ଏ ପାମରେ ବସ୍ତ୍ର

ଟାଣନ୍ତି କି ଇଚ୍ଛି ?

ତୁ ତ ଅନ୍ତର୍ଯ୍ୟାମୀ, ନାହିଁ

ଅଜଣା ତ କିଛି ?

ପାମରେ ପିଟିଲେ ପତି

ଅଛନ୍ତି କି ନାହିଁ,

ଫାଟିଯାଏ ଛାତି, ପ୍ରାଣ

ନ ଯାଏ କିପାଇଁ ?

ଏଡ଼େ ବଡ଼ ପ୍ରଭୁ ଧରି,

ଯେବେ ଯିବୁ ସରି,

ଆରତ-ଭଞ୍ଜନ-ବାନା

ବହିବୁ କିପରି ?

ଆସ ଆସ ଦୀନବନ୍ଧୁ

ଶରଣରକ୍ଷଣ !

ଶରଣରକ୍ଷଣ ନାମ

ନୋହୁ ଅକାରଣ ।’’

ବୁଜି ହୋଇଗଲା ଆଖି

ତନ୍ମୟ ପରାଣ,

ଅଶ୍ୱଟାପୁ ଶବ୍ଦେ ସତୀ

ଫିଟାଏ ଲୋଚନ ।

ଦେଖଇ ଉଜ୍ଜ୍ୱଳ ଶ୍ୟାମ

ରମ୍ୟ ଯୋଦ୍ଧୃବର,

ଶ୍ୱେତଅଶ୍ୱ ପୃଷ୍ଠେ ଧାଇଁ

ଆସୁଛି ସତ୍ୱର ।

ଶିରେ ସୁବର୍ଣ୍ଣ-ମୁକୁଟ,

କୁଣ୍ଡଳ ଶ୍ରବଣେ,

ସର୍ବାଙ୍ଗ ଝଟକି ଉଠେ

ନାନା ଆଭରଣେ ।

କଟିତଟେ ତଲବାର

ଦିଶେ ଲମ୍ବମାନ,

ପୃଷ୍ଠରେ ବିଶାଳ ଧନୁ,

ତୃଣ ପୂରି ବାଣ ।

କୃତାନ୍ତ ସମାନ ଦେଖି

ଘନଶ୍ୟାମ କାୟ

ପଳାଅନ୍ତି ଦସ୍ୟୁଗଣ

ହୋଇଣ ଅଥୟ ।

ଭୟେ ତଳେ ପଡ଼ି କାର

ମୁଣ୍ଡ ଯାଏ ଫାଟି,

ଭାଙ୍ଗିଯାଏ ଗୋଡ଼ କାର

ପଥେ ଶିଳା ଝୁଣ୍ଟି ।

ପଡ଼ି ଦାନ୍ତଫାଟି ଝଡ଼େ,

କାର ଭାଙ୍ଗେ ହାତ,

ଜୀବନ ନେଇ ପଳାନ୍ତି

ଦସ୍ୟୁ ଇତଃସ୍ତତ ।

ମାଳତୀ ପାଖକୁ ଆସି

ଓହ୍ଲାଏ ଯୁବକ,

ଅବଳାର କଷ୍ଟେ ଗଡ଼ି

ଆସଇ ଲୋତକ ।

ଯୁବକ-କିଏ ସେ ମା ତୁହି, କାହୁଁ

ଆସି ଘୋରବନେ ।

ପୁରୁଷ ଲୋକ କି ସଙ୍ଗେ

କେହି ନାହିଁ ଜଣେ ?

ଦେଖିଲି ଏମାନେ ଟାଣୁ-

ଥିଲେ ବସ୍ତ୍ର ଧରି,

ମୋତେ ଦେଖି ପ୍ରାଣ ନେଇ

ଗଲେ ଅପସରି

ନିଦାଘ-ତାପିତ ଧରା

ପାଇଲା କି ବାରି,

ମୃତପ୍ରାଣେ ଢାଳିଦେଲା

କେ ଅମୃତ ଗୋରି

ବୀରର କରୁଣା ମିଶା

ମଧୁର ବଚନ,

ଅନୁକମ୍ପାଭରା ଅଶ୍ରୁ-

ପ୍ଲାବିତ ଲୋଚନ,

ନୀଳନବଘନ ଶ୍ୟାମ

ଅପୂର୍ବ ମୂରତି,

ପ୍ରାଣ ଫେରାଇଲା ଅଙ୍ଗେ

ଚାହିଁ ରହେ ସତୀ ।

ଚାହିଁ ରହେ, ନାହିଁ ଚେତା,

ନ ଫୁଟେ ବଚନ,

କିସେ ରୂପରାଶି ! ବାଳା

ତନ୍ମୟ-ପରାଣ ।

ବହୁ କ୍ଷଣେ କହେ ବାବୁ;

ଚିହ୍ନିନାହିଁ ତୋତେ,

ଯେବା ହୁଅ ତୁହି ମୋର

ହୁଅଇ ପରତେ,

ଘୋର ଦୁଃଖ ବୁଝି ପେଷି-

ଛନ୍ତି ରଘୁପତି,

କୋମଳ ପରାଣ ସତେ

ହେଲା ତ କରତି ।

ପତି ମାରି କାହିଁ ବନେ

ଫିଙ୍ଗିଲେ ପାମରେ,

କି କରିବି ମୁଁ ଅବଳା

ସାହା ହୁଅ ମୋରେ ।

ତୁହି ମୋ ଧରମ ଭାଇ,

ଧରେ ତୋର ହାତ,

ଶେଷକାଳେ ଶ୍ମଶାନରେ

ସାହା ମୋର ତୁ ତ ।

ପତିଶବ ଖୋଜି ବନେ

ଚିତା ଦେବୁ ଜାଳି,

‘ଜୟ ରଘୁପତି କହି

ଅଙ୍ଗ ଦେବି ଢାଳି’

ଶମିବି ଅନ୍ତର-ଜ୍ଜ୍ୱାଳା

ଚିତା ପରେ ଶୋଇ,

ପ୍ରଭୁଙ୍କ ଅପାର କୃପା

ମନେ ମନେ ଧ୍ୟାୟୀ ।’

ପ୍ରଚ୍ଛନ୍ନ ବିଦ୍ରୂପ ଦେଖି

ରମଣୀ ବଚନେ,

ତରଳି ପଡ଼ିଲା ଅଶ୍ରୁ

ଯୁବକ ଲୋଚନେ ।

ଘନଶ୍ୟାମ ମୁଖ ହେଲା

ଭାବନା ଜଡ଼ିତ,

ସସ୍ମିତେ କହନ୍ତି କଥା

ଶୁଣ ଶୁଣ ମାତ !

‘‘ଲୋଡ଼ିନେଲ କଷ୍ଟ ନିଜେ,

ନିନ୍ଦୁଛ କିପାଇଁ

ପ୍ରଭୁଙ୍କୁ ? ସୁନ୍ଦର ନୁହେ,

ବୃଥା ମାନ ବହି ।

ନିଜେ ପ୍ରଭୁ ରଘୁନାଥ,

ସଙ୍ଗେ ବୀର ଭାଇ,

ଧନୁର୍ଦ୍ଧର ପଣେ ସାରା

ତ୍ରିଭୁବନେ ନାହିଁ ।

ଗୁରୁ ବନବାସ କଷ୍ଟ

ନ ପାରିଲେ ସହି,

ତିନ୍ତାଇଲେ ବନପଥ

ଅଶ୍ରୁଧାରା ବାହି ।

ହାରିଲା ସହଧର୍ମିଣୀ

ବିଶ୍ରବାକୁମର,

ଶ୍ରୀରାମ ଲକ୍ଷ୍ମଣ କାନ୍ଦି

ହୋଇଲେ କାତର ।

ରାବଣ ସଙ୍ଗତେ ଯୁଦ୍ଧ

କିବା ସେ କରୁଣ !

ଶତ କ୍ଷତଚିହ୍ନ କଲେ

ଶ୍ରୀଅଙ୍ଗ ଭୂଷଣ !

ବନପଥେ କିବା କଷ୍ଟ,

କି ସେ ଅନୁଭୂତି,

ତିଳେକ ବହିବ ଅଙ୍ଗେ

ଅଛି କା ଶକତି ?

ଭୋଗୁ ନିଜ କର୍ମଫଳ

ନିନ୍ଦୁ ଅକାରଣ,

କର୍ମଫଳ ଦାତା ପ୍ରଭୁ

ବିପଦ-ଭଞ୍ଜନ !

ସାମାନ୍ୟ ଏ କଷ୍ଟେ ହୁଅ

ଏତେ ଅସନ୍ତୁଷ୍ଟ !

ଭାଗ୍ୟକୁ ମୁଁ ଆସୁଥିଲି

ବନେ ହେଲା ଭେଟ ।

ଥାଉ, ଥାଉ, ଧର ହାତ,

ହେଉଛି ଉଛୁର,

ଯିବା ତ ପତିଙ୍କ ପାଶେ,

ସେ ବଡ଼ କାତର ।

ଆସୁଥିଲି ବାଟେ ବାଜୁ-

ଥିଲା କର୍ଣ୍ଣେ ବାଣୀ,

‘‘ରକ୍ଷାକର ପ୍ରଭୁ ! ଦୟା

କର ରଘୁମଣି !’’

ମାଳତୀ ବଢ଼ାଏ ହାତ

ଯୁବା କରେ ତୋଳି,

କି ସେ ସ୍ପର୍ଶ ! ଅଙ୍ଗେ ଅଙ୍ଗେ

ଖେଳିଲା ବିଜୁଳି !

ଜନ୍ମଜନ୍ମାନ୍ତର ବ୍ୟଥା

ଅଙ୍ଗୁ ହେଲା ଦୂର,

ପତିଙ୍କୁ ଦେଖିବ ପ୍ରାଣ

ଅତି ହିଁ ଅଧୀର ।

ଯୁବକ ଆଗରେ ଚାଲେ,

ପଛରେ ମାଳତୀ,

ମିଳିଲେ ବନସ୍ତେ ଯହିଁ

ପଡ଼ିଥିଲେ ପତି ।

ହସ୍ତ ପଦ ଦୃଢ଼େ ବନ୍ଧା

ଛାତିରେ ପଥର,

ବିଶାଳ ସେ ଶିଳାଖଣ୍ଡ

ଦେଖି ମାଡ଼େ ଡର ।

ଏ ଦୃଶ୍ୟରେ ଦୁଃଖେ ବାଳା

ଛାଡ଼ିଲା ବୋବାଳି,

ଯୁବକ ଫିଙ୍ଗିଲେ ଶିଳା

ଦୁଇ ହସ୍ତେ ତୋଳି ।

କାଟିଲେ ବନ୍ଧନ ରଜୁ

ଚାହୁଁ ଚାହୁଁ ରଙ୍ଗେ,

ଶ୍ରୀହସ୍ତ ବୁଲାଇ ଦେଲେ

ନାରାୟଣ ଅଙ୍ଗେ ।

କହିଲେ, ‘‘ଉଠ ଭକତ !

ଫିଟାଅ ତୋ ଆଖି,

ଆସିଛି ମୁଁ ପଥଯାତ୍ରୀ

ତୁମ ଦୁଃଖ ଦେଖି ।

ସିଧା ପଥ ଛାଡ଼ି ବନ-

ପଥ ନେଲ ବାଛି,

ଭୋଗିଲ କରମ ଫଳ

ଦୁହେଁ କିଛି କିଛି ।

ଯୁବକର ଶେଷ କଥା

ଶୁଣିଲା କି ନାହିଁ,

ଚକ୍ଷୁ ଫେଡ଼ି ଦେଖେ ବିପ୍ର

ବ୍ରହ୍ମାଣ୍ଡ ଗୋସାଇଁ ।

କମଳଲୋଚନ ବିମ୍ବ-

ଓଷ୍ଠେ ମଧୁ ହାସ,

ଘନ ନୀଳ ଅଙ୍ଗେ ଶୋହେ

ଚାରୁ ପୀତବାସ ।

ଶିରେ ସୁବର୍ଣ୍ଣମୁକୁଟ

ରତନ ଜଡ଼ିତ,

ମକରକୁଣ୍ଡଳ ବେନି

କର୍ଣ୍ଣେ ଦୋଳାୟିତ ।

ବକ୍ଷେ କଉସ୍ତୂଭ ମଣି

ବିଚିତ୍ର ଶୋଭନ,

ପଦରେ ବଳୟ ଯୋଡ଼ି,

ବାହୁରେ କଙ୍କଣ ।

ବୀର ସାଜ, ଶୋହେ ଅଙ୍ଗେ

ଧନୁ ତଲବାର,

ବିପଦଭଞ୍ଚନ ବେଶେ

ଏ ତ ରଘୁବୀର ।

‘ପ୍ରଭୁ ! ପ୍ରାଣନାଥ !’ କହି

ଚରଣକମଳେ,

ଲୋଟନ୍ତି ଭକ୍ତଦମ୍ପତି,

ପ୍ରେମେ ଅଶ୍ରୁ ଗଳେ ।

ଅଶ୍ରୁ ଢାଳି ଧୋଇଦେଲେ,

ଦୁହେଁ ବିଭୁପାଦ,

ଧୋଇଗଲା କୋଟିଜନ୍ମ

ପାପ ପରମାଦ ।

ବନ ପାର କରି ପ୍ରଭୁ

ଦେଖାଇଲେ ପଥ,

ଚାହୁଁ ଚାହୁଁ ଚାରୁମୂର୍ତ୍ତି

ହେଲା ଅନ୍ତର୍ହିତ ।

ଯାତ୍ରୀଏ ଯାଆନ୍ତି ଚଳି

ସିଧା ବାଟ ଧରି,

କିଛି ଦିନେ ପହଞ୍ଚିଲେ

ଅଯୋଧ୍ୟା ନଗରୀ ।

ସରଯୂ କୂଳରେ ଦୁହେଁ

ରଚିଲେ କୁଟୀର,

ସୀତାରାମ ପଦ ପୂଜି

ନେଲେ ଶେଷ କାଳ ।

ଯେତେ ଦିନ ପିଣ୍ଡେ ପ୍ରାଣ

ଥିଲା ଦୁହିଙ୍କର,

ବନପଥ କଷ୍ଟ କେବେ

ନ ଗଲା ପାଶୋର ।

ଜାନକୀ-ବିରହ-ଦୁଃଖ

ପ୍ରଭୁଙ୍କର ଭାଳି,

ନିରନ୍ତର ନୟନରୁ

ଝରୁଥିଲା ବାରି ।

ଜୟ ଜୟ ଦୀନବନ୍ଧୁ !

ଜୟ ଭକ୍ତସଖା ।

କି କଠୋର ପ୍ରାଣ ତୋର,

କି ଭୀମ ପରୀକ୍ଷା ।

Image

 

Unknown

ନଈ ବାଟ ଦେଲା

 

ଦିଲ୍ଲୀ ସିଂହାସନେ ଯେବେ

ମୋଗଲ ନୃପତି,

ବସି ସାମ୍ୟଭାବେ କଲେ

ଭାରତେ ରାଜୁତି ।

ସାଧନାରେ ସ୍ୱାଧୀନତା

ପାଇ ଭକ୍ତଗଣ,

ଭାରତରେ ଦେଇଥିଲେ

ମହତ ଦର୍ଶନ ।

ଦକ୍ଷିଣ ମୁଲକେ ଗ୍ରାମ

ରଞ୍ଜନ ତା ନାମ,

ଶାନ୍ତୋବା ଭକତ ତହିଁ

ଲଭିଲେ ଜନମ ।

ସମ୍ପତ୍ତି, ସମ୍ମାନ ଦୁଇ

ରହିଥିଲା ପୂରି,

ଭୋଗରେ ଆଶକ୍ତ ଥିଲେ

ପରମାର୍ଥ ଭୁଲି ।

ବିଧିର ବିଚିତ୍ର ଲୀଳା

କେ ବୁଝିବ ନରେ ?

କେତେ ଅଘଟ ଘଟନ

ଘଟେ ଏ ମହୀରେ ।

ଦିନେକ ଶାନ୍ତୋବା ଘରେ

ଭକ୍ତ ତୁକାରାମ,

ଅତିଥି ବେଭାରେ ଆସି

କରିଲେ ବିଶ୍ରାମ ।

ସାଧୁ ସଙ୍ଗର ମହିମା

କେ ପାରିବ କହି,

ସାଧୁ ପାଦ ରେଣୁ ପାଇ

କୃତାର୍ଥ ଏ ମହୀ ।

ଭବସିନ୍ଧୁ ତରିବାକୁ

ସାଧୁସଙ୍ଗ ନାବ,

କ୍ଷଣ ସାଧୁ ସଙ୍ଗେ ହୁଏ

ଅପୂର୍ବ ସମ୍ଭବ ।

ରାତିଏ ମାତର ତୁକା-

ରାମ ଥିଲେ ରହି,

ଉପଦେଶେ କିବା ଜାଦୁ

ଭରିଗଲେ ସେହି ।

ରାଜଭୋଗ ଶାନ୍ତୋବାକୁ

ତୁଚ୍ଛ ପଡ଼େ ଜଣା,

ସମ୍ପଦେ, ସମ୍ମାନେ ଆଉ

ନ ରହେ କାମନା ।

ଭାବନ୍ତି, ‘‘ଦୁର୍ଲ୍ଲଭ ଜନ୍ମ

ହେଳେ ଦିଏ ସାରି,

କାମିନୀ କାଞ୍ଚନ ସୁଖ

ମଣେ ବଡ଼ କରି ।

କେତେ ତ କଲଣି ଭୋଗ,

ଭୋଗେ ଭାସେ ମୁହିଁ,

ପରାଣେ ନିମିଷେ ତୃପ୍ତି

ଆସିଲା ତ ନାହିଁ ।

ଯେତେ ଭୋଗ କରେ ତୃଷ୍ଣା

ବଢ଼ଇ ସେତିକି,

ଅଶାନ୍ତିରେ ପୋଡ଼େ ପ୍ରାଣ,

ଭୋଗ ତ ଭେଳେକି ।

ଏହି ତ ସଂସାର-ମାୟା

ନ ଦେଖାଏ ବାଟ,

ଏ ବନ୍ଧନ ନ କଟିଲେ,

ନାହିଁ ବିଭୁ ଭେଟ ।’’

ବିକିଦେଲେ ଅଧିକାଂଶ

ପୈତୃକ ସମ୍ପତ୍ତି,

ବାଣ୍ଟି ଦୀନଦୁଃଖୀ ପ୍ରାଣେ

ଆଣିଲେ ତୃପତି ।

ପାଟ ପୀତାମ୍ବରୀ ଛାଡ଼ି

ଲେଙ୍ଗୁଟି ଧଇଲେ,

ବନ ବଡ଼ ମଣି ସୌଧ

ବାସ ବରଜିଲେ ।

ବନୁଁ ମହାବନେ ସେହୁ

ଯାଉଛନ୍ତି ଚଳି,

ପଥେ ଭୀମାନଦୀ ତାଙ୍କୁ

ରଖଇ ଓଗାଳି ।

ନଈରେ ବିଷମ ବଢ଼ି

ଉଛୁଳୁଛି ପାଣି,

ଭୀମା ଭୀମ ବେଶ ଧରି

କମ୍ପାଏ ଅବନୀ ।

ଶାନ୍ତୋବା ପରାଣ ସ୍ଥିର,

ନାହିଁ ଭୟ ଲେଶ,

ଭବସମୁଦ୍ର ତରିବେ

ବାନ୍ଧନ୍ତି ସାହସ ।

ତାକୁ କିବା ଡରାଇବ,

ଭୀମା କ୍ଷୁଦ୍ର ନଈ ?

ଡେଇଁଲେ ଭୀଷଣ ଗଣ୍ଡେ

ଆଗ ପଛ ନାହିଁ ।

ପହଁରି ତରିଲେ ନଈ

ଧରି ପରପାର,

ଦେଖନ୍ତି ସୁନ୍ଦର ବନ,

ପର୍ବତ ରୁଚିର ।

ବନ-ପରବତ-ଶୋଭା

ଦେଖନ୍ତି ନିରେଖି,

ଜଡ଼ିଯାଏ ପ୍ରାଣମନ

କାଢ଼ି ନୁହେ ଆଖି ।

ଖୋଜି ଗୁମ୍ଫା ଏକ ଦେଖେ,

ଖୁସି ବଇରାଗୀ,

ପାତିଲେ ଆସନ ଦୃଢ଼,

ଯୋଗେ ଗଲେ ଲାଗି ।

ଶାନ୍ତୋବାଙ୍କ ଗୃହେ ଜନେ

ବିରହ ନ ସହି,

ଚିନ୍ତନ୍ତି ଉପାୟ ତାଙ୍କୁ

ଆଣିବେ ଫେରାଇ ।

ଫେରେ କି ରୁକ୍ମିଣୀ ରଥ,

ସିନ୍ଧୁଗାମୀ ନଈ,

ଭାବେ–ଭୋଳା ଯୋଗୀମନ

ପରମାର୍ଥ ପାଇ ?

ପେଷିବେ କି ପତ୍ନୀ ରତି

ଜିଣି ରୂପବତୀ ?

ରୂପ ମୋହେ ପଡ଼ି ଅବା

ଫେରିପାରେ ପତି ।

ପତି ପାଶେ ପତିବ୍ରତା

ଯିବାକୁ ଅଧୀରା,

ପତି ତା ଦେବତା, ପତି

ଗତିମୁକ୍ତି ପରା ।

ନ ଫେରନ୍ତୁ, ପତି ବନେ

ରଚନ୍ତୁ ସାଧନା,

ସାଧନାରେ ସାଥୀ ହେବ,

କେ କରିବ ମନା ?

ଗୃହେ ଥିଲା ଅଙ୍କଲକ୍ଷ୍ମୀ

ସଂଭୋଗର ସାହା,

ତପସ୍ୟାରେ ଖୋଜି ଦେବ

ଉପଚାର ଯାହା ।

ସତୀ ଚଳିଗଲା ବନେ

ପ୍ରାଣପତି ଯହିଁ,

ଠିଆ ହେଲା ପାଶେ ବାଳା

ମସ୍ତକ ଲୁଆଇଁ ।

ବଜ୍ରେ ବନ୍ଧା ପତିପ୍ରାଣ

ନ ଟଳିଲା ତିଳେ,

ନ ଭାଷିଲେ ପଦେ କଥା,

ନ ଚାହିଁଲେ ଡୋଳେ ।

ନିଜ ଭଜନରେ ନିଜେ

ରହିଲେ ଲଗନ,

ପତି ପଦେ ପଡ଼ି ବାଳା

କରଇ ରୋଦନ ।

କହଇ, ‘‘ପରାଣନାଥ !

ଶୁଭ ମୁଁ ତ ମଣେ,

ଅସାର ସଂସାର ସୁଖ

ତେଜିଲେ ଆପଣେ ।

ତନ ମନ ସବୁ ଅର-

ପିଲେ ପ୍ରଭୁଠାରେ,

ସେ ଶୁଭ ସାଧନା ଧରେ,

ଆଜ୍ଞା ହେଉ ମୋରେ ।

ଆପଣଙ୍କ ଭଗବାନ

ପୂଜନ୍ତୁ ଆପଣ,

ବାଧା କିପାଁ, ପୂଜେ ମୋର

ଦେବତା ଚରଣ ।

ମୋ ପ୍ରାଣଦେବତା ତୁମେ

ବନେ ତପେ ରତ,

ଛାଡ଼ି ମୁଁ ଆଶ୍ରୟ-ହୀନା,

ନାହିଁ ଦେଖେ ହିତ ।’’

ରୁଦ୍ଧ ହେଲା ବାଳା କଣ୍ଠ

ନାହିଁ ପାରେ କହି,

ଲୋତକରେ ପୂର୍ଣ୍ଣ ଚକ୍ଷୁ,

ନାହିଁ ପାରେ ଚାହିଁ ।

ନାରୀ ଅର୍ଦ୍ଧାଙ୍ଗିନୀ ଧର୍ମ-

ପଥେ ପତି ସାହା,

କାମ ଦୂଷିତ ନରକେ

ନ ଫିଟାଏ ରାହା ।

ଶାନ୍ତୋବା ପରାଣେ ନାହିଁ

କାମନା ବିକାର,

ଭାବନ୍ତି, ଦେଖିବେ ସେହୁ

ପତ୍ନୀର ମଙ୍ଗଳ ।

ଶାନ୍ତୋ-ପାଖେ ତୁ ରହିବୁ ବାଳା !

ଯଦି ତୋ ବାସନା,

ରହିବାରେ କେହୁ ତୋରେ

କରିପାରେ ମନା ?

ଏ ବସ୍ତ୍ରଭୂଷଣ ଛାଡ଼ି

ଭିକାରୁଣୀ ବେଶ,

ଧରିବାରେ ଯେବେ ମନେ

ନୁହେ କ୍ଲେଶ ଲେଶ ।

ଭିକ୍ଷାନ୍ନେ ଉଦର ତୋଷି,

କାଟିପାରୁ କାଳ,

ରହ ପାଶେ, ତା ନ ହେଲେ

ଯହିଁ ଇଚ୍ଛା ଚଳ ।

କାଢ଼ି ଫିଙ୍ଗି ଦେଲେ ସତୀ

ଭୂଷଣ-ସମ୍ଭାର,

ନେଲେ ତପସ୍ୱିନୀ ବେଶ,

ନାହିଁ ଆଡ଼ମ୍ବର ।

ପତିସେବା କଲେ ସାର,

ପତିଙ୍କ ଚରଣେ,

ବସି, ମାତିଗଲେ ବାଳା

ସାଧନେ, ଭଜନେ ।

ଶାନ୍ତୋବା ଭାବନ୍ତି ମନେ,

କରିବେ ପରୀକ୍ଷା,

ପତ୍ନୀରେ ସଂଯମ, ଧୈର୍ଯ୍ୟ,

ତ୍ୟାଗ ଆଦି ଶିକ୍ଷା ।

କହନ୍ତି, ‘‘ଗୋ ସହି ! ରୁଟି

ଖାଇ ଖାଇ ମନ,

ବିରକ୍ତ ହେଲାଣି, ଆଜି

ନ ଛୁଇଁବି ଜାଣ ।

ଗ୍ରାମେ ଯାଇ ଦଶଘରୁ

ରୁଟିର ବକଳା,

ଭିକ୍ଷା କରି ଆଣିବୁ କି,

ଭୁଞ୍ଜିବି ମୁଁ ବାଳା ?

ବିଶୁଦ୍ଧ ବକଳା ନାହିଁ

ଆନେ ପ୍ରୟୋଜନ,

ଆଣିଲେ କଷ୍ଟହିଁ ସାର,

ନ ହେବ ଭୋଜନ ।

ଧନୀ ପିତା-ମାତା କୋଳେ

ବଢ଼ିଲା ଆଦରେ,

ଭାସିଲା ଶ୍ୱଶୁରଘର

ବିଳାସ-ସମ୍ଭାରେ ।

ଅନ୍ତଃପୁର ବାଳା ଦେଖେ

ନାହିଁ ରବି ତାରା,

ସେହୁ ପୁଣି ଭିକ୍ଷା ମାଗେ

ପିନ୍ଧି ଫଟା ଚିରା ।

ଏ ଯେ ଶୁଦ୍ଧା ତପସ୍ୱିନୀ

ଅତୁଲ୍ୟ ମହୀରେ ।

ପତିର ଆଜ୍ଞାରେ ସତୀ

କିବା ନାହିଁ ପାରେ ।

ଗ୍ରାମେ ବାଳା ଭିଖ ମାଗେ

ବୁଲି ଘରେ ଘରେ,

ଅଦଭୂତେ ମିଳିଲା ସେ

ନଣନ୍ଦ ଦୁଆରେ ।

ଦେଖି ଭାଉଜେ ନଣନ୍ଦ

ଚକ୍ଷୁ ହେଲା ସ୍ଥିର,

କୁଣ୍ଢାଇ ବୋବାଳି ଛାଡ଼େ

ନ ଫିଟଇ ଗିର ।

ନଣନ୍ଦ-ପିତାଙ୍କ ବିପୁଳ ଧନ

ଗଲା କିଲୋ ଉଡ଼ି,

କୁବେର ବିଭବ ଧରି

ଲକ୍ଷ୍ମୀ ଗଲେ ଛାଡ଼ି ।

ଭାଉଜ ! ତୁ ଥାଳ ଧରି

ବୁଲିବୁ ଦୁଆରେ ।

ଛାତି ଫାଟିଯାଏ ମୋର

ଅନ୍ତର ବିଦରେ ।

ଭାଉଜ–ଏ କି କଥା ?

ସଙ୍ଗାତ ଗୋ ! ଦୁଃଖ କାହିଁପାଇଁ ।

ଭାଇଙ୍କ ତପସ୍ୟା ବଳ,

ତୁମେ ଜାଣନାହିଁ ।

ସେ ଦୃଷ୍ଟିରେ କିବା ଶକ୍ତି,

ମନେ କିବା ଟାଣ,

ଜାଣିଲେ ଦେବତା ଭାବି

ପୂଜନ୍ତି ଚରଣ ।

ଭାଗ୍ୟେ ମୋ ଦେବତା ପତି !

ହେଉଛି ଉଛୁର,

ବକଳା ଖଣ୍ଡିଏ ଦିଅ,

ଯିବି ଦଶ ଘର ।

ଦଶଖଣ୍ଡି ବକଳାରେ

ଭାଇଙ୍କ ଭୋଜନ,

ହେବ ଆଜି ଏ କଥା ଗୋ !

ଅନ୍ୟଥା ନ ଘେନ ।

ନଣନ୍ଦ-ହେବ ନାହିଁ, ହେବ ନାହି,

ତୋତେ ମୋର ରାଣ !

କହିବୁ ‘ଭଗିନୀ ତବ

କରିଲେ ବାରଣ,

ଏସବୁ ବ୍ୟଞ୍ଜନ ଭରି

ପେଷିଛନ୍ତି ଥାଳୀ,

କହିଛନ୍ତି, ‘କାଲିଠାରୁ

ଭିକ୍ଷା ନିଅ ବୁଲି ।’

ଏକାନ୍ତ ବିବଶ ସତୀ

ନ ପାରିଲା ଟାଳି

ନଣନ୍ଦ କଥା, ଦଉଡ଼େ

ହାତେ ଧରି ଥାଳି ।

ଖସିବା ଚଢ଼ିବା ଗିରି

ଗେଲ କଥା ନୁହେ,

ଛିଣ୍ଡିଲା ଆଙ୍ଗୁଠି ଗଣ୍ଠି

ଖରଶ୍ୱାସ ବହେ ।

ବହୁ କଷ୍ଟେ ଥୁଏ ଥାଳୀ

ପତିଙ୍କ ଚରଣେ ।

କି ଭାବିବେ ଦେବତା ମୋ,

ଭୟେ ମନେ ଗୁଣେ ।

ଶୁଣେ ତୀବ୍ର ବାଣୀ ‘‘ଏକି

ଖାଦ୍ୟ ଭିକାରୀର ।

ଫେରାଅ, ଫେରାଅ ବେଗେ

ଲୋଡ଼ା ନାହିଁ ମୋର ।’’

ସବିନୟେ ଭାଷେ ସତୀ

ବଚନ ନିର୍ବନ୍ଧ,

ନଣନ୍ଦର ରାଣ ପରେ

ରାଣ, ଯେତେ ଦ୍ୱନ୍ଦ ।

କାହିଁରେ ତପସ୍ୱୀ ପ୍ରାଣ

ନ ଟଳିଲା ତିଳେ,

ଥାଳୀ ନେଇଧାଏଁ ସତୀ

ପରାଣ ବିକଳେ ।

ପତି ଉପବାସେ ରହେ,

ଭାବି ଅଶ୍ରୁ ଝରେ,

ମିଳିଲା ନିରାଶ ପ୍ରାଣେ

ନଣନ୍ଦ-ମନ୍ଦିରେ ।

ମଧୁର ବଚନେ ବୋଧି

ଫେରାଇଲା ଥାଳୀ,

ବିଶୁଦ୍ଧ ବକଳା ଧରେ

ଦଶଦ୍ୱାର ବୁଲି ।

ଏତେ ହେଲା କାନ୍ଦେ ବାଳା,

ବେଳ ଆସେ ବୁଡ଼ି,

ଘୋଟାଇଲା କଳାମେଘ,

ମାରେ ଘଡ଼ଘଡ଼ି ।

ମୂଷଳ ଧାରାରେ ଘନ

ବରଷିଲା ଜଳ,

କେ କହିବ ସତୀପ୍ରାଣ

କି ଭାବେ ବ୍ୟାକୁଳ ।

ପ୍ରାଣଠୁଁ ବଳି ସତୀରେ

ରୁଟିର ବକଳା

ପିନ୍ଧିବା ଲୁଗାରେ ଢାଙ୍କେ

ଭାବେ ‘ଓଦା ହେଲା !’

ବର୍ଷାମାଡ଼ ଖାଇ ଦେହ

କମ୍ପେ ଥର ଥର,

ଘଡ଼ିଘଡ଼ି ନାଦ ଶ୍ରୁତି

କରଇ ବଧିର ।

ବିଜୁଳି ଚମକେ ଚଳେ

ପଥ ବାରି ବାରି,

ବହୁ କଷ୍ଟେ ମିଳେ ଆସି

ଭୀମାକୂଳେ ବାଳୀ ।

ଦୁଇ କୂଳ ଖାଇ ବହୁ-

ଅଛି ଭୀମାଜଳ ।

ଭୀମାରେ ଯେ ଘୋର ବଢ଼ି

କେହ୍ନେ ହେବ ପାର ।

ଅବିଶ୍ରାନ୍ତ ପଡ଼େ ବାରି,

ସତୀ ଅଶ୍ରୁ ଢାଳେ,

ଆରତେ ପ୍ରାର୍ଥନା ରଚେ

ବିଭୁ ପାଦତଳେ ।

‘‘ହେ ପ୍ରଭୁ, ହେ ପରାତ୍ପର

ଆରତଭଞ୍ଜନ,

ଘୋର ଦୁଃଖେ ମାଗେ

ଦୀନା ଅଭୟ ଶରଣ ।

ପତିଦେବ ଉପବାସେ,

ଅନ୍ନ ହାତେ ମୋର ।

ଭୀମାରେ ଯେ ଘୋର ବଢ଼ି,

କର ତୁ ଉଦ୍ଧାର ।’’

ସତୀର ବିକଳ ଡାକ,

କରୁଣ ଜଣାଣ

ବାଜେ ବଜ୍ରନାଦେ କର୍ଣ୍ଣେ,

ପ୍ରଭୁ ଆର୍ତ୍ତତ୍ରାଣ

ଧାଇଁଲେ କେଉଟ ବେଶେ;

କହନ୍ତି, ‘‘ଭଗିନୀ,

ଦୁର୍ଗମ ଏ ବରଷାରେ

ଏକାକୀ ତୁ ପୁଣି ।

ହେବ ନାହିଁ ! ହେବ ନାହିଁ !

କି ତୋର ସାହସ ।

ପାରିହୋଇ କେତେ ଦୂର

ଯିବୁ କାହା ପାଶ ?

ଭାଙ୍ଗିଗଲା ଧ୍ୟାନ ବାଳୀ

ଚାହେଁ ଖୋଲି ଆଖି,

ମୃଦୁହାସେ ଅଗ୍ରେ ଉଭା

କେଉଟ ସେ ଦେଖି,

କହଇ ହରଷେ, ‘‘ଭାଇ,

ଅନାଥର ନାଥ

ପେଷିଦେଲେ ପାଶେ ତୋତେ,

ନ ସହି ଆରତ ।

ନଦୀର ସେ ପାଖେ ପତି

ଅଛନ୍ତି ଓପାସେ,

ପାରିକର ଆଉ ଡେରି

ନ କର ତୁ ଲେଶେ ।’’

କେଉଟ କହେ, ‘‘ଭଗିନୀ !

ଭୟ କର ଦୂର,

ମୁଁ ଯାଇଁ ଛାଡ଼ି ଆସୁଛି,

ଯହିଁ ତୋର ଘର ।’’

ତୋଳିଲା ସତୀକୁ କାନ୍ଧେ,

ନାବେ କଲା ପାରି

କ୍ଷଣକେ କୁଟୀର ପାଶେ

ଦେଲା ସେ ଉତ୍ତାରି ।

ଦେଖୁ ଦେଖୁଁ କେଉଟ ସେ

ବନେ ଉଭାଇଲା;

ଧନ୍ୟବାଦ ଦେବା ପାଇଁ

ସମୟ ନ ଦେଲା ।

ଚେତା ହେଲା, ଲାଜେ ବୁଡ଼େ,

ସତୀ ଅଙ୍ଗେ ଚାହିଁ,

ସମ୍ପୂର୍ଣ୍ଣ ଲଙ୍ଗଳା ସେ ଯେ !

ବସ୍ତ୍ର ଗଲା କାହିଁ ?

‘‘ବସ୍ତ୍ରେ ଘୋଡ଼ା ଅଛି ରୁଟି

କି ହେଲା, କି ହେଲା !

କେଉଟ କି ଭାବିଥିବ

ପରାଣ ନ ଗଲା ।’’

ରୁଟିର ଉପରୁ ବସ୍ତ୍ର

ଉତ୍ତାରି ଯତନେ,

ଚିପୁଡ଼ି ବରଷାପାଣି

ସତୀ ଅଙ୍ଗେ ଘେନେ ।

ପତିରେ ପ୍ରଣମି ରୁଟି

ଆଗେ ଦେଲେ ଥୋଇ,

ରୁଟିରେ ଶାନ୍ତୋବା ବାରେ

ଚାହିଁଲେ ତ ନାହିଁ ।

ସେଡ଼େ ତେଜ ପତ୍ନୀ ଅଙ୍ଗେ,

ସଉନ୍ଦର୍ଯ୍ୟ ସେତେ,

ସେ ସାତ୍ତ୍ୱିକ ଆକର୍ଷଣ,

ଆତ୍ମୋତ୍ସର୍ଗ ଯେତେ ।

କେବେ ତ ନ ଥିଲେ ଦେଖି,

ପଚାରନ୍ତି ଧୀରେ,

‘‘ଏ ଦୁର୍ଗମେ କେହ୍ନେ ସାଧ୍ୱୀ

ଆସିଲୁ ଏକାରେ ?’’

ଠିକେ ଠିକେ ସବୁ କଥା

ସତୀ ଗଲା କହି,

ଥାଳୀ ଫେରାଇଲା, ରୁଟି

ମାଗି ଆଣେ ବହି ।

ପଥେ ବର୍ଷା, ନଦୀ ବୃଦ୍ଧି,

ଉଡ଼ିଲା ସାହସ ।

କାନ୍ଦିଣ ଡାକିଲା, ଦୟା-

କର ପୀତବାସ,

ଚକ୍ଷୁ ଫେଡ଼ି ଦେଖିଲା ସେ

କେଉଟ କିପରି,

ଆସି ଆଗେ ଉଭାହେଲେ

ଦେଲେ ଆଶା ଭରି ।

ହସି ହସି ଭାଷିଲେ ସେ

କି ମଧୁ ବଚନ,

ଭଗିନୀ ବୋଲିଣ ଡାକି

ଦେଲେ ଆଶ୍ୱାସନ ।

କାନ୍ଧେ ବହି ନାବେ ରଖି

କରିଲେ ସେ ପାରି,

ଆଣିଲେ କାନ୍ଧରେ ଦ୍ୱାରେ

ଦେଲେ ସେ ଉତ୍ତାରି ।

ଧନ୍ୟବାଦ ନାହିଁ ଦେଉଁ,

ହେଲେ ଅନ୍ତର୍ହିତ,

ସବୁ ତ ମଧୁର ଲୀଳା,

ସୃଜିଲେ ଅମୃତ ।

ଶାନ୍ତୋବା ନୟନୁ ଅଶ୍ରୁ

ବହେ ଧାର ଧାର,

କହନ୍ତି ପତ୍ନୀରେ, ‘‘ସତୀ,

ଧନ୍ୟ ଭାଗ୍ୟ ତୋର ।

ଭୀଷଣ ଏ ଭୀମା ନଦୀ

କେ କରିବ ପାରି,

ପୁଣି ବଢ଼ିବେଳେ ? ନାହିଁ

କେଉଟ ସେପରି ।

ଭବ-ସମୁଦ୍ରରୁ ପାର

କରେ ଯେ କେଉଟ,

ଯାହା ପାଇଁ ଯୋଗୀ ଧରେ

ସାଧନା ନିରାଟ ।

ଜନ୍ମ ଜନ୍ମ ତପ କରି

ଯାରେ ନୁହେ ଧରି,

ଭାଗ୍ୟ ତୋର କଲେ ସତୀ

ଭୀମା ନଦୀ ପାରି ।

ଆସିଲେ ମୋ ଦ୍ୱାରେ ପ୍ରଭୁ

ଗଲେ ସତେ ଫେରି ।

ଅଭାଗା ମୁଁ, ଗଲେ ଛାଡ଼ି

ବାରେ ନ ପଚାରି ?

ନିଅ ଫିଙ୍ଗିଦିଅ ରୁଟି

ପଶୁ ପକ୍ଷୀ ମୁଖେ,

ପାପହୀନ ସେ ଜୀବନ,

ଭୁଞ୍ଜନ୍ତୁ ସେ ସୁଖେ ।

ମହାପାପୀ, ଏ ଜୀବନେ

ନ ଘେନିବି ଜଳ,

ଯେତେ ଦିନ ନ ଦେଖିଛି

ଚରଣ କମଳ ।’’

କଷ୍ଟ ସିନା ହେଲା ସାର,

ନ ଭୁଞ୍ଜିଲେ ପତି,

ପରାଣ ବିକଳେ ବାଳା

ବକଳା ଫିଙ୍ଗନ୍ତି ।

ପତି ନ ଖାଇଲେ ସତୀ

ଘେନଇ କି ବାରି,

ଦମ୍ପତି କାଟନ୍ତି କାଳ

ଅନଶନ ଧରି ।

କେତେ ଦିନ ଗଲା ବିତି

ନାହିଁ ତା କଳନା,

ଆକୁଳେ ଯୁଗଳ ପ୍ରାଣୁ

ଉଠଇ ପ୍ରାର୍ଥନା ।

ହରିଭକ୍ତ ବୈଶ୍ୟ ଥିଲା

ପାଖ ଗ୍ରାମେ ରହି,

‘ଭୋଜନ ଯୋଗାଅ ଭକ୍ତେ’

ସ୍ୱପ୍ନେ ପ୍ରଭୁ କହି ।

ବହୁ ପ୍ରକାରର ଅନ୍ନ

ବ୍ୟଞ୍ଜନ ତିଆରି,

ବୈଶ୍ୟ ନେଇ ଥୁଏ ପାଖେ,

ପ୍ରଭୁ ଆଜ୍ଞା ପାଳି ।

କହନ୍ତି ଶାନ୍ତୋବା, ‘‘ଭାଇ,

ତୁମେ ଯେ ବା ହୁଅ,

ପଠାଇଛି ଯେହୁ ତୋରେ

ତାହାଙ୍କୁ ପଠାଅ ।

ନ ଦେଖିଲେ ତାରେ, ଅନ୍ନ

ନ ଦେବୁ ତ ମୁଖେ,

ଅନସନେ ଯାଉ ପ୍ରାଣ,

ପ୍ରଭୁ ଥା’ନ୍ତୁ ସୁଖେ ।

ଅନ୍ନ ଥୋଇ, ବୈଶ୍ୟ ନିଜ

ଗୃହେ ଗଲା ଚଳି,

ଶାନ୍ତୋବା ଅଟଳ ଭକ୍ତ

ମନେ ମନେ ଭାଳି ।

ଖାଦ୍ୟଦ୍ରବ୍ୟେ ପଡ଼ି ଦୃଷ୍ଟି

କହନ୍ତି ଶାନ୍ତୋବା,

‘‘ଅନ୍ନ ସିନା ଲୋକେ ବଡ଼,

କି ଅଛି ସେ ଥିବା !

ଖାଦ୍ୟ-ଦୋଷେ ମରେ ନର,

ସଂଯମେ ଜୀବନ,

ଜୀବନେ ବା କିସ ଅଛି,

ଜୀବନ୍ତ ମରଣ ।

ଅସାର ଏ ଅନ୍ନ, ତୃପ୍ତି

ଆଣେ ନାହିଁ ତିଳେ,

ଟିକିଏ ଅନ୍ତରେ ହୁଏ,

ପରିଣତ ମଳେ ।

ଏଇ ଛାର ଭକ୍ଷ୍ୟଦ୍ରବ୍ୟେ,

ଜୀବନ-ବିଭବେ,

ଭୁଲାଇପାରିବ ପ୍ରଭୁ !

ଭାବ ନାହିଁ ଲବେ ।

ଆସ ବାରେ ଦେଖାଦିଅ,

ଆସ ବଂଶୀପାଣି,

ତ୍ରିଭଙ୍ଗୀ ଠାଣିରେ ଯୋଖ

ବଙ୍କିମ ଚାହାଣି ।

ପ୍ରେମର ତରଙ୍ଗ ଖେଳୁ,

ବଜାଅ ମୁରଲୀ,

ଆମେ ତୋ ଚରଣଦାସ,

କହ ମୋର ବୋଲି ।’’

ବାଜିଲା ପରାଣେ ଡାକ,

ନ ପାରିଲେ ସହି,

ନଟବର ବେଶେ ଦେଖା-

ଦେଲେ ଭାବଗ୍ରାହୀ ।

ଭକତ ଯୁଗଳେ ପ୍ରେମେ

ବସାଇଲେ କୋଳେ,

ସ୍ନେହେ ଅନ୍ନ ଦେଲେ ମୁଖେ

ପ୍ରେମେ ଅଶ୍ରୁ ଗଳେ ।

ଦମ୍ପତି ତପତ ପ୍ରାଣ

କରିଣ ଶୀତଳ,

ବହୁ କ୍ଷଣ ରହି ପ୍ରଭୁ

ହୋଇଲେ ଅନ୍ତର ।

କଲେ ଆଶୀର୍ବାଦ ମିଳୁ-

ଥିବରେ ଦର୍ଶନ,

ଯେ ଦିନ ଯେ ରୂପେ ଇଚ୍ଛା

ଭକତପ୍ରଧାନ ।

ପଣ୍ଡରପୁରରେ ପ୍ରଭୁ

ବିଟ୍‌ଠଲ ମିନ୍ଦିରେ,

ରଥ ଏକାଦଶୀ ଯାତ୍ରା

ବିଖ୍ୟାତ ଲୋକରେ ।

ଲକ୍ଷ ଲକ୍ଷ ଜମି ପ୍ରେମେ

ପୂଜନ୍ତି ବିଟ୍‌ଠଲ,

କରନ୍ତି ଜୀବନ ଧନ୍ୟ,

ଉଠେ ହରିବୋଲ ।

ସେହି ସେ ଦର୍ଶନ ପାଇଁ

ଶାନ୍ତୋବା-ଦମ୍ପତି,

ନାମ-ସଂକୀର୍ତ୍ତନ କରି

କରୁଛନ୍ତି ଗତି ।

ଦଶମୀ ଚାନ୍ଦନୀ ରାତି

ଦଶ ଘଡ଼ି ଜହ୍ନ,

ଚାଲନ୍ତି ଭକତ ଯେତେ

କରି ସଂକୀର୍ତ୍ତନ ।

ଅର୍ଦ୍ଧରାତି ହେଲା, ଆସି

ଭୀମା ନଦୀ ପାଶେ,

ଦେଖନ୍ତି ଭୀଷଣ ବଢ଼ି

ଫେରନ୍ତି ନିରାଶେ ।

ଶାନ୍ତୋବା କହନ୍ତି, ‘‘ଆସ,

ଆସ, ହେ ଭକତେ,

ନାହିଁ ଭୟ, ପିଛା ଧର,

ଯାଏ ମୁଁ ପୁରତେ ।

ଏ ଭବ-କାଣ୍ଡାରୀ ହରି

ନାମ ତୁଣ୍ଡେ ଧରି,

ଏ ଭୀମା ସାମାନ୍ୟ ନଈ

ହେବାନି କି ପାରି ?

ଚାଲନ୍ତି ଶାନ୍ତୋବା ପତି-

ପତ୍ନୀ ଦୁଇ ଜଣ,

ପଛେ ଶତ ଶତ ଭକ୍ତ

କରନ୍ତି ଗମନ ।

ପାଣି ଶୁଖି ଖୋଲିଗଲା

ପଥ ସୁପ୍ରଶସ୍ତ ।

ପାର ହେଲେ ଭକ୍ତଗଣ

ପ୍ରେମେ ବିଗଳିତ ।

‘‘ଜୟ ହେ ଶାନ୍ତୋବା, ଜୟ

ପତି ପତ୍ନୀ ଦୁଇ,

ଯାତ୍ରୀଗଣ ତୀର୍ଥେ ଗଲେ

ଭକ୍ତ ଯଶ ଗାଇ ।

ଭକ୍ତ ଯଶ ଗାଇ କଲେ

ବିଟ୍‌ଠଲ ଦର୍ଶନ,

ଶୁଣନ୍ତି ଶାନ୍ତୋବା କର୍ଣ୍ଣେ

ଶ୍ରୀମୁଖବଚନ ।

‘‘ପତିପତ୍ନୀ ପାଖେ ଆସ,

ନିତି ଦେଖେ ମୁଖ,

ଏତେ ଦୂରେ ଅଛ, ପ୍ରାଣେ

ତିଳେ ନାହିଁ ସୁଖ ।’’

ପ୍ରଭୁଙ୍କ ନିଦେଶେ ପତି-

ପତ୍ନୀ ଗଲେ ପାଖେ,

ସାଧୁ ସଙ୍ଗ ପାଇ ବହୁ

ତରିଗଲେ ସୁଖେ ।

ପଣ୍ଡୁରପୁର ହୋଇଲା

ବୈକୁଣ୍ଠ ଭୁବନ,

ବହୁ ଦୂରୁଁ ଆସି ଜମି-

ଗଲେ ଭକ୍ତଗଣ ।

ଲାଗିଲା ପ୍ରେମର ଲୀଳା

ନାଚିଲା ମନ୍ଦିର,

କ୍ଷଣ ଭକ୍ତ-ସଙ୍ଗ-ଲାଭେ

ତରିଗଲେ ନର ।

ଭକ୍ତ ପତିପତ୍ନୀ ଯଶଃ

ଖେଳିଲା ଭାରତେ

ସରବେ ଦେଖିଲେ ଭକ୍ତ

ବିଟ୍‌ଠଲ ପୁରତେ ।

କି ଦିବ୍ୟ ଉନ୍ମାଦ ପତି-

ପତ୍ନୀ ଦେହେ ଖେଳେ,

ଦର୍ଶନରେ ସେ ଉନ୍ମାଦ

ପ୍ରାଣୁଁ ପ୍ରାଣେ ଚଳେ ।

କୋଟି ପ୍ରାଣ ଧନ୍ୟ କଲେ

ଭକତଯୁଗଳ,

ଦିବ୍ୟୋନ୍ମାଦେ ନାଚୁ ନାଚୁ

ତେଜିଲେ ଶରୀର ।

ଧନ୍ୟ ଭକ୍ତ ବନ୍ଧୁ, ଧନ୍ୟ

ଭକତେ ତୋ, ଭାବ

ଭକତ ଶକତି ତୋର

କେ ବର୍ଣ୍ଣି ପାରିବ ?

ତୋଠାରୁ ଭକତ ବଡ଼,

ବଡ଼ ତା ଶକତି,

ଭକ୍ତ ସଙ୍ଗ ଗୁଣେ ତରେ

ମହା ପାପମତି ।

ଭକ୍ତ ସଙ୍ଗ ମିଳୁ ସଦା,

ଲୋଟେ ପଦତଳେ,

ଆଉ କିଛି ତହୁଁ ବଡ଼

ନ ଦିଶେ ମହୀରେ ।

Image

 

ଲଳିତା ଚରଣ

 

ପରମ ଭକତ ଏକ

ବୈଶ୍ୟ ପରିବାର,

ଚିତ୍ରକୂଟ ପାଖ ଗ୍ରାମେ

କରିଥିଲେ ଘର ।

ପତିପତ୍ନୀ ଦୁଇ ଜଣ

କରି କିଣା ବିକା,

ଦୋକାନ ବେବସା କରି

ଚଳାନ୍ତି ଜୀବିକା ।

ପିତା ମାତା ଶୁଦ୍ଧମତି

ପୂଜି ହନୁମାନ,

ପାଇଥିଲେ ଧର୍ମବଳେ

ତନୟ ରତନ ।

ଶୁଦ୍ଧ ଜନ୍ମାଷ୍ଟମୀ ରାତ୍ରି

ହେବ ଦିପହର,

ମାତୃକୋଳ ପୂର୍ଣ୍ଣ କଲା

ଜନମି କୁମର ।

ଅତି ହିଁ ଲଳିତ ତନୁ,

ରୂପ ମନୋହର,

ପିତା-ମାତା-ପ୍ରାଣ କଲା

ଲଳିତ, ମଧୁର ।

ଲଳିତାଚରଣ ନାମ

ଦେଲେ ପିତା ମାତା,

କୁମାରେ ଲଳିତ କରି

ଗଢ଼ିଲେ ବିଧାତା ।

ସୂର୍ଯ୍ୟ ନାରାୟଣେ ନିତି

ଅର୍ଘ୍ୟ କରି ଦାନ,

ଜନକ ପୂଜନ୍ତି ପ୍ରେମେ

ଦେବ ହନୁମାନ ।

ମାତାଙ୍କର ନିତି ନିତି

ତୁଳସୀପୂଜନ,

ପିତାଙ୍କଠୁ ହନୁମାନ

ଚାଳିଶାପଠନ ।

ପିଲାଦିନୁ ପୁତ୍ର ପିତା

ମାତା ସାଥୀ ଧରେ,

ପ୍ରଭୁରେ ଭକତି ତାଙ୍କ

ଦେଖେ କୁତୂହଳେ ।

ପାଞ୍ଚ ସାତ ବର୍ଷ ଦିନୁ

ଲଳିତାଚରଣ,

ପରାଣ ଭକତି ଢାଳି

ନମେ ହନୁମାନ ।

ହନୁମାନ ଚାଳିଶା ସେ

ପଢ଼ଇ ନିରତ,

ପ୍ରେମ ଗଦ ଗଦ ବାଣୀ

ମଧୁର, ଲଳିତ ।

କେବେ ବୋଧହୁଏ ତା’ରେ

ହନୁମାନ ନିଜେ,

ଶିରେ ହାତ ରଖି ପାଶେ

ଶୁଣିବାକୁ ବିଜେ ।

ଅଙ୍ଗରେ ପୁଲକ, ବହେ

ପ୍ରେମେ ଅଶ୍ରୁଧାର,

ଭାବାବେଶେ କଟିଯାଏ

ପ୍ରହର ପ୍ରହର ।

ପୁତ୍ରର ଭକ୍ତିରେ ପିତା-

ମାତା ଆନନ୍ଦିତ,

କହନ୍ତି, ‘‘ତୋହରି ଦୟା

ହେ ଅଞ୍ଜନାସୁତ ।’’

ପାଖ ଗ୍ରାମେ ହେଉଥିଲା

ଦିନେ ରାସଲୀଳା,

ଲଳିତା ନୋହୁଣୁ ସଞ୍ଜ

ତହିଁ ପହଞ୍ଚିଲା ।

ପଡ଼ିଲା ବିଷୟ, କୃଷ୍ଣ

ମଥୁରା-ଗମନ,

ଗୋପୀଙ୍କ ବିରହଲୀଳା

ବକ୍ଷ-ବିଦାରଣ ।

ବୃନ୍ଦାବନୁ ରଥେ କୃଷ୍ଣ

ଯାଆନ୍ତି ମଥୁରା,

କେଶବାସ ଅସମ୍ଭାଳ

ଗୋପୀଏ ଅଧୀରା ।

ଲୋକଲାଜ ଭୁଲି ଉଚ୍ଚେ

କରନ୍ତି ରୋଦନ,

‘‘ହା ଗୋବିନ୍ଦ, ଦାମୋଦର,

ମାଧବ, ମୋହନ ।

ଗୋପାଙ୍ଗନା ଲତା ତୁମେ

ଆଶ୍ରୟ-ପାଦପ,

କୋମଳ କୁସୁମ ଆମେ

ତୁମେ ତ ମଧୁପ ।

କୁମୁଦିନୀ ଗୋପାଙ୍ଗନା

ତୁମେ ହିମକର,

ଗୋପାଙ୍ଗନା ମୀନ ତୁମେ

ଭାଗୀରଥି ବୀର ।

ତୁମେ ଗଲେ ଗୋପାଙ୍ଗନା

ବଞ୍ଚିବୁ କି କ୍ଷଣେ ?

ବିଷ ଦେଇ ମାରିଯାଅ

ଗୋପୀ ଜଣେ ଜଣେ ।

ତୁହି ତ ପରାଣ, ଗଲେ

ବଞ୍ଚିବୁ କିପରି ?

ଗୋପୀନାଥ ନାମ ପରା

ଧରୁ ବଂଶୀଧାରୀ ।

ଚରଣର ଦାସୀ ମାରି

କିବା ପଉରୁଷ,

ଅମୃତମୟ ତୋ ହୃଦ

କାହୁଁ ହେଲା ବିଷ ?

ଯାଅ ନାହିଁ ମଥୁରା ତୁ

ଆସ ଆସ ଫେରି,

ଖଟୁଳୀରେ ରଖି ପୂଜୁ-

ଥିବୁ ଗୋପନାରୀ ।’’

ଗୋପୀଙ୍କ ହୃଦୟଫଟା

ବ୍ୟାକୁଳ କ୍ରନ୍ଦନ

ଶୁଣି ଗୋପୀଭାବେ ଲୀନ

ଲଳିତାଚରଣ ।

ବକ୍ଷ ବସ୍ତ୍ର ହେଲା ଓଦା

ବହିଣ ଲୋତକ,

‘ହା କୃଷ୍ଣ’, ‘ହା କୃଷ୍ଣ’ କହି

ଛାଡ଼େ ଆର୍ତ୍ତ ଡାକ ।

କେତେ ଜନ୍ମର ବିରହ

ହେଲା କି ଜାଗ୍ରତ,

ବାଳକ ବୋବାଳି ଶୁଣି

ଜନେ ବିଚଳିତ ।

ପ୍ରବୋଧ ଦେବାକୁ କୋଳେ

ଘେନନ୍ତି ବାଳକ,

ବୃଦ୍ଧେ ଶୋକେ ଭୋଳ

ହୋଇ ଢାଳନ୍ତି ଲୋତକ ।

ଲୋତକର ଲୀଳା ଏବେ

ପ୍ରାଣୁଁ ପ୍ରାଣେ ଖେଳେ,

ଧରଣୀ ହେଲା ପବିତ୍ର

ପୂତ ଅଶ୍ରୁଜଳେ ।

ଉଦ୍ଧବ ଗୋପୀଙ୍କ ଦଶା

ଦେଖି ଯାଇ ଫେରି,

କହନ୍ତି ରାଧିକା ଦଶା

ଶୁଣନ୍ତି ମୁରାରି ।

ଲଳିତାଚରଣ ଦେଖେ

ନିଜେ ହନୁମାନ,

ଶ୍ରୀକୃଷ୍ଣେ ତାହାରି ଦଶା

କରନ୍ତି ବର୍ଣ୍ଣନ ।

ଅଶ୍ରୁ ଢାଳି ଢାଳି ଜନେ

ଗଲେ ଘରେ ଫେରି,

ଲଳିତାର ଅଶ୍ରୁ କେହି

ନ ପାରେ ନିବାରି ।

ଘରେ ଫେରି ଲଳିତାର

ଉନ୍ମାଦ ବଢ଼ିଲା,

ଖାଦ୍ୟପେୟ ଭୁଲି ହନୁ-

ମାନେ ଆଶ୍ରା କଲା ।

ହନୁମାନ ଚାଳିଶା ସେ

ଗୁଣି କରେ ନତି,

‘‘ମୋ ଦଶା କୃଷ୍ଣରେ ପ୍ରଭୁ

ଜଣାଅ ଝଟତି ।

ପ୍ରାଣ ଯାଉଅଛି ଉଡ଼ି,

ନୁହେ ଦମ୍ଭ ଧରି,

ରକ୍ଷାକର ହନୁମାନ ।

ତୋ ପଦେ ଗୁହାରି ।’’

ଲଳିତା ଦେଖଇ ଅଗ୍ରେ

ନିଜେ ହନୁମାନ,

ସ୍ନେହେ ଭାଷୁଛନ୍ତି ତାରେ

ଅମିୟ ବଚନ ।

‘‘ବୃନ୍ଦାବନେ ଯାଇ ଦଶା

ଜଣାଇଲି ତୋର,

ଚରଣେ ସେବା ମିଳିବ

ନ ହୁଅ କାତର ।

ଶୁଣି ଆନନ୍ଦିତ ହେଲି

ଶ୍ରୀମୁଖ ବଚନ,

‘ଲଳିତା ଲଳିତା ପରି

ମୋ ଆଦର ଧନ’ ’’

ଲଳିତା ଉନ୍ମାଦେ ଟଳି-

ପଡ଼ଇ ଚରଣେ,

ହନୁମାନ ଦୟା ସବୁ

ଅନ୍ତରରେ ଘେନେ ।

ସେ ରାତ୍ର ଦେଖଇ ସ୍ୱପ୍ନ

ନିଜେ ହନୁମାନ,

ଦ୍ୱାଦଶ ଅକ୍ଷର ମନ୍ତ୍ର

କରନ୍ତି ପ୍ରଦାନ ।

‘‘ଓଁ ନମୋ ଭଗବତେ

ବାସୁଦେବାୟ’’

ନିଜ ଜପମାଳା ଗଲେ

ଛାଡ଼ି ଭକ୍ତ ପାଇଁ,

ପରଦିନ ବୃନ୍ଦାବନେ

ଲଳିତା ଚଳଇ ।

ଶରୀର ଧୂଳିଧୂସର

ଶିରେ ହେଲା ଜଟା,

ଗଲା ବେଶ ପରିପାଟି

ଖାଦ୍ୟ ପାନ ଘଟା ।

ପଥେ ବୃକ୍ଷତଳୁଁ ଫଳ

ମିଳିଲେ ସେ ଖାଏ,

ନ ମିଳିଲେ ଉପବାସ,

ଝର ପାଣି ପିଏ ।

ବହୁଦିନ-ତ୍ୟକ୍ତ ପତ୍ନୀ

ଯାଉଛି କି ଫେରି,

ଭେଟି ପ୍ରାଣନାଥେ ଦେବ

ଉରସ ବିସ୍ତାରି ?

ଦୁନିଆର ବେଶ ସିନା

ନର-ନେତ୍ର ମୋହେ,

ଅନ୍ତରର ଶୁଦ୍ଧ ବେଶ

ଦେବତାକୁ ଶୋହେ ।

ନାହିଁ ଶୌଚ, ନାହିଁ ସାନ,

ଦୀନହୀନ ବେଶ,

ଶ୍ରୀକୃଷ୍ଣ ଚରଣତଳେ

ଯାଇଁ ପରବେଶ ।

ଚରଣେ ଗଡ଼େ ଲଳିତା

ମହା ଭାବ ଭୋଳେ,

ତନୁ କଣ୍ଟକିତ ପ୍ରେମେ,

ହର୍ଷେ ଅଶ୍ରୁ ଗଳେ ।

ପ୍ରହର ପ୍ରହର ଗଲା

ନାହିଁ ଆସେ ଜ୍ଞାନ,

ଭୋକ ଶୋଷ ଭୁଲିଗଲା

ନାହିଁ ସ୍ନାନ ପାନ ।

ସେବକ କହନ୍ତି, ‘‘ବାପା !

ଉଠ ସ୍ନାନ ସାର,

ପ୍ରସାଦ ପ୍ରସ୍ତୁତ ଭଞ୍ଜ

ହେଉଛି ଉଛୁର ।’’

ଅଚିହ୍ନା ଲଳିତାଠାରେ

କିପାଁ ଏତେ ପ୍ରୀତି ।

ଲଳିତା ଭାବଇ ଲୀଳା

ରଚନ୍ତି ଶ୍ରୀପତି ।’

ସ୍ନାନ ସାରି ଆନନ୍ଦେ ସେ

ଭୋଗ ମୁଖେ ଦେଲା,

ବିରହଜ୍ୱାଳା ଭୁଲିଣ

କୃତକୃତ୍ୟ ହେଲା ।

ପାବଚ୍ଛେ ବିଗ୍ରହେ ଚାହିଁ

କାଟେ ସାରା ଦିନ,

କୁଞ୍ଜେ କୁଞ୍ଜେ ବୁଲ ରାତ୍ରି

କରଇ ଯାପନ ।

କୁଞ୍ଜେ କୁଞ୍ଜେ ବୃନ୍ଦାବନେ

ଲାଗେ ନିତ୍ୟ ଲୀଳା,

ଅନ୍ୟେ ସିନା ଗୁପ୍ତ, ଦେଖେ

ସିଦ୍ଧ ଭକ୍ତଡୋଳା ।

ଲଳିତା ଦେଖଇ କେବେ

ରମ୍ୟ ରାସକେଳି,

କେବେ ବା ନୟନେ ଭାସେ

ନବନୀତ ଚୋରୀ ।

କେବେ ବା ବାସହରଣ

ଶକଟା-ମର୍ଦ୍ଦନ,

ଗୋପୀ ଗୋପାଳଙ୍କ ଲୀଳା

କରଇ ଦର୍ଶନ ।

ରାସେ ଯୋଗ ଦେଇ

କେବେ ହୁଏ ନୃତ୍ୟରତ,

ନିଜ ଦୁଇ ହାତେ ଧରି

କୃଷ୍ଣ ଦୁଇ ହାତ ।

ଅଦ୍ଭୁତ ଭକତଲୀଳା

କେ କରିବ ଗାନ,

ଯା ଚରଣଧୂଳି ପାଇଁ

ଲୋଭୀ ଭଗବାନ ।

ଖାଦ୍ୟ ପାନ ସ୍ନାନ ଧ୍ୟାନ

କେହି ନ ଜାଣଇ,

ଲଳିତା ନ ଜାଣେ କିଛି,

କାହୁଁ ସେ ଚଳଇ ।

ବୃଦ୍ଧ ଜଣେ ଦେଇଯାଏ

ରୁଟି ତରକାରୀ,

ଲଳିତା ଭକ୍ଷଇ, ପିଏ

ଯମୁନାର ବାରୀ ।

ବାରେକ ମାତର ନିତ୍ୟ,

ଯୁଟଇ ଆହାର,

ଆହାର କି ହେବ, ସେ ତ

ମହାଭାବେ ଭୋଳ ।

ହନୁମାନ ଦତ୍ତମାଳା

ସଦା ଗଳେ ଧରେ,

ଦ୍ୱାଦଶାକ୍ଷର ବଦନୁଁ

ନିରନ୍ତର ସ୍ଫୂରେ ।

ନୟନ ସର୍ବତ୍ର ଦେଖେ

ଶ୍ରୀକୃଷ୍ଣ ସ୍ୱରୂପ,

କର୍ଣ୍ଣ ଶୁଣେ ବଂଶୀବାଣୀ,

କୃଷ୍ଣନାମ ଜପ ।

ସର୍ବନାମ ରୂପ ହେଲା

କୃଷ୍ଣଦେହେ ଲୀନ,

ଷୋଳ ବର୍ଷ ଗଲା ସରି

ଯେହ୍ନେ ଏକ କ୍ଷଣ ।

ଲଳିତାର କୃଷ୍ଣପଦେ

ତନ ମନ ଲୟ,

ଏକ ଭାବେ, ଏକ ରସେ

କଟିଲା ସମୟ ।

ଲଳିତାଚରଣ ହେଲା

ଦ୍ୱିତୀୟ ଲଳିତା,

କୃଷ୍ଣପଦେ ସଦା ରତି,

କୃଷ୍ଣରେ ମୋହିତା ।

ଦିନେ ବଂଶୀଧ୍ୱନି ଉଠେ

ବୃନ୍ଦାବନ ପୂରି,

ଗୋଟି ଗୋଟି ଡାକେ ବଂଶୀ

ଗୋପୀଙ୍କୁ ହକାରି ।

ଲଳିତାର କର୍ଣ୍ଣେ ବାଜେ

ମୁରଲୀ ନିସ୍ୱନ,

ବିବଶ ଲଳିତା, ତର-

କିଲା ତନ ମନ

ଅଷ୍ଟ ସଖୀ ମଧ୍ୟେ ଯାଇ

ରାସେ ଦେଲା ଯୋଗ,

ଷୋଳସସ୍ର ଗୋପୀପ୍ରାଣେ

ମହା ଅନୁରାଗ ।

ଧନ୍ୟ ଯାର କର୍ଣ୍ଣେ ବାଜେ

ବଂଶୀ ଆବାହନ,

ପାଗଳ ହୋଇଣ ଖୋଜେ

ଶ୍ରୀ ନନ୍ଦନନ୍ଦନ ।

ଛିଣ୍ଡିଯାଏ ପରାଣର

ସକଳ ବନ୍ଧନ,

ଉଦାର ଆତ୍ମସ୍ୱରୂପ

କରେ ଆସ୍ୱାଦନ ।

ବାଇଫଳ ଖାଇ ଯେହ୍ନେ

ଲୋକ ହୁଏ ବାଇ,

ପାଗଳ ଲଳିତା ଭଲ

ମନ୍ଦ ନ ବୁଝଇ ।

ରାସମଣ୍ଡଳୀରେ ଯାଇଁ

ହୋଇଲା ମିଳିତ,

ଶ୍ରୀକୃଷ୍ଣ ଇଙ୍ଗିତେ ସଖୀ

ଲଳିତା ଜାଗ୍ରତ ।

ଲଳିତାଚରଣେ ଦେଲେ

ନିଜ ଅଙ୍ଗେ ସ୍ଥାନ,

ଲଳିତାରେ ମିଶିଗଲା

ଲଳିତାଚରଣ ।

କି ଭାଗ୍ୟେ ପାଇଲା ଶ୍ରେଷ୍ଠ

ପ୍ରଣୟିନୀ ପଦ,

ଚରଣର ନିତ୍ୟ ସେବା,

ଅପୂର୍ବ ସମ୍ପଦ ।

ଜୟ ହେ ଅମୃତଦାତା ।

ଜୟ ଭକ୍ତଧନ ।

ମଧୁର ଏ ପ୍ରୀତି-ରସ

ବୁଝିବ କି ପ୍ରାଣ ?

ବାଜିବ କି କର୍ଣ୍ଣେ ବଂଶୀ

କାଟିବ ବନ୍ଧନ,

ପରାଣେ ରାସ ରଚିବ

ହେ ନନ୍ଦନନ୍ଦନ ।

Image

 

ମାଛ ପାଟିରୁ ‘ଭଗବାନ’

 

ଓଡ଼ିଶା ଗୋଲକସିଦ୍ଧ

ସାଧକଙ୍କ ଘର,

ବିଜେ ନୀଳକନ୍ଦରରେ

ପ୍ରଭୁ ଚକ୍ରଧର ।

ମର୍ତ୍ତ୍ୟ ବଇକୁଣ୍ଠ ସେ ତ

ଯମ ଯାଏ ଡରି,

ମୁକତି ମିଳଇ ହେଲେ

ଭୂମି ଆଶ୍ରା କରି ।

ପଦ୍ମରେ କେଶର ସରି

ଜଗନ୍ନାଥ ପୁରୀ,

ବିଶାଳ ଓଡ଼ିଶା ଦେଶ

ପ୍ରଧାନ ନଗରୀ ।

ପୁରୀକୁ ଉତ୍ତରେ ଦଶ

କୋଶେ ଅଛି ରହି ।

ପିପିଲିଯାତ୍ରୀଙ୍କ ପାଇଁ

ହାଟଚଟି ସେହି ।

ରଘୁଆ କେଉଟ ରହେ

ବିରଚି କୁଟୀର ।

ପତ୍ନୀ, ମାଆ ବୁଢ଼ୀ ଘେନି

ଦୀନ ପରିବାର ।

ମାଛ ଧରେ ବିକେ ନିତି

ଚଳାଏ ଜୀବିକା,

ନିରନ୍ତର ଜଗନ୍ନାଥେ

ନିର୍ଭର ତା ଏକା ।

ପୂର୍ବ ଜନ୍ମ ପୁଣ୍ୟ ଘେନି

ଅଟେ ସେ ଭକତ,

ମାୟା କପଟ ନ ଜାଣେ

କଥା କହେ ସତ ।

ମାଛ ମାରେ, କିନ୍ତୁ ମନେ

ବଡ଼ ସନ୍ତର୍ପଣ,

ଧିକ, ଧିକ ପ୍ରଭୁ ଦେଲେ

କେଉଟଜୀବନ ।

ଦୁଃଖ ହୁଏ ସତ, କେହ୍ନେ

ଛାଡ଼ୁଛି ବେଉସା ?

ବୃଦ୍ଧ ମାତା, ପତ୍ନୀର ସେ

ଏକଇ ଭରସା ।

ଶୁଦ୍ଧ ବିପ୍ରେ ଗୁରୁ କରି

ନେଲା ଧର୍ମଦୀକ୍ଷା,

ସ୍ନାନ ପୂଜା ନାମ କରେ

ମାନି ଗୁରୁ ଶିକ୍ଷା ।

ତାର ଶୁଦ୍ଧପ୍ରାଣେ କ୍ରମେ

ଜ୍ଞାନ ହେଲା ଜାତ

ଘଟେ ଘଟେ ନାରାୟଣ

ହେଲା ଅନୁଭୂତ ।

ମାଛ ମାରି ଯିବା କ୍ରମେ

ହୋଇଲା ଦୁଃସହ,

ବିଭୁ ନାମ ଜପି ନେତ୍ରୁ

ଗଡ଼ାଇଲା ନୁହ ।

ନ ଯାଏ ସେ ମାଛ ଧରି,

ବସି ରହେ ଘରେ,

ସଞ୍ଚୟ ତ ଶେଷ ହେଲା

ଦିନ ଦୁଇଟାରେ ।

ମାତା ପତ୍ନୀ ଦେଲେ ଗାଳି,

କଲେ ତିରସ୍କାର,

ବଡ଼ କଷ୍ଟେ ଜାଲ ଧରି

ହେଲା ସେ ବାହାର ।

ପୋଖରୀରେ ପାତେ ଜାଲ

ଜଗନ୍ନାଥ ସ୍ମରି,

ପଡ଼ିଲା ବିଶାଳ ରୋହି

ଭାଗ୍ୟକୁ ତାହାରି ।

ରୋହି ଦେଖି ନାଚେ ରଘୁ,

ବହେ ଅଶ୍ରୁଧାର,

ଏ ତ ଆଦ୍ୟ ଅବତାର ।

ପ୍ରଭୁ ପରାତ୍ପର ।

କହେ, ‘‘ମତ୍ସ୍ୟରୂପଧାରୀ ।

ଶୁଣ ଶୁଣ ହରି,

ମାରୁଅଛୁ ମୋତେ ଦୁଃଖେ

ଧୀବର ତୁ କରି ।

ମାଛମରା ଛାଡ଼ି ଆଉ

କି ଅଛି ଉପାୟ,

କ୍ଷୁଧାରେ ଜନନୀ ପତ୍ନୀ

ଅତିହିଁ ଅଥୟ ।

ଧରିଛି, ମାରିବି ତୋରେ

ଦେଇଛୁ ବେଉସା,

ମତ୍ସ୍ୟ ହୁଅ, ପ୍ରଭୁ ହୁଅ

ଛାଡ଼ ପ୍ରାଣ ଆଶା ।

ଚିପେ ଗଳା ଆଣ୍ଟେ, ହାତେ

ମାଛ ଦୃଢ଼େ ଧରି,

ମାଛ କହେ, ‘‘ଭଗବାନ ।

ରକ୍ଷା କର ହରି ।’’

‘‘ମାଛ କି କହଇ କଥା !

କି ମଧୁର ସ୍ୱର,

ଏ ସ୍ୱର ଯାହାର ସେ ତ

ତ୍ରିଲୋକସୁନ୍ଦର

ସେ ତ ନଟବର ଶ୍ୟାମ

ନୀଳାଦ୍ରିବିହାରୀ,

ସେ ତ ଭକ୍ତଜନ-ସଖା

ଦୀନବନ୍ଧୁ ହରି ।’’

ରଘୁଆ ଚକିତ ପ୍ରାଣ

ଆନନ୍ଦରେ ଭରା,

ଗଲା ବରୁଣେଇ ବନେ,

ପର୍ବତ ଚଢ଼ିଲା ।

ଦେଖିଲା ଝରଣା ଝରେ,

କୁଣ୍ଡ ସ୍ଥାନେ ସ୍ଥାନେ,

ଭଲ କରି ବାଛି ରୋହି

ରଖିଲା ଯତନେ ।

ଚକାପାତି ବସିଗଲା

ସୁଦୃଢ଼ ଆସନେ,

ମାତା ପତ୍ନୀ ଦୁଃଖ, ନିଜ

କ୍ଷୁଧା ନାହିଁ ଘେନେ ।

ନେତ୍ରୁ ଅଶ୍ରୁଧାର ଝରେ

କରଇ କାକୁତି,

‘‘ମାଛପେଟୁ କହୁ କଥା,

ଦେଖାଅ ମୂରତି ।

ତୋର ‘ଭଗବାନ’ ସ୍ୱର

ଆହା କି ମଧୁର,

ସ୍ୱରୁଁ ବଳି ମୂରତି ତ

ଥିବ ମନୋହର ।

ହେ ମନମୋହନ ସୁଦ -

ର୍ଶନ ଦିଅ ଦେଖା,

ଯାଏ ସରି ଦାସ, ପ୍ରାଣ

ନ ସହେ ଉପେକ୍ଷା ।

ପଡ଼ି ମାଂସ ଅସ୍ଥି ଏଥି

ଖସିପଡ଼ୁ ତଳେ,

ଦେଖେ ମୁଁ ନୀଳଶଇଳୁଁ

ଆସୁନି କି ବେଳେ ।’’

ତିନି ଦିନ ତିନି ରାତି

ଏକାସନେ ତହିଁ,

ତିନି ବୁନ୍ଦା କରି ଜଳ

ରଘୁ ନ ଘେନଇଁ ।

‘ଜଗବନ୍ଧୁ, ଜଗବନ୍ଧୁ’

ରଟଇ ବଦନ,

ଅନ୍ତରରେ ଜଗବନ୍ଧୁ

ରୂପେ ଅଛି ଧ୍ୟାନ ।

ନୟନୁ ଲୋତକ ବହେ

ଭାଗୀରଥିଧାରା ।

କି ଯୋଗୀ ସାଜିଲୁ ରଘୁ

କେଉଟ ତୁ ପରା ।

ଭୁଲିଲେ ଛପନଭୋଗ

ଟଳିଲା ଆସନ,

ଘନ ଘନ ଭକ୍ତଡ଼ାକେ

ପରାଣ ଉଚ୍ଛନ୍ନ ।

ନୀଳାଦ୍ରି ବରଜି ବିଭୁ

ଧରି ବିପ୍ର ବେଶ,

କମ୍ପେ ବୃଦ୍ଧ ଅଙ୍ଗ, ରଘୁ

ପାଶେ ପରବେଶ ।

ବୃଦ୍ଧ-କିଏ ରେ ତପସ୍ୱୀ, ତାର

କେଉଁ ଦେଶେ ଘର,

କେତେ କାଳୁଁ ଧରିଛୁ ଏ

ତପସ୍ୟା କଠୋର ?

ସୁନା ଦେହ କରୁ ଚୂନା,

ସାରୁ ତୁ ଜୀବନ,

ବ୍ରାହ୍ମଣ ଦେଖି ରଘୁଆ

କରଇ ପ୍ରଣାମ ।

ରଘୁଆ –ଯାଆନ୍ତୁ ଆପଣା କାମେ

ବ୍ରାହ୍ମଣ ଗୋସାଇଁ,

ଲାଭ ନାହିଁ, ସାଧନାରେ

ବୃଥା ବାଧା ଦେଇ ।

ମୃଦୁହାସେ ଫୁଟେ ମୁଖୁଁ

ବଚନ ମଧୁର,

ଭକ୍ତିର ଦୃଢ଼ତା ପ୍ରଭୁ

କରନ୍ତି ତଉଲ ।

ବୃଦ୍ଧ-ଯାଉଛି ଚାଲି ମୁଁ ବାପା ।

ଯଦି ନ ରୁଚଇ,

ଏ ବୁଦ୍ଧ ବ୍ରାହ୍ମଣ କଥା,

ତୁ କି ହେଲୁ ବାଇ,

ମାଛ କି କହଇ କଥା

ନାହିଁ ତୋ ବିଚାର ?

ନ ଖାଇ ନ ପିଇ, ଆତ୍ମ-

ହତ୍ୟା କରୁ ସାର ।

ସହଜ ନୁହେ ରେ ବାପା

ବିଭୁଙ୍କ ଦର୍ଶନ,

ଏ ବଡ଼ ଦୁର୍ଗମ ପନ୍ଥା

ହଟେ ଯୋଗୀଜନ ।

ମାତାପତ୍ନୀ ଉପବାସେ

ମରିବେ ତୋ ଘେନି,

ତୋରି ଅବିଚାରେ ନାଶୁ-

ଅଛୁ ତିନି ପ୍ରାଣୀ !

ବ୍ରାହ୍ମଣର କଥା ଶୁଣି

ରଘୁଆ ଚକିତ,

ସର୍ବଜାଣ କିଏ ବିପ୍ର !

ଲାଗେ ଅଦଭୁତ ।

ମାଛ କହିବାର କଥା

କାହୁଁ ଏ ଜାଣିଲା,

ମାତା ପତ୍ନୀଛନ୍ତି ଘରେ

ଜାଣି ତିଆରିଲା ।

ଏ ତ ନିଶ୍ଚେ ଭଗବାନ

ପ୍ରଭୁ ପରମେଶ,

ଭକ୍ତର ପରୀକ୍ଷା ପାଇଁ

ଏଥି ପରବେଶ ।

ରଘୁଆ–ଗୋସାଇଁ ! ଧୀବର ପୁଅ,

ଅଳପ ମୋ ଜ୍ଞାନ,

ଜାଣେ ‘ଘଟେ ଘଟେ ରହି-

ଛନ୍ତି ନାରାୟଣ’ ।

ଜନମିଛି ପାପୀକୁଳେ

ଜୀବ ମାରେ ନିତି,

ମାଛ ତୁଣ୍ଡେ ଦୟାମୟ

ତେଣୁ ନିବାରନ୍ତି ।

ଆପଣ ତ ଅନ୍ତର୍ଯ୍ୟାମୀ,

ସବୁ କଥା ଜାଣ,

ମାଛର ଅନ୍ତରେ ରହି

ଭାସିଲ ବଚନ ।

ଛଦ୍ମ ଛାଡ଼, ବିଭୁ ବାରେ

ଦିଅ ତ ଦର୍ଶନ,

ଧନ୍ୟ ହେଉ ପାପୀ, ତୁ ତ

ପତିତପାବନ ।

ତରଳିଲା ହୃଦ, ବିଭୁ

ଭକ୍ତ ଭାବେ ଭୋଳା,

ଭକ୍ତ ଆଗେ ଚତୁର୍ଭୁଜେ

ବିଜେ ଚକାଡ଼ୋଳା ।

ନବଘନ-ଶ୍ୟାମ ତନୁ

ସଉନ୍ଦର୍ଯ୍ୟଭରା,

ମଦନମୋହନ ରୂପ

ପାପତାପହରା ।

ବାମନର ହାତେ ସ୍ୱର୍ଗ

ଚନ୍ଦ୍ର ଦେଲେ ଧରା ।

କୃତକୃତ୍ୟ କଇବର୍ତ୍ତ

ଭାବେ ଆତ୍ମହରା ।

ଚେତା ବୁଡ଼ିଯାଏ ଛୁଇଁ

ଚରଣକମଳେ,

ଆଦରେ ଟେକିଣ ପ୍ରଭୁ

ଧରନ୍ତି ତ କୋଳେ ।

ଶିରେ ହସ୍ତ ବୁଲାଇଣ

ଦିଅନ୍ତି ଆଶିଷ,

‘‘କାଳ କାଳ ଲଭ ବାବୁ

ଭକତି ସରସ ।

ଆଉ ତୋର ଇଚ୍ଛା ବର

ଥିଲେ ମାଗି ଘେନ;’’

ରଘୁ କହେ, ‘‘କି ମାଗିବି ?

ତୋର ଦରଶନ ।

ଆଉ ଭକ୍ତି ଆଶୀର୍ବାଦ,

ଯଥେଷ୍ଟ, ଯଥେଷ୍ଟ ।

ଇଚ୍ଛା ଯେବେ, ହୃଦୁ ମୋର

ହିଂସାଭାବ କାଟ ।

ରସନା ମୋ ରଟୁଥିବ

ମଧୁମୟ ନାମ,

ଦୁଇ ଚକ୍ଷୁ ଦେଖୁଥିବ

ରୂପ ଅଭିରାମ ।

ଯିବ ଏ ପରାଣ ଛାଡ଼ି

ଏଇ ଇଚ୍ଛା ବର;’’

‘ତଥାସ୍ତୁ’ କହିଣ ବିଭୁ

ହୋଇଲେ ଅନ୍ତର ।

ବିଭୁଙ୍କ ଦର୍ଶନେ ଭବ-

ବନ୍ଧା ଗଲା ତୁଟି,

ଫେରଇ ଆନନ୍ଦେ ରଘୁ

ବିଭୁନାମ ରଟି ।

ଭକତର ଅସାଧ୍ୟ ତ

ନାହିଁ ଏ ମହୀରେ,

ଆଣିମାଦି ସିଦ୍ଧି ଆସି

ଲୋଟେ ପାଦତଳେ ।

ପ୍ରେମେ ଲକ୍ଷ୍ମୀପତି ଯାର

ହୋଇଅଛି ବଶ,

ଧରାର ସମ୍ପଦେ ତାର

କିପାଁ ହେବ ଆଶ ?

ନାମ ରଟି ରଘୁ ଚାଲେ

ପ୍ରେମେ ଢଳିଢ଼ଳି,

ନୟନ-ଜ୍ୟୋତିରେ ଯାଏ

ଅନ୍ତର ତରଳି ।

ରଘୁଆକୁ ଦେଖି ଗ୍ରାମ -

ଲୋକେ ହେଲେ ଖୁସି,

ବଡ଼ ଆପଣାର ଦିଶେ,

କହନ୍ତି ପ୍ରଶଂସି ।

ନାମ ରଟି ରଘୁ ଦାଣ୍ଡେ

ନିତି ଭିକ୍ଷା କରେ,

କିବା ସେ ମଧୁର ଧ୍ୱନି

ପ୍ରାଣ ମନ ହରେ ।

ଫଳମୂଳ ଲୁଗାପଟା

ଯାହା ଲୋଡ଼ା ତାର,

ନ ମାଗୁ ଦିଅନ୍ତି ଲୋକେ,

ନ ଉଠ ଦୁଆର ।

ବ୍ରହ୍ମାଣ୍ଡ ଭଣ୍ଡାର ଘର,

ବିଭୁତି କରତା,

ଦିଅନ୍ତି ଭକତେ ଡାକି

ସେ ତ ପଡ଼ିଦାତା ।

ବିଭୁ ନାମ କହି ରଘୁ

କରଇ କଲ୍ୟାଣ,

କେହୁ ଧୂଳି ନିଏ କେହୁ

ବନ୍ଦଇ ଚରଣ ।

ହରଷେ କାଟଇ କାଳ

ମାତାପତ୍ନୀ ଘେନି,

ସଂକୀର୍ତ୍ତନେ ଯାପେ ରଘୁ

ଦିବସ ରଜନୀ ।

ମାତା ପତ୍ନୀ ଘେନି କେବେ

ସଂକୀର୍ତ୍ତନେ ମାତେ,

ଅଖଣ୍ଡ ଭାବରେ କେତେ

ଦିନ ରାତି ବିତେ ।

କେବେ ନାଚେ, କେବେ କାନ୍ଦେ,

କେବେ ତଳେ ଗଡ଼େ,

ଘଡ଼ି ଘଡ଼ି ଧରି ତାର

କେବେ ଚେତା ବୁଡ଼େ ।

ରଘୁଆର ବଢ଼େ ଭାବ,

ପୁଣ୍ୟ ଧର୍ମ ବଳ,

କହିଲା, ଯା ସତ ହେଲା,

ତା କଥା ଅଟଳ ।

ବାକ ସିଦ୍ଧି ଦେଲେ ବିଭୁ

କେଉଟ-ଜୀବନେ,

ମହାଯୋଗୀ ବୋଲି ଖ୍ୟାତି

ଲଭିଲା ଭୁବନେ ।

ଦୂର ଦୂରାନ୍ତରୁ ଆସି

ଜମା ନରନାରୀ,

ଭବିଷ୍ୟତ ଭଲ ମନ୍ଦ

ବୁଝନ୍ତି ପଚାରି ।

କିଏ ସାଧୁ ଆଶୀର୍ବାଦେ

ଲଭଇ ସନ୍ତୋଷ,

ରଘୁଆ-ଚରଣ ଧୂଳି

ମଣଇ ବିଶେଷ ।

ସଂକୀର୍ତ୍ତନେ ପଡ଼େ ବାଧା

ରଘୁ ମନେ ରୋଷ,

ଗ୍ରାମ ଜନପଦ ଛାଡ଼ି

ବନେ କଲା ବାସ ।

କୁଟୀର ବିରଚି ରଘୁ

ରହେ ଘୋର ବନ,

କାହୁଁ ଯୁଟେ ଆସି ତିନି

ପ୍ରାଣୀର ଭୋଜନ ।

ଭୋଜନେ ନ ଯାଏ ମନ,

ଧୂଳି ଦେହ ଭୁଲେ,

ବିଭୁ ନାମେ ରତି, ବଞ୍ଚେ

ସଂକୀର୍ତ୍ତନ ହେଲେ ।

ଦିନେକ ନୀଳାଦ୍ରିନାଥ

ଧ୍ୟାନବେଳେ ବଶି,

କହନ୍ତି ଭୁଞ୍ଜିବେ ଅନ୍ନ

ତା କୁ ପରେ ଆସି ।

ପରଦିନ ଭିକ୍ଷାଦ୍ରବ୍ୟ

ରାନ୍ଧି ବାଢ଼ି ଥୋଇ,

ଭାବେ ଭୋଳା ରଘୁଡାକେ

‘‘ଆସ ଭାବଗ୍ରାହୀ !

ନ ରୁଚେ ଛପନ ଭୋଗ,

ଆସ ଚକାଡ଼ୋଳା ।

ଘେନ ହୀନ ଶାଗ ଭାତ

ରଚ ତୁମ ଲୀଳା ।’’

ଭାବଭୋଖୀ ପ୍ରଭୁ କର୍ଣ୍ଣେ

ବାଜିଲା ସେ ବାଣୀ,

ନୀଳାଦ୍ରି ବରଜି ବିଜେ

କୁଟୀରେ ସେକ୍ଷଣି ।

ରଘୁ ଗୁଣ୍ଡା ବଳିଦିଏ

ଭୁଞ୍ଜନ୍ତି ଶ୍ରୀହରି,

ଦେଖୁଛନ୍ତି ମାତାପତ୍ନୀ

ପ୍ରେମେ ଅଶ୍ରୁ ଢାଳି ।

ଭୋଗମଣ୍ଡପ ସମୟ

ନୀଳାଦ୍ରି ମନ୍ଦିରେ,

ବିବିଧ ବ୍ୟଞ୍ଜନ ବଢ଼ା

ଅନ୍ନ ଡାଲି ତୁଲେ ।

ଖିରୀପିଠା କାନ୍ତି ଝିଲି

ଲଡ଼ୁ ରସାବଳୀ,

ମାଲପୁଆ ଦିବ୍ୟ ଭୋଗ

ତାକୁ ତାକୁ ବଳି ।

ହସ୍ତରେ ପାଣି ତୁଳସୀ

ବଡ଼ପଣ୍ଡା ଚାହେଁ,

ଅଦଦ୍ଭୁତ, ଦର୍ପଣରେ

ମୂର୍ତ୍ତି ଦୃଶ୍ୟ ନୁହେ ।

‘‘କାହାରେ ନୈବେଦ୍ୟ ଦେବି’’

ପଣ୍ଡାକରେ ପାଟି,

‘‘କି ପ୍ରମାଦ କଲ ହେଲା

ବଡ଼ ଭୋଗ ମାଟି ।’’

ନୃପଙ୍କୁ ଖବର ଗଲା

ଆସନ୍ତି ନୃପତି,

ଗରୁଡ଼ ଖମ୍ବ ପାଖରେ

କରନ୍ତି ପ୍ରଣତି ।

ସାଷ୍ଟାଙ୍ଗେ ପ୍ରମାଣ ବେଳେ

ଲାଗେ ଛାଇନିଦ,

ସ୍ୱପ୍ନରେ କହନ୍ତି ପ୍ରଭୁ,

ନାହିଁ ପରମାଦ ।

ଦୁଃଖ କର ନାହିଁ, ମୁଁ ତ

ନାହିଁ ନୀଳାଚଳେ,

ଭକ୍ତହସ୍ତେ ଭୁଞ୍ଜୁଅଛି

ପିପିଲି ଅଞ୍ଚଳେ ।

ରଘୁଆ କୈବର୍ତ୍ତ ସେ ତ

ବନେ ଅଛି ରହି,

ଭିକ୍ଷାନ୍ନେ କାଟୁଛି ଦିନ

ବଡ଼ କଷ୍ଟ ସହି ।

ଭକତିରେ ବାନ୍ଧିଅଛି,

ମୁଁ କି ଛାଡ଼େ ତାକୁ ।

ନିକଟେ ରଖାଅ ନେଇ

ଯିବି ମନ୍ଦିରକୁ ।

ମାତାପତ୍ନୀ ଯିବେ ସଙ୍ଗେ,

ତିନି ଜଣ ପାଇଁ,

ଭୋଜନ, ବାସ ଯୋଗାଅ

ତେବେ ଯିବି ମୁହିଁ ।

ବେଗଗାମୀ ଅଶ୍ୱେ ରାଜା

କରନ୍ତି ଗମନ,

କୈବର୍ତ୍ତ କୁଟୀରେ ଯାଇ

ମିଳିଲେ ବହନ ।

କୁଟୀରେ ଡାକନ୍ତି ରାଜା

ପଡ଼ିଛି ଦୁଆର,

ତିନି ପ୍ରାଣୀ ଭାବେ-ଭୋଳା

ନ ଶୁଣନ୍ତି ଗୀର ।

ଦୁଆର ଭାଙ୍ଗି ନୃପତି

ପ୍ରବେଶ କୁଟୀରେ,

ଶ୍ରୀପତି ଭୋଜନେ ରତ

ପାଦ ନାହିଁ ଚଳେ ।

ଉଭାଇଲେ ଜଗନ୍ନାଥ,

ସରିଲା ଭୋଜନ,

ଦତପଣେ ପଣ୍ଡା ଆଗେ

ଦେଲେ ଦରଶନ ।

ଜଗନ୍ନାଥ ଅନ୍ତର୍ହିତ

ରଘୁଆ ବିକଳ,

ମୀନ କି ସେ ଛଟପଟ

ଛାଡ଼ି ଗଙ୍ଗାଜଳ ।

ଭକତଚରଣ-ଧୂଳି

ଧରନ୍ତି ନୃପତି,

କହନ୍ତି, ମୁଁ ଧନ୍ୟ ହେଲି,

ଧନ୍ୟ ତୋ ଭକତି ।

ରଘୁଆ ନୃପତି କୋଳେ

ନୃପ ଅଶ୍ରୁଢ଼ାଳେ,

କହନ୍ତି, ‘‘ତୋପରି ଭକ୍ତ

ନାହିଁ ମହୀତଳେ ।

ଚାଲ ବାବୁ ! ସଙ୍ଗେ ମୋର

ମାତାପତ୍ନୀ ଆଣ,

ବାସ ଯୋଗାଇବି ହେବ

ପ୍ରସାଦ ଭୋଜନ ।

ନିତି ନିଳଚକ୍ର ସେବି

କର କ୍ଷେତ୍ରବାସ ।

ଅନ୍ତେ ହସି ହସି ଯାଇ

ବଇକୁଣ୍ଠେ ବସ ।’’

ଚଳନ୍ତି ବିଷ୍ଣୁ, ଅଟନ୍ତି

ରାଜା ଗଜପତି,

ଶ୍ରୀମୁଖ ଆଜ୍ଞା ଲଙ୍ଘିବ

କାହାର ଶକତି ।

ରଘୁଆ ଭାବଇ ‘‘ସବୁ

ଜଗନ୍ନାଥ ମାୟା !

ଭକତଠାରେ ପ୍ରଭୁର

କେତେ ବଡ଼ ଦୟା ।’’

ରାଜା ଗଲେ ଚଳି, ରଘୁ

ଧଇଲା ସଡ଼କ,

ସଡ଼କରେ ପଡ଼େ ଭିଡ଼

ଧାଇଁଛନ୍ତି ଲୋକ ।

ମହାଯୋଗୀ ଯାଉଛନ୍ତି

ଛାଡ଼ିଣ ଅଞ୍ଚଳ,

ଚତୁର୍ଦ୍ଦିଗ ଲୋକେ ଢାଳୁ-

ଛନ୍ତି ଅଶ୍ରୁଜଳ ।

ଦଳ ଦଳ ହୋଇ ଲୋକ

କରି ସଂକୀର୍ତ୍ତନ,

ଭେଟି ଭକ୍ତେ କରୁଛନ୍ତି

ଚରଣ ବନ୍ଦନ ।

ଆଲିଙ୍ଗନ ଆଶୀର୍ବାଦ

କରି ରଘୁ ଚଳେ,

ମାତା ପତ୍ନୀ ସଙ୍ଗେ ରଘୁ

ସଂକୀର୍ତ୍ତନ ଦଳେ ।

ଜଗନ୍ନାଥ ସଡ଼କରେ

ଗୁଣ୍ଡିଚାର ଭିଡ଼,

ପିପିଲିରୁ ପୁରୀ ଯାଏ

ଲୋକ ନାହିଁ ଛାଡ଼ ।

ଶ୍ରୀକ୍ଷେତ୍ରେ ଭକତେ ଛାଡ଼ି

ଲେଉଟିଲେ ଲୋକେ ।

କୁଣ୍ଠିତ ଯିବାକୁ ଛାଡ଼ି

ଭାଷନ୍ତି ଲୋତକେ ।

ଦକ୍ଷିଣ ପାରୁଶେ ଯାଇଁ

ରହିଲେ ଭକତ,

ନୀଳାଚଳେ ତେବେ ଯାଇ

ସ୍ଥିର ଜଗନ୍ନାଥ ।

ଅନ୍ତେ ବଇକୁଣ୍ଠ ଯିବେ

ହେଲା ନାହିଁ ମନ,

ତ୍ରିମୂର୍ତ୍ତିରେ ମିଶିଗଲେ

ଭକ୍ତ ତିନି ଜଣ ।

ଜୟ ଜୟ ଜଗନ୍ନାଥ

ଭକତ ଶରଣ ।

ଜୟ କଇବଲ୍ୟଦାତା

ଜୟ ନାରାୟଣ ।

ଏ ତ ପ୍ରଭୁ ! ମହାପାପୀ

ବଳେ ଅଜାମିଳେ ।

ହିଂସା କି ପାରିବୁ କାଟି

ଅନ୍ତରରୁ ତିଳେ ?

ଦୁଷ୍କୃତ ପ୍ରାଣରୁ ପାପ

ନ କଲେ ଖଣ୍ଡନ,

ପତିତପାବନ ବାନା

ସିନା ଅକାରଣ ।

Image

 

ଭଉଣୀ ସରସ୍ୱତୀ

 

ସରସ୍ୱତୀ ପିତାମାତା

ଆଦରର ଧନ,

ଶ୍ରୀକୀର୍ତ୍ତି ଜନନୀ ନାମ,

ପିତା ମତିମାନ ।

ପ୍ରଚୁର ସମ୍ପଦ, ନିତି

ଅତିଥି ସତ୍କାର,

ଘର ଭିତରେ ବିରାଜେ

ଗୋପାଳ ମନ୍ଦିର ।

ପୂଜକ ଶ୍ରୀ ଶ୍ରୁତଦେବ

ନୈଷ୍ଠିକ ବ୍ରାହ୍ମଣ,

ବାତ୍ସଲ୍ୟ ଭାବେ ପୂଜନ୍ତି

ଶ୍ରୀନନ୍ଦନନ୍ଦନ ।

ଜଡ଼ ସୁବର୍ଣ୍ଣ ପ୍ରତିମା

ଶ୍ରୁତଦେବ ମନେ,

ଜୀବନ୍ତ ସଚିଦାନନ୍ଦ

ଘନ ଭାବେ ଘେନେ ।

ତନୟହୀନ ଜୀବନ,

ଗୋପାଳେ ନନ୍ଦନ,

ଭାବେ କରେ ପୂଜା,

ସ୍ନେହେ କରେ ସମ୍ଭାଷଣ ।

ମୂରତି ବରଜି ଦେବ

ତନୟ ସୋହାଗେ,

ନାଚନ୍ତି, ବସନ୍ତି କୋଳେ,

ହସନ୍ତି ସରାଗେ ।

ପ୍ରେମେ ଅଶ୍ରୁ ଢାଳେ ବିପ୍ର

ଭାବେ ଆତ୍ମହରା,

ଗୋପାଳଙ୍କୁ କରିଥାଏ

ପରାଣ ପସରା ।

ଛୋଟପିଲା ସରସ୍ୱତୀ,

ଆସି ବସେ ପାଖେ,

ବ୍ରାହ୍ମଣର ଭୋଗରାଗ

ପୂଜାବିଧି ଦେଖେ;

କର୍ପୂର ଝୁଣାଗୋଗୁଳ

ପୂଜା ଉପଚାର,

କେବେ ସ୍ନେହେ ଆଣିଦିଏ

ନୈବେଦ୍ୟ ସମ୍ଭାର ।

ହାତେ ତାଳି ଦେଇ କେବେ

ନାଚେ ଢଳିଢଳି,

ଗୋପାଳ ଦିଶନ୍ତି ତାକୁ

ଖେଳସାଥୀ ଭଳି ।

ବ୍ରାହ୍ମଣର ଭକ୍ତିଭାବେ,

ପୁଲକେ, ଲୋତକେ,

ସ୍ୱେଦ ସାତ୍ତ୍ୱିକ ବିକାରେ

ବାଳିକା ଚମକେ ।

ପୂଜା ଦେଖୁ ଦେଖୁତାର

କିବା ହୁଏ ମନେ,

କହେ, ସେ କରିବ ପୂଜା

ଅତିହିଁ ଯତନେ ।

ନୈଷ୍ଠିକ ବ୍ରାହ୍ମଣ ଦିଏ

ନାହିଁ ଅନୁମତି,

ଗୋପାଳଙ୍କୁ ପୁଅ ଭାବେ,

କନ୍ୟା ସରସ୍ୱତୀ ।

ଭାଇ ଭଉଣୀ ସମ୍ବନ୍ଧ

କ୍ରମେ ହେଲା ପକ୍‌କା,

ସରସ୍ୱତୀର ତୁଟିଲା,

ଦେବତା ଆଶଙ୍କା ।

ସରସ୍ୱତୀକୁ ଦିଶିଲା,

ବ୍ରାହ୍ମଣ ସୋହାଗ,

ଗୋପାଳ କୋଳରେ ବସି

ଘେନନ୍ତି ତା ଭୋଗ ।

ଗୋପାଳ ଭାଇର ସଙ୍ଗେ

ଖେଳିବାକୁ ମନ,

ଝିଅକୁ ବାରଣ କଲେ

ନ ମାନେ ବାରଣ ।

ନାଚନ୍ତି ବ୍ରାହ୍ମଣ ଆଗେ

ସୁତାସୁତା ଦୁଇ,

ଚକ୍ଷୁରୁ ଲୋତକ ଗଡ଼େ

ଦ୍ୱିଜ ରହେ ଚାହିଁ ।

ବାଳିକା ସେ ସରସ୍ୱତୀ,

ସ୍ନେହ ଗୋପାଳରେ

ଖୁଆଏ ପିଆଏ ଶୁଦ୍ଧ

ପ୍ରେମାଳପ କରେ ।

ଶ୍ରୁତଦେବ ଭାବେ ମନେ

ସାର୍ଥକ ଜୀବନ,

ଝିଅଠାରେ କ୍ରମେ ମନ

ଅତିହିଁ ପ୍ରସନ୍ନ ।

ପିଲାଦିନୁ ସରସ୍ୱତୀ

ବଡ଼ ବୁଦ୍ଧିମତୀ

ପିତାଠୁଁ ବଳି ବିପ୍ରରେ

ଅତିହିଁ ଭକତି ।

ଗୀତା ରାମାୟଣ ତତ୍ତ୍ୱ

ପଚାରଇ ଦ୍ୱିଜେ,

ବିଭୁଲୀଳା ବଇଭବ

ମନ ଦେଇ ବୁଝେ ।

ବିପ୍ର କହେ, ‘ଝିଅ ତୁଲେ

ବଡ଼ ଭାଗ୍ୟବତୀ,

ଗୋପାଳରେ ବାଳକାଳୁଁ

କି ଶୁଦ୍ଧ ଭକତି ।

ନଅ ବର୍ଷ ପିଲା ତୁ ତ

ପାଇଲୁ ଦର୍ଶନ ।

ଯୋଗୀର ଅଲଭ୍ୟ

ମହା ତପସ୍ୟାର ଧନ ।

ଝିଅ ଲୋ କରୁଛି ତୋରେ

ବାରମ୍ବାର ମନା,

ନ ଜାଣିବେ କେହି ଭାଇ

ଭଉଣୀ ଘଟଣା ।

ଶ୍ରାବଣ ପୂର୍ଣ୍ଣିମାଦିନ

ଗୋପାଳ ଶ୍ରୀହସ୍ତେ

ରକ୍ଷା-ଡ଼ୋରି ବାନ୍ଧିଦେଲେ

ଭଉଣୀର ହାତେ ।

ସରସ୍ୱତୀର ଗୋପାଳ

ଭ୍ରାତୃଭାବେ ବଶ,

ଦିବସରେ ବହୁ ବାର

ଖେଳ ରଙ୍ଗ ରସ ।

ପୂଜା ସାରି ଦ୍ୱିଜ ଘରେ

ଯାଏ ନିତି ଫେରି;

ସରସ୍ୱତୀ ରହେ ସୁଖେ

ମନ୍ଦିର ଆଦରି ।

ଗୋପାଳ କହନ୍ତି ଦ୍ୱିଜେ,

‘‘କିପାଁ ନାହିଁ ଚିନ୍ତା;

କାଳକାଳୁ ଘରେ କାର

ରହେ କି ଦୁହିତା ?

ସରସ୍ୱତୀ ପାଇଁ ଖୋଜ

ବେଗେ ଯୋଗ୍ୟ ବର,

ଦେଖୁଁ ଦେଖୁଁ ଭଉଣୀର

ପୂରିଲା ଏଗାର ।

ପାଖ ଗ୍ରାମେ ସୁଦର୍ଶନ

ଧନିକର ସୁତ,

ସରସ୍ୱତୀ ପାଇଁ ରୂପେ

ଗୁଣେ ଉପଯୁକ୍ତ ।’’

ପିତାମାତା ଦ୍ୱିଜେ ମିଳି

କଲେଜ ବିଚାର,

ବିବାହ ନିର୍ବନ୍ଧ କଲେ

ଦିନ ହେଲା ସ୍ଥିର ।

ଏତେ ହେଲା ସିନା କନ୍ୟା

କେଭେ ନ ମଙ୍ଗଇ,

କହେ ଗୋପାଳଙ୍କୁ ଛାଡ଼ି

କାହିଁ ଯିବ ନାହିଁ ।

ଗୋପାଳ କହନ୍ତି ସ୍ନେହେ,

‘‘ହେଲୁ କି ବାୟାଣୀ ।

ମୁଁ ତ ପାଶେ ଯିବି ତୋର

ଇଚ୍ଛା କଲା କ୍ଷଣି ।

ପବିତ୍ର ଗୃହସ୍ଥାଶ୍ରମ

ତପସ୍ୟା କଠୋର

ପାଳିବାକୁ ଶୁଦ୍ଧପ୍ରେମେ

ପତିକର ଧର ।’’

ମହା ଆଡ଼ମ୍ବରେ ସରେ

ସାତ୍ତ୍ୱିକ ବିବାହ,

ପିତାମାତା ନ ଜାଣନ୍ତି,

କେ କରେ ନିର୍ବାହ ।

କେତେ ନୂଆ ନୂଆ ବନ୍ଧୁ

ଆସିଗଲେ ମିଳି,

ସରବେ କର୍ମକୁଶଳ

ତାକୁ ତାକୁ ବଳି ।

ସୁନାରୂପା ଅଳଙ୍କାର

ଯୌତୁକ ସମ୍ଭାର,

ଦେଖି ଲୋକେ ପ୍ରଶଂସନ୍ତି

ଚକ୍ଷୁ ହୁଏ ସ୍ଥିର ।

ସକଳ ତୁଣ୍ଡେ ପ୍ରଶଂସା

ଶୁଣି ପିତାମାତା,

ହୁଅନ୍ତି ଲଜ୍ଜିତ, କହି

ଧନ୍ୟ ତୁ ବିଧାତା ।’

ତିନି ବର୍ଷ ପରେ କନ୍ୟା

ଗୃହଯୋଗ୍ୟା ହେଲା,

ମହା ସମାରୋହେ ବାଳୀ

ପତିଗୃହ ଗଲା ।

ଗୋପାଳ ଇଚ୍ଛାରେ ସବୁ

ହୋଇଲା ପୂରଣ;

ନ ବାଛିଲେ କେହି ଦୋଷ,

ନ ଦେଖିଲେ ଖୁଣ ।

ଗୋପାଳ ଗୁପତେ ଗଲେ

ଭଗିନୀର ଘରେ,

ସାନ୍ତ୍ୱନା ଦେଇ ଫେରିଲେ

ତିନି ଦିନ ପରେ ।

ପତି ସୁଦର୍ଶନ ରୂପେ

ଗୁଣେ ଅପ୍ରମିତ,

ସାଧୁ ନିଷ୍କପଟ ଶୁଦ୍ଧ

ପୁରୁଷ ଉତ୍ତମ ।

ଅତୁଳ ବିଭବ ଘରେ

ରହିଅଛି ପୂରି,

ଶାଶୁଶଶୁର ନୈଷ୍ଠିକ,

ପୁଜନ୍ତି ଶ୍ରୀହରି ।

ସରସ୍ୱତୀ ଆନନ୍ଦରେ

କଟାଇଲା ଦିନ,

ମଧ୍ୟେ ମଧ୍ୟେ ଗୋପାଳଙ୍କ

ସହିତ ମିଳନ ।

ମିଳନରେ ଶ୍ରୀମୁଖରୁ

ତତ୍ତ୍ୱ ଉପଦେଶ,

ପାଇଣ ଜୀବନ କରେ

ବିଶୁଦ୍ଧ ନିର୍ଦ୍ଦୋଷ ।

ଗୋପାଳ ଭାଇଙ୍କୁ ଦିନେ

କହେ ସରସ୍ୱତୀ,

‘‘ଭାଇ ! ମୋ ନ ଥିଲା

ଜ୍ଞାନ ଛୋଟପିଲା ଅତି ।

ତୁମ ଛୋଟ ମୂର୍ତ୍ତି ଥିଲା

ହୃଦୟର ଧନ,

ପୂଜାରୀ କରନ୍ତି ପୂଜା

ଅତି ହିଁ ଯତନ,

ମୋତେ ଲାଗୁଥିଲା ତୁମେ

ସଦା ହସି ହସି,

ଭୋଗ ଖାଉଥିଲ ସୁଖେ

ଦ୍ୱିଜ କୋଳେ ବସି ।

ବାଳିକା ମୁଁ ଶ୍ରଦ୍ଧା ହେଲା

‘ଖୁଆନ୍ତି ମୁଁ ଭୋଗ,

ଧୂପ ଦୀପ ଦେଇ ତୋରେ

କରନ୍ତି ସରାଗ ।’

ଦ୍ୱିଜ ନିବାରିଲେ ମୋତେ

ବସେ ଜିଦ୍‌ଧରି,

ପ୍ରାଣର ଶୁଦ୍ଧ ଆଗ୍ରହ

ନ ପାରେ ସମ୍ଭାଳି ।

ମୂର୍ତ୍ତି କହେ, ‘ଶ୍ରୁତଦେବ !

କିପାଁ କର ମନା ?

ଭଉଣୀ ଭୋଗ ଲଗାଉ,

କରୁ ବନ୍ଦାପନା ।

ତା ହାତୁଁ ଭୋଗ ଖାଇବି

ମୋର ବଡ଼ ମନ,

ତାହାର ଆନନ୍ଦ ହେବ,

ନକର ବାରଣ ।’

ଶୁଣିଲେ କି ନାହିଁ ଦ୍ୱିଜ,

ପୂଜାଛାଡ଼ି ଗଲେ,

‘ଝିଅ ତୁ ଲଗାଅ ଭୋଗ’

ମଧୁରେ କହିଲେ ।

ଭୋଗ ରଖି, ଆଗେ ମୁଁ ତ

ଟେରା ଦେଲି ଟାଣି,

ଆସଖାଅ ଭୋଗ ପ୍ରେମେ

ଭାଷିଲି ମୁଁ ବାଣୀ ।

ନ ଶୁଣିଲ କଥା, ଭୋଗ

ନ କଲ ଗ୍ରହଣ;

କଷ୍ଟ ହେଲା ବଡ଼ ମନେ,

କଲି ମୁଁ କ୍ରନ୍ଦନ ।

ମୂର୍ତ୍ତିରୁ ବାହାରି ହେଲ

ବାହାରରେ ବିଜେ,

ଭୋଗ ସରାଗରେ ଧରି

ଭୁଞ୍ଜିଲ ତ ନିଜେ ।

ଜୀବନର ସେ ଆନନ୍ଦ

ନ ଭୁଲିବି ଦିନେ,

ମୋ ଆଗ୍ରହେ ରାକ୍ଷୀହାତେ

ବାନ୍ଧିଲ ଯତନେ ।

ତାପରେ ଲାଗିଲା ନିତି

ନାଚ, ହସ, ଖେଳ,

ମୁଲକର କଥାପଡ଼େ

କଟିଯାଏ ବେଳ ।

କିଏ ତୁମେ ପ୍ରକୃତରେ

ମୋତେ ନାହିଁ ଜଣା,

ଭାଇ ବୋଲି କଥା କହେ,

ନାଚ ଖେଳେ ସିନା !

ସେ ଭାଇ ସମ୍ପର୍କ ଦ୍ୱିଜ

କରିଲେ ସ୍ଥାପନ,

ତାଙ୍କ ପୁଅଝିଅ ତେଣୁ

ଆମେ ଦୁଇ ଜଣ !

କୃତ୍ରିମ ସମ୍ପର୍କ ଏତ

ଗଢ଼ା ଭକ୍ତିଭାବେ,

ମୁଁ ବୁଝୁଛି ଏଥିରେ ତ

ସତ ନାହିଁ ଲବେ ।

ତୁମରି ଇଚ୍ଛାରେ ହେଲା

ସଂସାର-ବନ୍ଧନ,

ତୁମେ ମୋ ସଂସାରେ ସୁଖ,

ପ୍ରାଣପ୍ରିୟ ଧନ ।

ନିକଟୁ ନିକଟ ଏତେ

ତେବେ ନ ଚିହ୍ନିଲି;

ବାଳଭାବ ଧରି ‘ଭାଇ !

ଭାଇ !’ ମୁଁ ଡାକିଲି !

ବାପାମାଆ ପୂଜନ୍ତି ତ

କହି ଭଗବାନ,

ମୂର୍ତ୍ତି ଛଡ଼ା, ଦିନେ ନାହିଁ

ମିଳେ ଦରଶନ ।

ବତାଅ, ବତାଅ ଭାଇ,

ତୁଟାଅ ଅଜ୍ଞାନ,

ମୋପରାଣ ଭାଇ ତୁ କି

ସତେ ଭଗବାନ ।

ଭାଇ ବୋଲି ନ ଘେନିଲେ

ପରାଣ କାତର,

ଆପଣାର ରହସ୍ୟ ଆପେ

ବୁଝାଅ ଚଞ୍ଚଳ ।’’

ହସିଣ ଗୋପାଳ ଭାଇ,

କହନ୍ତି, ‘ଭଉଣୀ ।

ମୋ ତତ୍ତ୍ୱ ବୁଝିବୁ ତୁହି,

ହେଲୁକି ବାୟାଣୀ ।

ତୋର ମୁଁ ପ୍ରାଣର ଭାଇ,

ନ କର ସନ୍ଦେହ,

ବିଶ୍ୱଜନ ବନ୍ଧୁ, ବିଶ୍ୱ

କରଇ ନିର୍ବାହ ।

ଅନ୍ତର ନିଶ୍ଚଳପ୍ରେମେ

ଭାଇ କଲୁ ମୋତେ,

ସାନ ଭଉଣୀ ଆଦର

କରୁଥିବି ତୋତେ ।

ପ୍ରେମଟି ଆତ୍ମାର ଗୁଣ,

ସେ ତ ଧର୍ମବଳ,

ଅଗ୍ନିର ଉତ୍ତାପ ସମ

ଅଭିନ୍ନ କେବଳ ।

ସଂସାରୀର ବଦ୍ଧପ୍ରାଣେ

ପ୍ରେମ ପ୍ରବଞ୍ଚନା,

ଆତ୍ମାର ସ୍ୱରୂପ ଛାଡ଼ି

ହୁଏ ବାଟବଣା ।

ପତ୍ନୀ ପୁତ୍ର ଧନମାନ

ନଶ୍ୱର ବିଭବେ,

ଭୁଲି ନର କରି ପ୍ରେମ,

ବିଡ଼ମ୍ବିତ ଭବେ ।

ନଶ୍ୱର ସଂସାର ସୁଖ

ବିଭବ ଅସାର,

ଧରୁ ଧରୁ ଖସିପଡ଼େ

କରେ ନାରଖାର ।

ହସାଇ ହାତକୁ ଆସେ,

ଯିବାକୁ କନ୍ଦାଇ,

ଆତ୍ମାକୁ ଗୁପତ କରେ,

କରେ ମତି ବାଇ ।

ମୋର କୃପାବଳେ ଯେବେ

ଶୁଦ୍ଧ ହୁଏ ଚିତ୍ତ,

ଅନ୍ତରେ ବିଶୁଦ୍ଧ ପ୍ରେମ

ହୁଅଇ ଜାଗ୍ରତ ।

ଅନ୍ତରେ ଆତ୍ମାର ଦିଗେ

ତେବେ ଦୃଷ୍ଟି ଫେରେ,

ଆତ୍ମାରେ ସେ କରେ ପ୍ରେମ,

ଗତି ମୁକ୍ତି ଧରେ ।

ଆତ୍ମାରାମ ହୁଏ କ୍ରମେ,

ସାଧନାର ବଳେ,

ସକଳ ଆତ୍ମାର ଆତ୍ମା

ରୂପେ ମୋତେ ଭାଳେ ।

ଅନୁଭବେ ଗୁଣ, ସଉ-

ନ୍ଦର୍ଯ୍ୟେ ହୁଏ ସୁଖୀ,

ଅନ୍ତରେ ବାହାରେ ସର୍ବ

ଭୂତେ ମୋରେ ଦେଖି ।

ଦିବ୍ୟ ମାଧୁରୀରେ ବୁଡ଼ି

ହୁଏ ସେ ମଧୁର,

ବୁଝେ ରୂପଗୁଣ ଶକ୍ତି

ମୁଁ ଯେ ପରାତ୍ପର ।

ମୋ କୃପାରେ ବୁଝେ ନର,

ତତ୍ତ୍ୱେ ମୋତେ ଧରେ,

ଏକଇ ପୁରୁଷୋତ୍ତମ

ଦିଶଇ ବିଶ୍ୱରେ ।

ଭଉଣୀ ! ତୁ ବୁଝିନାହୁଁ

ତତ୍ତ୍ୱରୂପେ ମୋତେ,

ସେ ତତ୍ତ୍ୱ ବା କେତେ ଜଣ

ଜାଣନ୍ତି ଜଗତେ ?

ପ୍ରେମମୟ ମୋ ପ୍ରକୃତି

ପ୍ରେମେ ହୁଏ ଧରି,

ଶୁଦ୍ଧପ୍ରେମେ ବାନ୍ଧିଅଛୁ,

ମୋତେ ଭାଇ କରି ।

ନାହିଁ ତୋର ପିତାମାତା

ଧନମାନ ସୁଖ,

ସ୍ୱର୍ଗର କାମନା ନାହିଁ,

ନାହିଁ ବନ୍ଧ ମୋକ୍ଷ ।

ସକଳ ଭୁଲିଣ ମୋତେ

ଧରୁ ବଡ଼ କରି,

ଏ ଅପାର ଅନୁରାଗ

ପାରେ କି ପଶୋରି ?

କି ବସ୍ତୁ ମୁଁ, ଭାଷା ନାହିଁ

ଦେବାକୁ ବୁଝାଇ,

କି ଶବ୍ଦ ମୁଁ, ଶୁଣିବାକୁ

କର୍ଣ୍ଣେ ଶକ୍ତି କାହିଁ ?

ଅରୂପ ମୁଁ, ଦେଖିବାକୁ

ଚକ୍ଷୁ ପରାହତ

ଅଜ୍ଞେୟ ମୁଁ ରହେ

ମହା ଜ୍ଞାନୀଙ୍କୁ ଗୁପତ ।

କିନ୍ତୁ ଗୋ ଭଗିନୀ ! ଯେହୁ

ଥରେ ଦେଖେ ମୋରେ,

ପିତା ଲାଗେ ସୃଷ୍ଟିସାରା,

ପ୍ରେମେ ମୋତେ ଧରେ ।

ସକଳ ରସର ମଧ୍ୟେ

ଶ୍ରେଷ୍ଠ ମୋରେ ମଣେ,

ଅନ୍ତରର ଭକ୍ତିପ୍ରୀତି

ଢାଳେ ମୋ ଚରଣେ ।

ଭାଇ ଭାବେ ଧରି ମୋରେ,

ଯେ ପ୍ରେମ ମହାନ,

ଫୁଟେ ତୋ ଅନ୍ତରେ,

କ୍ରମେ ଦେବ ଦିବ୍ୟଜ୍ଞାନ ।

ଜାଣିବୁ ସ୍ୱରୂପ ମୋର,

କଳିବୁ ବିଭୂତି,

ସିଦ୍ଧ ହେବୁ, ମୋରେ ଲୀନ

ହେବ ତୋର ମତି ।

ନିତ୍ୟ ସନାତନ ମୁହିଁ

ପୂର୍ଣ୍ଣ ପରାତ୍ପର;

ଦୃଶ୍ୟ ବା ଅଦୃଶ୍ୟ ଯାହା

ସବୁ ଇନ୍ଦ୍ରଜାଲ ।

ଏଇଅଛି, ଏଇନାହିଁ

ଏ ସବୁ ତ ମାୟା,

ଛାୟାର ଭିତରେ ଖୋଳି

ନ ମିଳେ ତ କାୟା ।

ବ୍ୟକ୍ତି ବିଶ୍ୱ ଅନ୍ତରାଳେ

ସତ୍ୟର ପ୍ରକାଶ,

ପରିବର୍ତ୍ତନ ଯେ ସବୁ

ମୋ ଲୀଳା ବିଳାସ ।

ପ୍ରଳୟେ ଜଗତ ହୁଏ,

ମୋର ଦେହେ ଲୀନ,

ସୃଷ୍ଟିର ଆରମ୍ଭେ ମୋଠୁଁ

ହୁଏ ଉତପନ୍ନ ।

ବ୍ରହ୍ମାଣ୍ଡ ମୁଁ, ପୁଣି ମୋଠି

ସମସ୍ତ ବ୍ରହ୍ମାଣ୍ଡ,

ଅଣୁ ଅଣୁ ବ୍ୟାପି ମୁହିଁ

ପରମ ଅଖଣ୍ଡ ।

ଯାହା ଅଛି ଯାହା ନାହିଁ

ସବୁ ମୁହିଁ ଜାଣ,

ଅପ୍ରକଟ, ପୁଣି ମୁହିଁ

ସଦା ବର୍ତ୍ତମାନ ।

ସ୍ରଷ୍ଟା, ମୁହିଁ କରେ ସୃଷ୍ଟି

ହର ମୁଁ ସଂହାରେ,

ସୃଜନ ସଂହାର ହୁଏ

ମୋର ମାୟା ବଳେ ।

ଏ ସବୁ ହେଲେ ବି, ତୁହି

ମୋର ମୁହିଁ ତୋର,

ମୁଁ ତୋର ଗୋପାଳ ଭାଇ

ତୁ ଭଗିନୀ ମୋର ।

ଦେଖ ତୋର ପତି ମୋର

ପୁରୁଣା ଭକତ,

ଅବନ୍ତୀ ପୁରୀରେ ପୂର୍ବ-

ଜନ୍ମେ ହେଲା ଜାତ ।

ସେଠି ତୁ ବ୍ରାହ୍ମଣ ପତ୍ନୀ

ମୋଠି କଲୁ ସ୍ନେହ,

ଅହେତୁକୀ ଭକ୍ତି ଧରି

ଛାଡ଼ିଲୁ ତ ଦେହ ।

ଏବେ ତୁମେ ଦୁଇ ଧରି

ବିମଳ ଭକତି,

ଲଭ ପରମ ଦୁର୍ଲ୍ଲଭ

ବଇକୁଣ୍ଠ ଗତି ।

ଦୃଢ଼େ ବୁଝ ଭଉଣୀ ! ତୁ,

ଥରେ ହେଲେ ମୋର,

ସେ ତ ହୁଏ ପ୍ରାଣବନ୍ଧୁ

ନ ହୁଏ ଅନ୍ତର ।’’

କଥା କହୁ କହୁ ପ୍ରଭୁ

ଭଉଣୀର ଶିରେ,

ଥୋଇଲେ ଅଭୟ କର

ଅତିହିଁ ଆଦରେ ।

ବୁଦ୍ଧି ବଭାତିଲା, କଟି

ଗଲା ମୋହ ପଟ,

ଭଗିନୀ ସମ୍ମୁଖେ ତତ୍ତ୍ୱ

ସ୍ୱରୂପ ପ୍ରକଟ ।

ବୁଦ୍ଧି କ୍ରମେ ମଉଳିଲା

ନ ପାରିଲା ସହି,

କି ସେ ଏକାତ୍ମତା ହେଲା

କେ ପାରିବ କହି ?

ନିର୍ବିକଳ୍ପ ସମାଧିରେ

ସରସ୍ୱତୀ ସ୍ଥିର,

ଜଡ଼ ପୁତ୍ତଳିକା, ନାହିଁ

ଜୀବନ ସଞ୍ଚାର ।

କାହିଁଥିଲା କାହିଁ ଗଲା,

କିବା ଅନୂଭବ,

କରୁଥିଲା ସେ ସ୍ଥିତିରେ

ଅଜ୍ଞାତ ସରବ ।

ହସ୍ତ କାଢ଼ି ନେଲେ ପ୍ରଭୁ

ସମାଧିସ୍ଥ ବାଳା,

ବହୁ କାଳ ପରେ ଆସ୍ତେ

ଆସ୍ତେ ଚେତା ହେଲା ।

କି ଅପୂର୍ବ ମୁଖାକୃତି

ଶାନ୍ତି ଜ୍ୟୋତିଭରା,

ଚକ୍ଷୁ ଦେଇ ଖେଳିଗଲା

ସ୍ନିଗ୍‌ଧ ପ୍ରୀତିଧାରା ।

ବଦନର ଚତୁର୍ଦ୍ଦିଗେ

ଜ୍ୟୋତିର ମଣ୍ଡଳ

ପ୍ରକାଶିଲା ପରା ଶାନ୍ତି

ସନ୍ତୋଷ ବିମଳ ।

ସରସ୍ୱତୀ ମୁଖ ଦେଖି

ହସିଲେ ଗୋପାଳ,

ଭଉଣୀର ମୁଖେ ହସ

ନେତ୍ରେ ପ୍ରେମଜଳ ।

ଶ୍ରୀମୁଖରୁ ଉପଦେଶ,

ପ୍ରତ୍ୟକ୍ଷ ଦର୍ଶନ,

ପାଇ ସରସ୍ୱତୀ କଲା

ତା ଜୀବନ ଧନ୍ୟ ।

ଲଭି, ସୁଦର୍ଶନ ପ୍ରଭୁ

ବିଚିତ୍ର ପ୍ରେରଣା,

ସବୁ ଛାଡ଼ି ସାର କଲା

ବିଭୁ ଆରାଧନା ।

ପୂର୍ବଜନ୍ମ ସ୍ମୃତି ମନେ

ହୋଇଲା ଜାଗ୍ରତ,

ଗୋପାଳ ସମ୍ମୁଖେ ତାର

ହେଲେ ପ୍ରକଟିତ ।

ପତିପତ୍ନୀ ଦୁହିଁଙ୍କର

ଏକ ପଥେ ଗତି,

ଏକଇ ସାଧନା ସାଧ୍ୟ,

ଏକ ପରିଣତି ।

ଏକ ଭଗବାନେ ଦୁଇ

ଦେଇ ପ୍ରାଣ ମନ,

ସକଳ କରମେ ହେଲା

ବିଭୁ ଆରାଧନ ।

ନିଷ୍କାମ କରମେ କାଟି

କରମ ବନ୍ଧନ,

ଶେଷେ ବଇକୁଣ୍ଠ ଧାମ

କରିଲେ ମଣ୍ଡନ ।

ଜୟ ଜୟ ନନ୍ଦବାଳ !

ଜୟ ଭକ୍ତସଖା,

ଜୟ ଦରିଦ୍ରର ଧନ !

ଶୁଦ୍ଧ ପ୍ରେମଚଖା ।

ଚଖାଅ ତୋ ପ୍ରେମ ବାରେ,

ଉଠୁ ପ୍ରାଣ ମାତି,

ଶୁଦ୍ଧ କର, ପ୍ରୀତି ଢାଳି,

କଳୁଷିତ ମତି ।

Image